୨ଟି ଆପାଟମେଣ୍ଟରୁ ୧୫ ଲକ୍ଷର ସୁନା ଅଳଙ୍କାର ଲୁଟ୍

୨ଟି ଆପାଟମେଣ୍ଟରୁ ୧୫ ଲକ୍ଷର ସୁନା ଅଳଙ୍କାର ଲୁଟ୍


ଭୁବନେଶ୍ୱର, ୧୨ା୪ : ରାଜଧାନୀରେ ମାତିଛନ୍ତି ଚୋର ଓ ଆପାର୍ଟମେଣ୍ଟ ଲୁଟେରା ଗ୍ୟାଙ୍ଗ୍ । କମିଶନରେଟ ପୁଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇ ଗୋଟିକ ପରେ ଗୋଟିଏ ଲୁଟପାଟ୍ ଚଳାଇଛନ୍ତି । ଗତ କିଛିଦିନ ହେଲା ରାଜଧାନୀ ଓ ଉପକଣ୍ଠରୁ ବାରମ୍ବାର ଚୋରି ଓ ଲୁଟ୍ ହେଉଛି । କିନ୍ତୁ କମିଶନରେଟ ପୁଲିସ ନା ଲୁଟେରାଙ୍କୁ ଧରିପାରୁଛି ନା ଚୋରିରେ ବ୍ରେକ୍ ଲଗାଇ ପାରୁଛି । ଏହି କ୍ରମରେ ଗତକାଲି ରାତିରେ ପାହାଳ ଓ ନନ୍ଦନକାନନ ଅଞ୍ଚଳରୁ  ଚୋରି ହେବା ପୁଲିସର ପାରିବା ପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
 ସୂଚନାଯୋଗ୍ୟ ଯେ, ପାହାଳ ଥାନା ଜଇପୁର ଅଞ୍ଚଳର ଶରତ ମହାନ୍ତିଙ୍କ ଘରୁ ଗୁରୁବାର ରାତିରେ ଚୋରି ହୋଇଛି । ପରିବାର ଲୋକେ ସମସ୍ତେ ଶୋଇଥିବା ବେଳେ ବାହାର ପଟୁ ତାଲା ପକାଇ ଲୁଟେରାମାନେ ପ୍ରାୟ ୩ଲକ୍ଷ ଟଙ୍କାର ଗହଣା ଲୁଟି ନେଇଛନ୍ତି । ସେହିପରି ନନ୍ଦନକାନନ ଥାନା ଅନ୍ତର୍ଗତ ରଘୁନାଥପୁର ନିକଟସ୍ଥ ଜିଡିଏସ ଟାୱାର ଆପାର୍ଟମେଣ୍ଟ ଏବଂ ସ୍ପ୍ରିଙ୍ଗ ଲିଫ ଆପାର୍ଟମେଣ୍ଟରେ । ଦୁର୍ବୃତ୍ତ ମାନେ ରାତି ପ୍ରାୟ ୨ଟା ସମୟରେ ଏଭଳି କାଣ୍ଡ ଘଟାଇଛନ୍ତି । ସ୍ପ୍ରିଙ୍ଗ ଆପାର୍ଟମେଣ୍ଟର ଲାଗିଥିବା ଅଧିକାଂଶ ସିସିଟିଭି କ୍ୟାମେରା ଅଚଳ ହୋଇଯାଇଥିବାରୁ ଦୁର୍ବୃତ୍ତ ମାନେ ଏହାର ସୁଯୋଗ ନେଇ ଲୁଟପାଟ କରିଛନ୍ତି । ସୂଚନା ମୁତାବକ ଗୁରୁବାର ବିଳମ୍ବିତ ରାତିରେ ଜିଡିଏସ ଟାୱାର ଆପାର୍ଟମେଣ୍ଟର ଫ୍ଲାଟ୍‌ ମାଲିକ ପ୍ରିୟଙ୍କା ଦାସଙ୍କ ସି-୩୦୪ ନଂ ଫ୍ଲାଟର କବାଟ ତାଡ଼ି କେହି ଦୁର୍ବୃତ୍ତ ଘର ଭିତରକୁ ପସିଥିଲେ । ଉକ୍ତ ଫ୍ଲାଟ ଭଡ଼ା ନେଇଥିବା ବ୍ୟକ୍ତି ଘରେ ରହୁନଥିବା ବେଳେ ଘରେ କୌଣସି ଦାମୀ ସାମଗ୍ରୀ କିମ୍ବା ଟଙ୍କା ପଇସା ନଥିବାରୁ ଦୁର୍ବୃତ୍ତମାନେ ସେଠାରୁ ଫେରି ଆସିଥିଲେ । ସେହିପରି ନିକଟସ୍ଥ ସ୍ପ୍ରିଙ୍ଗ ଲିଫ୍ ଆପାର୍ଟମେଣ୍ଟର ୪୦୪ ନଂ ଫ୍ଲାଟର