ମହିଳା ପୁଲିସ ଜାଲରେ କୁଖ୍ୟାତ ବ୍ଲାକମେଲର ଚନ୍ଦନ

ମହିଳା ପୁଲିସ ଜାଲରେ କୁଖ୍ୟାତ ବ୍ଲାକମେଲର ଚନ୍ଦନ


ଭୁବନେଶ୍ୱର, ୩୧ା୫ : ରାଜଧାନୀରେ ବହୁ ଝିଅଙ୍କ ଭାବନା ସହ ଖେଳିବା ସହ ସେମାନଙ୍କୁ ପ୍ରେମ ଜାଲରେ ଫସାଇ ବିବାହର ପ୍ରଲୋଭନ ଦେଇ ରଖିଥିଲା ଶାରୀରିକ ସମ୍ପର୍କ । ତା ପରେ ସେମାନଙ୍କ ଅଶ୍ମିଳ ଭିଡ଼ିଓ ଓ ଫୋଟ ଉଠାଇ କରୁଥିଲା ବ୍ଲାକମେଲିଂ । ଲୁଟୁଥିଲା ଲକ୍ଷ ଲକ୍ଷ ଟଙ୍କା, ବିରୋଧ କଲେ ମାଡ ମାରିବା ସହ ଦେଉଥିଲା ବ୍ଲାକମେଲିଂର ଧମକ । ଏଭଳି ଜଣେ କୁଖ୍ୟାତ ବ୍ଲାକମେଲର ଚନ୍ଦନ କରକୁ ଗିରଫ କରିଛି ମହିଳା ଥାନା ପୁଲିସ । ଅଭିଯୁକ୍ତ ଘର ବାଲେଶ୍ୱର ହୋଇଥିବା ବେଳେ ସେ ଲକ୍ଷ୍ମୀସାଗର ଥାନା ଅଧିନ ଝାରପଡା ସାରଳା ନଗରରେ ରହି ୟୁଟବର ଭାବେ କାମ କରିବା ସହ ବିଭିନ୍ନ ଯୁବତୀଙ୍କୁ ନିଜର ଜାଲରେ ଫସାଇ ଏଭଳି କଳା କାରନାମା ଚଳାଇଥିଲା ଅଭିଯୁକ୍ତ । ପରେ ପୁଲିସ ଥାନା କେସ ନମ୍ବର ୮୧ରେ ମାମଲା ରୁଜୁକରି ଦଫା ୩୪୧, ୨୯୪, ୩୫୪,୩୫୪(ଏ)/୩୫୪(ଡ଼ି)/୫୦୬ରେ କୋର୍ଟ ଚାଲାଣ କରାଯାଇଛି ।
ସୂଚନାଯୋଗ୍ୟଯେ, ଅଭିଯୋଗକାରିଣୀ ଟିସିଏସ୍ର ଜଣେ କର୍ମଚାରୀ । ଗତ ୨୦୨୨ ମସିହାରେ ସେ ଅଭିଯୁକ୍ତ ଚନ୍ଦନ ସହିତ ଯୋଗାଯୋଗରେ ଆସିବା ପରେ ଉଭୟଙ୍କ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ଗଢ଼ି ଉଠିଥିଲା । ଚନ୍ଦନ ଜଣେ ସ୍କ୍ରିପ୍ଟ ଲେଖକ ହୋଇଥିବାରୁ ଏକ ପ୍ରୋଜେକ୍ଟରେ କାମ କରିବାକୁ ଅଭିଯୋଗକାରିଣୀଙ୍କୁ ପ୍ରସ୍ତାବ ଦେଇଥିଲେ । ପରେ ଉଭୟଙ୍କ ମଧ୍ୟରେ ଭଲ ସମ୍ପର୍କ ଗଢ଼ି ଉଠିଥିଲା, ପରେ ତାଙ୍କୁ ବିବାହ କରିବାକୁ ପ୍ରସ୍ତାବ ଦେଇଥିଲା ଚନ୍ଦନ । ହେଲେ ଅଭିଯୋଗକାରିଣୀ ବିବାହର ପ୍ରସ୍ତାବକୁ ମନା କରିଦେଇଥିଲେ । ତା ପରେ ମଧ୍ୟ ଚନ୍ଦନ ପୁନର୍ବାର ଅଭିଯୋଗକାରିଣୀଙ୍କ ପରିବାରଙ୍କୁ ବିବାହ ପ୍ରସ୍ତାବ ଦେଇଥିଲା । ଏହି ପ୍ରସ୍ତାବ ପରେ ଅଭିଯୋଗକାରିଣୀ ଓ ଅଭିଯୁକ୍ତ ଉଭୟେ ମଧ୍ୟ ପରିବାରର ହୋଇଥିବାରୁ ଏହି ପ୍ରସ୍ତାବକୁ ପରିବାର ଲୋକେ ଗ୍ରହଣ କରିବା ସହ ଅଭିଯୁକ୍ତ ଚନ୍ଦନର ଚାକିରି ପରେ ଉଭୟଙ୍କ ଭିତରେ ବିବାହ କରିବାକୁ ସର୍ତ୍ତ ରଖିଥିଲେ । କିନ୍ତୁ ଚନ୍ଦନର ଅନ୍ୟ ଝିଅ ମାନଙ୍କ ସହ ସମ୍ପର୍କ ରଖି ସେମାନଙ୍କୁ ବି ବିବାହ କରିବାକୁ କହି ସେମାନଙ୍କୁ ବ୍ଲାକମେଲିଂ କରୁଥିବା ଅଭିଯୋଗକାରିଣୀ ଯାଣିବା ପରେ ସେ ବିବାହ ପାଇଁ ମନା କରିଦେଇଥିଲେ । ପରେ ଘର ଲୋକଙ୍କୁ ମଧ୍ୟ ଚନ୍ଦନ ବିଷୟରେ ଜଣାଇଥିଲେ । ଫଳରେ ଉଭୟଙ୍କ ବିବାହ ଭାଙ୍ଗିଯାଇଥିଲା । ପରେ ଚନ୍ଦନ ଅଭିଯୋଗକାରିଣୀଙ୍କୁ ସବୁଆଡେ ପିଛା କରି ତାଙ୍କୁ ମାନସିକ ଓ ଶାରିରୀକ ନିର୍ଯ୍ୟାତନା ଦେଉଥିଲେ । ତା ପରେ ତାଙ୍କର ଫୋଟ ଓ ଭିଡ଼ିଓକୁ ଭାଇରାଲ କରିବାକୁ ଧମକ ଦେଉଥିଲା । ଏହାସହ ୨୦୨୩ରେ ମଧ୍ୟ ଅଭିଯୋଗକାରିଣୀଙ୍କୁ ତାଙ୍କ ଅଫିସକୁ ଯାଇ ଆକ୍ରମଣ କରିଥିଲେ ଓ ତାଙ୍କୁ ବିବାହ କରିବାକୁ ବାଧ୍ୟ କରୁଥିଲେ । ଏନେଇ ଅଭିଯୋଗକାରିଣୀ ମହିଳା ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୁଲିସ ଆଜି ଚନ୍ଦନକୁ ଗିରଫ କରିଛି । ୨୦୧୭ ମସିହାରେ ମଧ୍ୟ ଚନ୍ଦନ ନାମରେ ବଡ଼ଗଡ଼ ଥାନାରେ ଏକ ମାମଲା ରହିଥିବା ଜଣାପଡ଼ିଛି ।