ସଫେଇ କର୍ମଚାରୀଙ୍କୁ ନିଆରା ସମ୍ବର୍ଦ୍ଧନା

ଅନୁଗୁଳ,୫ା୧୦ : ଅନୁଗୁଳ ପୌର ପାଳିକାର ସଫେଇ କର୍ମଚାରୀ ଲକ୍ଷ୍ମଣ ଗୋଚ୍ଛାୟତଙ୍କ ପାଇଁ ଯେଭଳି ଢଙ୍ଗରେ ବିଦାୟକାଳୀନ ସମ୍ବର୍ଦ୍ଧନା ପାଳନ କରାଗଲା । ଏହାକୁ ନେଇ ନଗର ଉନ୍ନୟନ ବିଭାଗ ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀ ଅନୁଗୁଳ ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ସତ୍ୟ ପ୍ରକାଶ ତ୍ରିପାଠୀଙ୍କୁ ବେଶ ପ୍ରଶଂସା କରିଛନ୍ତି । ଆଉ ଏକ ବାର୍ତ୍ତାରେ ଶ୍ରୀମତୀ ପାଢ଼ୀ କହିଛନ୍ତି ଯେ, ଗତାନୁଗତିକ ବିଦାୟକାଳୀନ ସମ୍ବର୍ଦ୍ଧନା ସଭାକୁ ନିର୍ବାହୀ ଅଧିକାରୀ ଶ୍ରୀ ତ୍ରିପାଠୀ ଯେଭଳି ଉତ୍ସାହପ୍ରଦ, ଆତ୍ମସମ୍ମାନ, ରୁଚିପୂର୍ଣ୍ଣ ଏବଂ ମାନବିକତାର ସ୍ପର୍ଶ ଦେଇ ପାଳନ କଲେ ତାହା ଗର୍ବର ବିଷୟ ଏବଂ ରାଜ୍ୟର ବିଭାଗ ପାଇଁ ସବୁଦିନ ପାଇଁ ଏକ ଉଜ୍ଜ୍ୱଳ ଉଦାହରଣ ହୋଇ ରହିବ । ମୁଁ ଆଶା କରିବି ଶ୍ରୀ ତ୍ରିପାଠୀଙ୍କ ଏହି ଉଚ୍ଚ ମୂଲ୍ୟବୋଧ ସମ୍ପନ୍ନ ବିଚାରଧାରା ଅନ୍ୟ ବିଭାଗର ଅଧିକାରୀ ମାନଙ୍କୁ ମଧ୍ୟ ପ୍ରେରଣା ଯୋଗାଇବ । ସୂଚନାଯୋଗ୍ୟ, ଅନୁଗୁଳ ପୌରପାଳିକାର ସଫେଇ କର୍ମଚାରୀ ଲକ୍ଷ୍ମଣ ଗୋଚ୍ଛାୟତ ଗତ ୩୦ ତାରିଖ ଦିନ ଅବସର ନେଲେ । ଏଥିପାଇଁ ଏକ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଆୟୋଜନ କରିଥିଲେ ପୌରପାଳିକା କାର୍ଯ୍ୟ ନିର୍ବାହୀ ଅଧିକାରୀ ସତ୍ୟ ପ୍ରକାଶ ତ୍ରିପାଠୀ । ଆଉ ସଫେଇ କର୍ମଚାରୀଙ୍କୁ ଭାବପୂର୍ଣ୍ଣ ସମ୍ବର୍ଦ୍ଧନା ଦେବା ସହ ଏକ ତାରକା ହୋଟେଲରେ ନେଇ ଉଭୟ ଭୋଜନ କରିଥିଲେ । ଆଉ ଭୋଜନ ସାରିବା ପରେ ତାଙ୍କୁ ନିଜ ଗାଡ଼ିରେ ନେଇ ତାଙ୍କ ଘରେ ଛାଡ଼ିଥିଲେ । ନା ଥିଲା ଉଚ୍ଚ ନିଚ୍ଚର ଭେଦଭାବ ନା ଥିଲା ବାବୁଗିରି କାଇଦା । କେବଳ ଥିଲା ମଣିଷ ପଣିଆ ଆଉ ଭଲ ପାଇବାର ନିଛକ ପ୍ରତିଛବି । ଏହାକୁ ନେଇ ସାରା ରାଜ୍ୟରେ ଏକ ଗୌରବପୂର୍ଣ୍ଣ ପରମ୍ପରା ଭାବେ ପରିଗଣିତ ହେବା ସହ ନିର୍ବାହୀ ଅଧିକାରୀ ଶ୍ରୀ ତ୍ରିପାଠୀଙ୍କୁ ଏଥିପାଇଁ ଅନେକ ପ୍ରଶଂସା ମିଳିଥିଲା ।