ମାଲିକ ପ୍ରଶାନ୍ତ କୁମାର ଜେନାଙ୍କ ଘରୁ ଦୁର୍ବୃତ୍ତ ମାନେ ଲକ୍ଷାଧିକ ଟଙ୍କାର ସୁନା ଗହଣା ଲୁଟି ନେଇଛନ୍ତି । ଘର ମାଲିକ ପ୍ରଶାନ୍ତ ଅନୁଗୁଳ ଏନଟିପିସିରେ ଆଇଟି ସେକ୍ଟରରେ କାର୍ଯ୍ୟରତ ଥିବା ବେଳେ ଲୁଟ ଦିନ ରାତିରେ ସେ ତାଙ୍କ ଝିଅ ଘର ଖୋର୍ଦ୍ଧାକୁ ଯାଇଥିଲେ । ସେହି ରାତିରେ ଘରେ କେହିନଥିବା ସମୟରେ ଡକାୟତ ମାନେ ଏହାର ସୁଯୋଗ ନେଇ ଲୁଟପାଟ କରିଥିଲେ । ଦୁର୍ବୃତ୍ତମାନେ ଘରର କବାଟ ତାଡ଼ି ଭିତରକୁ ପସି ଘରେ ଝିଅ ପାଇଁ ରଖିଥିବା ୫ଲକ୍ଷ ଟଙ୍କାରୁ ଉର୍ଦ୍ଧ ମୂଲ୍ୟର ସୁନାଗହଣା ଲୁଟି ନେଇଥିଲେ । ଉଭୟ ଆପାର୍ଟମେଣ୍ଟର ଫ୍ଲାଟ ମାଲିକ ଚୋରି ହୋଇଥିବା ଶୁକ୍ରବାର ସକାଳେ ଜାଣିବାପରେ ନନ୍ଦନକାନନ ଥାନାରେ ଅଭିଯୋଗ କରିଥିଲେ । ଫରେନସିକ ଟିମ ଏବଂ ଡଗ ସ୍କ୍ୱାର୍ଡଙ୍କ ସହ ନନ୍ଦନକାନନ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚô ତଦନ୍ତ ଚଳାଇଛି । ଘଟଣାସ୍ଥଳରୁ ଫରେନସିକ ଟିମ ବିଭିନ୍ନ ନମୁନା ସଂଗ୍ରହ କରିଛି । ଏନେଇ ନନ୍ଦନକାନନ ଥାନାରେ ଦୁଇଟି ଭିନ୍ନ ଭିନ୍ନ ମାମଲା ରୁଜୁ ହୋଇଛି ।
 ଗତ କିଛିଦିନ ତଳେ କମିଶନରେଟ୍ ପୁଲିସର ସୁରକ୍ଷା ବ୍ୟବସ୍ଥାକୁ ଖୋଲା ଚାଲେଞ୍ଜ ଦେଇ ଆପାର୍ଟମେଣ୍ଟ୍ ଲୁଟେରା ଗ୍ୟାଙ୍ଗ୍ ଏକ ବଡଧରଣର ଲୁଟ୍ କରିଛନ୍ତି । ଭୁବନେଶ୍ୱର ପାହାଳା ଥାନା ଅଞ୍ଚଳର ମେଟ୍ରୋ ସାଟେଲାଇଟ ସିଟିର ତିନି ତିନିଟି ଫ୍ଲାଟରୁ ଲୁଟ୍ ହୋଇଛି । ମାତ୍ର ୪୦ ମିନିଟ୍ ମଧ୍ୟରେ ବ୍ଲକ-’ବି’ର ୩୦୩, ବ୍ଲକ-’ସି’ର ୩୦୮ ଏବଂ ବ୍ଲକ-’ଡି’ର ୩୦୮ ଫ୍ଲାଟରୁ ସୁନା ଅଳଙ୍କାର ସହ ଟଙ୍କା ଧରି ଚମ୍ପଟ ମାରିଛନ୍ତି । ସେହିପରି ଇନଫୋସିଟି ଥାନା ପଥରଗାଡିଆରେ ଥିବା ରାଜବାଟିକା ଆପାର୍ଟମେଣ୍ଟରୁ ମଧ୍ୟ ଲୁଟପାଟ ହୋଇଥିଲା । ୨୦୨୩ ଅକ୍ଟୋବର ୧୦ରେ ରାଜବାଟିକା ଆପାର୍ଟମେଣ୍ଟରୁ ଲୁଟ୍ ହୋଇଥିଲା । ଗତ ୬ ମାସ ମଧ୍ୟରେ ଭୁବନେଶ୍ୱରର ପ୍ରାୟ ୧୦ଟି ଆପାର୍ଟମେଣ୍ଟର ୨୫ଟି ଫ୍ଲାଟରୁ ଲୁଟପାଟ ହେଲାଣି । ହେଲେ ଢିଲା ପୁଲିସ ପାଟ୍ରୋଲିଂ ଓ ସୁରକ୍ଷା ବ୍ୟବସ୍ଥା ଯୋଗୁଁ ଏଭଳି ଲୁଟପାଟ ହେଉଥିବା ଲୋକେ ଅଭିଯୋଗ କରିଛନ୍ତି ।