ମହିଳା ଆତଙ୍କବାଦୀ ଟିମ ଗଢ଼ିବ ଜୈସ : ମାସୁଦର ଭଉଣୀ ସାଦିଆ ନେବ ନେତୃତ୍ୱ

ନୂଆଦିଲ୍ଲୀ : ଅପରେସନ ସିନ୍ଦୂରରେ ଆତଙ୍କବାଦୀଙ୍କ ଚରାଭୂଇଁ ଧ୍ୱସ୍ତବିଧ୍ୱସ୍ତ ହୋଇଯାଇଥିବାବେଳେ ଏବେ ପୁଣି ସଂଗଠନକୁ ଶକ୍ତିଶାଳୀ କରିବା ପାଇଁ ଆତଙ୍କବାଦୀ ସଂଗଠନଗୁଡ଼ିକ ଯୋଜନା କରୁଛନ୍ତି । ପ୍ରଥମ ଥର ପାଇଁ ଆତଙ୍କବାଦୀ ସଂଗଠନ ଜୈସି-ଇ-ଅହମ୍ମଦ ମହିଳା ୟୁନିଟ୍‌ ଗଠନ କରିବାକୁ ନିଷ୍ପତ୍ତି ନେଇଛି । ମାସୁଦ ଆଝାରର ଭଉଣୀ ସାଦିୟା ଆଝାର ଏହାର ନେତୃତ୍ୱ ନେବେ ବୋଲି ଜାଣିବାକୁ ମିଳିଛି ।

ଜୈସର ଏହି ମହିଳା ଶାଖାର ନାଁ ହେବ ଜମ୍ମାତ-ଉଲ-ମୋମିନାତ । ଏହି ଚିଠିଟି ମୌଲାନା ମାସୁଦ ଆଝାର ନାମରେ ଜାରିହୋଇଛି । ଅକ୍ଟୋବର ୮ରୁ ବାହାୱାଲପୁରରେ ଏହି ମହିଳା ଶାଖା ପାଇଁ ନିଯୁକ୍ତି ଆରମ୍ଭ ହୋଇଛି । ଅପରେସନ ସିନ୍ଦୂର ପ୍ରହାରରେ ଆଝାରର ଅନେକ ପରିବାର ସଦସ୍ୟ ନିପାତ ହୋଇ ଯାଇଥିବାବେଳେ ସାଦିୟା ଓ ତା’ ସ୍ୱାମୀ ୟୁସୁଫ ଆଝାର କିନ୍ତୁ ବର୍ତ୍ତି ଯାଇଥିଲେ । ଏହି ମହିଳା ଶାଖାରେ ଆତଙ୍କବାଦୀଙ୍କ ବିଧବା ପତ୍ନୀ ଏବଂ ବାହାୱାଲପୁର, କରାଚୀ, ମୁଜାଫରବାଦ, କୋଟଲି, ହରିପୁର ଓ ମାନସେହରାରେ ପାଠ ପଢ଼ୁଥିବା ଗରିବ ମହିଳାମାନଙ୍କୁ ସାମିଲ୍‌ କରିବାକୁ ଯୋଜନା ହୋଇଛି । ମାସୁଦ ଓ ତା’ ଭାଇ ତାଲହା ଅଲ ସୈଫ ଏଭଳି ଉଦ୍ୟମ କରିଛନ୍ତି । ପୂର୍ବରୁ ମହିଳାମାନଙ୍କୁ ଏଥିରେ ବାରଣ କରାଯାଉଥିଲା । ପୂର୍ବରୁ ଆଇଏସଆଇଏସ, ବୋକୋ ହାରାମ, ହାମାସ, ଏଲଟିଟିଇ ମହିଳା ଆତଙ୍କବାଦୀ ସୃଷ୍ଟି କରିଥିବାବେଳେ ଜେଇଏମ, ଲସ୍କର ଓ ହିଜୁବୁଲ କିନ୍ତୁ ମହିଳାଙ୍କୁ ଏଥିରୁ ବାରଣ କରୁଥଲା ।