ନବଜାତଙ୍କ ଜୀବନ ରକ୍ଷା


ଆଜିର ଶିଶୁ ଆସନ୍ତାକାଲିର ଭବିଷ୍ୟତ । ତେଣୁ ଶୈଶବକୁ ସୁରକ୍ଷିତ କରିବା ଦିଗରେ ରାଜ୍ୟ ସରକାର ଗ୍ରହଣ କରିଛନ୍ତି ବିଭିନ୍ନ କାର୍ଯ୍ୟକ୍ରମ । ଏଥିପାଇଁ ପ୍ରତ୍ୟେକ ଜୀବନ ରକ୍ଷା ଦିଗରେ କ୍ରମାଗତ ଭାବେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଉଥିବା ଓଡ଼ିଶା ସରକାରଙ୍କୁ କେନ୍ଦ୍ର ସରକାର ବିଭିନ୍ନ ସମୟରେ ପ୍ରଶଂସା କରି ଚାଲିଛନ୍ତି । ଓଡ଼ିଶାର ପଦକ୍ଷେପକୁ ଜାତୀୟସ୍ତରରେ ସ୍ୱୀକୃତି ମିଳିବାରେ ଲାଗିଛି । ଏହି କ୍ରମରେ ନୁ୍ୟ ବର୍ଣ୍ଣ ଷ୍ଟାବିଲାଇଜେସନ ୟୁନିଟ ଜରିଆରେ ଗୁରୁତର ନବଜାତଙ୍କ ଜୀବନ ରକ୍ଷା କରିବାରେ ଓଡ଼ିଶା ସମଗ୍ର ଦେଶରେ ଶୀର୍ଷ ସ୍ଥାନରେ ହାସଲ କରିଛି । ସେହିପରି ଏନବିଏସୟୁ ସଂକ୍ରାନ୍ତ ତଥ୍ୟ ପ୍ରଦାନରେ ମଧ୍ୟ ଓଡ଼ିଶା ଅଗ୍ରଣୀ ରାଜ୍ୟ ଭାବେ ଉଭା ହୋଇଛି । ଏନବିଏସୟୁ ବ୍ୟବହାର ନେଇ ଅନ୍ୟ ରାଜ୍ୟମାନଙ୍କ ପାଇଁ ଓଡ଼ିଶା ଉଦାହରଣ ସୃଷ୍ଟି କରିବା ସହ ଶୂନ୍ୟ ଶିଶୁ ମୃତୁ୍ୟ ହାର ଲକ୍ଷ୍ୟ ହାସଲ ନିମନ୍ତେ ଅନ୍ୟ ରାଜ୍ୟକୁ ଅନୁପ୍ରାଣୀତ କରିିଛି । ରାଜ୍ୟ ସରକାରଙ୍କ ଏହି ସଫଳତା ନିମନ୍ତେ ଜାତୀୟ ସ୍ତରରେ ନିକଟରେ ନୂଆଦିଲ୍ଲୀ ଠାରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗକୁ ସମ୍ମାନିତ ଓ ପୁରସ୍କୃତ କରାଯାଇଥିଲା । ବିଭିନ୍ନ କାରଣ ପାଇଁ ନବଜାତଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ହୋଇଥାଏ । କମ ସମୟ ମଧ୍ୟରେ ସେମାନଙ୍କୁ ଅତ୍ୟାଧୁନିକ ଚିକିତ୍ସାର ଆବଶ୍ୟକତା ପଡ଼ିଥାଏ । ବିଶେଷକରି କମ ଓଜନ, ଅପରିପକ୍ୱ କିମ୍ବା ଅନ୍ୟ କୌଣସି ଗୁରୁତର ରୋଗ ସହିତ ଜନ୍ମ ନେଇଥିବା ଶିଶୁ ପାଇଁ ଉନ୍ନତ ଚିକିତ୍ସା ଜରୁରି ହୋଇଥାଏ । ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରାଳୟ ପକ୍ଷରୁ ଜାତୀୟ ସ୍ୱାସ୍ଥ୍ୟ ମିଶନ ଅଧୀନରେ ସବୁ ରାଜ୍ୟରେ ଏନବିଏସୟୁ ବ୍ୟବସ୍ଥା ଆରମ୍ଭ କରିଥିଲେ । ନବଜାତଙ୍କ ଜୀବନ ରକ୍ଷା ଦିଗରେ ଏନବିଏସୟୁ ଅତ୍ୟନ୍ତ ଉପାଦେୟ ହୋଇଥିଲେ ସୁଦ୍ଧା ଅନେକ ରାଜ୍ୟ ଏହାର ବ୍ୟବହାର ପାଇ ପଛଘୁଞ୍ଚା ଦେଉଥିଲେ । ଆତ୍ମବିଶ୍ୱାସର ଅଭାବ, ଦକ୍ଷ ସ୍ୱାସ୍ଥ୍ୟ କର୍ମୀଙ୍କ ଅଭାବ ଯୋଗୁ ଏନବିଏସୟୁ ନିଜ ଉଦେ୍ଦଶ୍ୟ ଠାରୁ ଦୂରେଇ ଯାଇଥିଲା । ତେବେ ଶୂନ୍ୟ ମାତୃ ଓ ଶୂନ୍ୟ ଶିଶୁ ମୃତୁ୍ୟ ଲକ୍ଷ୍ୟ ନେଇ କାମ କରୁଥିବା ଓଡ଼ିଶା ସ୍ୱାସ୍ଥ୍ୟ ବିଭାଗ ଏହାକୁ ଏକ ଆହ୍ୱାନ ଭାବେ ଗ୍ରହଣ କରିଥିଲା । କେନ୍ଦ୍ର ସରକାରଙ୍କ ମାର୍ଗଦର୍ଶିକା ଅନୁସାରେ ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମୀଙ୍କୁ ପ୍ରଶିକ୍ଷଣ ଦିଆଯାଇଥିଲା । ଏନବିଏସୟୁ କେତେ ଉପାଦେୟ ହୋଇପାରୁଛି ସେ ନେଇ ବ୍ୟାପକ ସଚେତନତା ସୃଷ୍ଟି କରାଗଲା । ପ୍ରମୁଖ ଡାକ୍ତରଖାନାର ସ୍ତ୍ରୀ ଓ ପ୍ରସୂତୀ ବିଭାଗ ନିକଟରେ ଏନବିଏସୟୁ ସ୍ଥାପନ ହେଲା । ଶେଷରେ ରାଜ୍ୟ ସରକାରଙ୍କର କ୍ରମାଗତ ଉଦ୍ୟମ ସଫଳତା ହାସଲ କରିଛି । ମମତା ଯୋଜନା ଠାରୁ ଆରମ୍ଭ କରି ଜନନୀ, ଶିଶୁ ସୁରକ୍ଷା ସହିତ ଏନବିଏସୟୁ ଭଳି ବ୍ୟବସ୍ଥା ଗୁରୁତର ଶିଶୁଙ୍କ ଜୀବନ ରକ୍ଷା କରିବାରେ ବେଶ ସଫଳତା ମିଳିିଛି ।  ଅପରପକ୍ଷେ ରକ୍ତହୀନତା ଓ ପୁଷ୍ଟି ହୀନତା ଦୂର ପାଇଁ ପଦକ୍ଷେପ, ବିସ୍ତୃତ ଡାଇରିଆ ନିୟନ୍ତ୍ରଣ କାର୍ଯ୍ୟକ୍ରମ, ନିମୋନିଆ ନିୟନ୍ତ୍ରଣ କାର୍ଯ୍ୟକ୍ରମ ଭଳି ପଦକ୍ଷେପ ଶିଶୁଙ୍କୁ ଏକ ସୁସ୍ଥ ଜୀବନଦାନ ଦେଉଛି । ଯାହା ରାଜ୍ୟକୁ ଦେଶରେ ଉଦାହରଣୀୟ କରିପାରିଛି । 
ଡା.ଜ୍ୟୋତିରଞ୍ଜନ ଚମ୍ପତିରାୟ,ମୋ : ୯୪୩୭୧୨୪୦୭୪