ସାର କଳାବଜାରୀ ବିରୋଧରେ ସରକାରଙ୍କ କଡ଼ା ଆଭିମୁଖ୍ୟ : ଝାରସୁଗୁଡା କିର୍ମିରା ପାକ୍ସ ସମ୍ପାଦକ ନିଲମ୍ବିତ
ଭୁବନେଶ୍ୱର: ଝାରସୁଗୁଡା କିର୍ମିରାରେ ୟୁରିଆ ସାର କଳାବଜାରୀ ଅଭିଯୋଗ ପରେ, ବିଭାଗୀୟ ଟିମ୍ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ରାତ୍ରିକାଳୀନ ଚଢ଼ାଉରେ ଏହି ବେଆଇନ କାରବାରକୁ ଠାବ କରାଯାଇ ସାର ଜବତ କରାଯାଇଛି ଏବଂ ଏଫ୍ଆଇଆର୍ ମଧ୍ୟ ଦାଏର୍ ହୋଇଛି । ଅଭିଯୋଗ ସ୍ଥାନୀୟ କୃଷକମାନେ ଜଣାଇବା ପରେ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କ ସମେତ ବ୍ଲକ କୃଷି ଅଧିକାରୀ, ଫର୍ଟିଲାଇଜÿର ଇନ୍ସପେକ୍ଟର ସମ୍ପୃକ୍ତ ପାକ୍ସରେ ପହଞ୍ଚିଥିଲେ । କିର୍ମିରା ପାକ୍ସର ସୋସାଇଟି ସେକ୍ରେଟାରୀ ଏଥିରେ ଲିପ୍ତ ଥିବା ଜଣାପଡିଛି । ସେ ୨୬ ଗୋଟି ବ୍ୟାଗ ୟୁରିଆ ସାର ବେଆଇନ ଭାବେ ବିକ୍ରି କରୁଥିବା ଜଣାପଡ଼ିଛି । ବେଆଇନ ସାର କାରବାର ଅଭିଯୋଗରେ କିର୍ମିରା ପାକ୍ସ ସମ୍ପାଦକ ବୁଦ୍ଧଦେବ ସାହୁଙ୍କୁ ସମବାୟ ବିଭାଗ ପକ୍ଷରୁ ଆଜି କାର୍ଯ୍ୟରୁ ନିଲମ୍ବନ କରାଯାଇଛି । ୨୬ ବସ୍ତା ୟୁରିଆ ସାର ବେଆଇନ ଭାବେ ବିକ୍ରି କରୁଥିବା ସମୟରେ ସେ ଧରା ପଡିଥିଲେ । ନିଲମ୍ବନ ସମୟରେ ସମ୍ବଲପୁର ଜିଲ୍ଲା କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ଲଇକେରା ଶାଖା କାର୍ଯ୍ୟାଳୟରେ ତାଙ୍କର ମୁଖ୍ୟାଳୟ (ହେଡ୍ କ୍ୱାର୍ଟର୍) ସ୍ଥିର କରାଯାଇଛି । ନିଲମ୍ବନ ଆଦେଶ ବଳବତ୍ତର ରହିବା ପର୍ଯ୍ୟନ୍ତ ବିନା ଅନୁମତିରେ ସେ ମୁଖ୍ୟାଳୟ ଛାଡିପାରିବେ ନାହିଁ ।