ସିପିଆଇର ଜିଲ୍ଳା ସମ୍ମିଳନୀ ଉଦ୍ଘାଟିତ

 ପୁରୀ : ଭାରତୀୟ କମୁ୍ୟନିଷ୍ଟ ପାର୍ଟିର ୨୪ତମ ୨ଦିନିଆ ଜିଲ୍ଳା ସମ୍ମିଳନୀ ଉଦ୍ଘାଟିତ ହୋଇଯାଇଛି । ଅନ୍ନପୂର୍ଣ୍ଣା ରଂଗମଞ୍ଚରେ ଲାଲ ପତାକା ଉତ୍ତୋଳନ କରି ସମ୍ମିଳନୀକୁ ଉଦ୍ଘାଟନ କରିଛନ୍ତି ବରିଷ୍ଠ ବାମପନ୍ଥୀ ନେତା ଦେବେନ୍ଦ୍ର ନାଥ ସାହୁ । ଉଦ୍ଘାଟନ ସମାରୋହରେ ସିପିଆଇର ରାଜ୍ୟ ସଂପାଦକ ଆଶିଷ କାନୁନ୍ଗୋ, ରାଜ୍ୟ କାର୍ଯ୍ୟକରିଣୀ ସଭ୍ୟ ମହେଶ୍ୱର ରାଉତ, ବ୍ରଜବନ୍ଧୁ ରାଉତ ପ୍ରମୁଖ ଉଦ୍ବୋଧନ ଦେଇ କହିଥିଲେ ଯେ, ସଂପ୍ରତ୍ତି ଭାରତୀୟ ସମ୍ବିଧାନ ବିପଦାପନ୍ନ । କେନ୍ଦ୍ରରେ ବିଜେପି ସରକାର ଦେଶକୁ ଫାସୀବାଦ ଆଡ଼କୁ ଟାଣି ନେଉଛି । ଦେଶର ସଂପଦ ବା ଜାତୀୟ ସଂପତ୍ତିକୁ ଲୁଟ୍ କରାଯିବା ସଂ ଆଦାନୀ ଓ ଅମ୍ବାନୀଙ୍କ ଭଳି ବହୁ ଦେଶୀୟ ପୁଞ୍ଜିପତିମାନଙ୍କ ହାତକୁ ଟେକି ଦିଆଯାଉଛି । ମୁଷ୍ଟିମେୟ ଉଦ୍ୟୋଗପତିଙ୍କ ହାତରେ ଠୁଳ ହେଉଛି ଦେଶର ସମସ୍ତ ସଂପତ୍ତି । ଏଥିସହିତ ଦେଶରେ ବେକାରୀ ଓ ଆକାଶ ଛୁଆଁ ଦରବୃଦ୍ଧି ଜନସାଧାରଣଙ୍କୁ ଅତିଷ୍ଟ କଲାଣି । ସରକାର ଦରବୃଦ୍ଧି ରୋକିବାରେ ଅସମର୍ଥ ହୋଇଛନ୍ତି । ଜନତାଙ୍କ ଗଣତାନ୍ତ୍ରିକ ଅଧିକାର ସମ୍ବିଧାନ ସଂଶୋଧନ ମାଧ୍ୟମରେ ଛଡ଼ାଇ ନିଆଯାଉଛି । ଶ୍ରମିକ ବିରୋଧୀ ନୂଆ ଶ୍ରମ ଆଇନ ଓ କୃଷକ ବିରୋଧୀ ନୂଆ କୃଷି ଆଇନ ପୁଞ୍ଜିପତିଙ୍କ ସଂପତ୍ତି ବୃଦ୍ଧି ପାଇଁ ଉଦ୍ଦିଷ୍ଟ । ଏହି ଆଇନ ମାଧ୍ୟମରେ ଦେଶବାସୀଙ୍କୁ ପୁଞ୍ଜିପତିଙ୍କ ଗୋତି ଶ୍ରମିକରେ ପରିଣତ କରିବା ପାଇଁ  ଉଦ୍ୟମ ଚାଲିଛି । ସିପିଆଇ ନେତାମାନେ କହିଥିଲେ ଯେ ଜନତାଙ୍କ ଏକତା ଓ ଜନ ଆନେ୍ଦାଳନକୁ ଭଣ୍ଡୁର କରିବା ପାଇଁ ବିଜେପି ଚକ୍ରାନ୍ତ ଚଳାଇଛି । ଧର୍ମ ନାମରେ ସମାଜକୁ ଭାଗ ଭାଗ କରିବା ପାଇଁ ଉଦ୍ୟମ ଚାଲିଛି । ଏ ପରିପ୍ରେକ୍ଷୀରେ ଜନ ବିରୋଧୀ ସରକାରକୁ ହଟାଇବା ପାଇଁ କମୁ୍ୟନିଷ୍ଟମାନେ ହିଁ ମିଳିତ ଧର୍ମନିରପେକ୍ଷ ଆନେ୍ଦାଳନର ନେତୃତ୍ତ୍ୱ ନେଇପାରିବେ । ବାମ ଗଣତାନ୍ତ୍ରିକ ଆନେ୍ଦାଳନ ମଧ୍ୟରୁ ଦେଶରେ ଏକ ଦୃଢ ବାମପନ୍ଥୀ ବିକଳ୍ପ ସୃଷ୍ଟି ହୋଇପାରିବ ବୋଲି ସେମାନେ ମତବ୍ୟକ୍ତ କରିବା ସହ ଏହା ଜନତାଙ୍କୁ ବେକାରୀ ଓ ଦରବୃଦ୍ଧିରୁ ରକ୍ଷା କରିବା ସଂଗେସଂଗେ ସାମାଜିକ ନ୍ୟାୟ ପ୍ରଦାନ କରିପାରିବ ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସିପିଆଇର ଜିଲ୍ଳା ସଂପାଦକ କୃଷ୍ଣଚନ୍ଦ୍ର ରାଉତ, ପ୍ରଦୀପ୍ତ ମହାନ୍ତି, ହରିହର ସେନାପତି, ସୁରେଶ ଚନ୍ଦ୍ର ବିଶ୍ୱାଳ, ଗୋଲକ ଚନ୍ଦ୍ର ନାୟକ, ଡ଼ା. ପ୍ରଫୁଲ୍ଲ ମହାପାତ୍ର, ମନୋଜ ପରିଡ଼ା ଓ ବିଦୁଲତା ପୃଷ୍ଟି ପ୍ରମୁଖ ପୁରୀ ଜିଲ୍ଳାରେ ଏକ ବାମପନ୍ଥୀ ବିକଳ୍ପ ପାଇଁ ସଂଗ୍ରାମ ଜାରି ରଖିବାକୁ ପ୍ରତିନିଧିମାନଙ୍କୁ ଆହ୍ୱାନ ଜଣାଇଥିଲେ ।