ପ୍ରଶାସନର ଆନ୍ତରିକତା ଅଭାବ: ମାଟିରେ ମିଶିଲା ସଂସ୍କୃତ ଶିକ୍ଷାନୁଷ୍ଠାନ
ଖଣ୍ଡପଡ଼ା : ପ୍ରଶାସନିକ ଉଦାସୀନତା ସାଙ୍ଗକୁ ବିଭାଗୀୟ କର୍ତ୍ତୃପକ୍ଷଙ୍କ ଆନ୍ତରିକତା ଅଭାବରୁ ଖଣ୍ଡପଡ଼ା ସହରରେ ପ୍ରାକ୍ ସ୍ୱାଧୀନତା ସମୟ ୧୯୧୫ ମସିହାରେ ପ୍ରତିଷ୍ଠିତ ହୋଇଥିବା ରାମଚନ୍ଦ୍ର ସଂସ୍କୃତ ଟୋଲ ଶିକ୍ଷାନୁଷ୍ଠାନଟି ମାଟିରେ ବିଲୀନ ହୋଇଯାଇଛି । ସଂସ୍କୃତ ଭାଷାର ପ୍ରସାର ଉଦେ୍ଦଶ୍ୟରେ ପ୍ରତିଷ୍ଠିତ ହୋଇଥିବା ସେହି ଶିକ୍ଷାନୁଷ୍ଠାନରୁ ଏକଦା ଅନେକ ଛାତ୍ରଛାତ୍ରୀ ପାଠପଢ଼ି ଏବେ ସମାଜରେ ପ୍ରତିଷ୍ଠିତ ହୋଇପାରିଛନ୍ତି । ମାତ୍ର ଦୀପତଳ ଅନ୍ଧାର ପରି ଶିକ୍ଷାନୁଷ୍ଠାନଟିର ସୁରକ୍ଷା ପ୍ରତି କେହି ହେଲେ ଦୃଷ୍ଟି ନ ଦେବା ଫଳରେ ଏପରି ପରିସ୍ଥିତି ସୃଷ୍ଟି ହୋଇଥିବା ଜଣାପଡ଼ିଛି । ପ୍ରକାଶଥାଉକି, ରାଜ୍ୟ ସରକାରଙ୍କ ଗଣଶିକ୍ଷା ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଛତୁ ଫୁଟିଲା ପରି ଶିକ୍ଷାନୁଷ୍ଠାନ ଗୁଡିକୁ ଖୋଲାଯିବା ପରେ ସମୟାନୁକ୍ରମେ ପୁରାତନ ଶିକ୍ଷାନୁଷ୍ଠାନ ଗୁଡ଼ିକୁ ପ୍ରଶାସନ ଅଣଦେଖା କରିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ଜଣାପଡିଛି । ସେହିପରି ସଂସ୍କୃତ ଶିକ୍ଷାନୁଷ୍ଠାନରୁ ଧୀରେ ଧୀରେ ଛାତ୍ରଛାତ୍ରୀ ଦୂରେଇ ଯିବା ଶିକ୍ଷାନୁଷ୍ଠାନ ବନ୍ଦର ଅନ୍ୟତମ କାରଣ ଅଟେ ବୋଲି ଜଣାପଡ଼ିଛି । ତେବେ ୧୯୯୫ ମସିହା ପର୍ଯ୍ୟନ୍ତ ଉକ୍ତ ଶିକ୍ଷାନୁଷ୍ଠାନଟି ବେଶ ଚଳଞ୍ଚଳ ଥିବା ଖଣ୍ଡପଡ଼ା ସହରର ବହୁ ବୁଦ୍ଧିଜୀବୀ ଓ ପୁରୁଖା ବ୍ୟକ୍ତିବିଶେଷ ମତ ଦେଇଛନ୍ତି । ତତ୍କାଳୀନ ଖଣ୍ଡପଡ଼ା ରାଜା ରାମଚନ୍ଦ୍ର ସିଂହ ମର୍ଦ୍ଦରାଜଙ୍କ ସ୍ମୃତିରକ୍ଷା ଉଦେ୍ଦଶ୍ୟରେ ନାମିତ ଏହି ଶିକ୍ଷାନୁଷ୍ଠାନ ପ୍ରତି ଶିକ୍ଷା ବିଭାଗ ଉଚ୍ଚ କର୍ତ୍ତୃପକ୍ଷ, ଜିଲ୍ଲା ପ୍ରଶାସନ ଓ ଲୋକ ପ୍ରତିନିଧିମାନେ କେହି ହେଲେ ଦୃଷ୍ଟି ନ ଦେବାରୁ ପୁରାତନ ଶିକ୍ଷାନୁଷ୍ଠାନଟି ମାଟିରେ ମିଶିଯାଇଥିବାରୁ ସାଧାରଣରେ ଉଦ୍ବେଗ ପ୍ରକାଶ ପାଇଥିବା ବେଳେ ଜନମାନସରୁ ଉକ୍ତ ଶିକ୍ଷାନୁଷ୍ଠାନଟି ସବୁଦିନ ପାଇଁ ଦୂରେଇ ଯାଇ ଇତିହାସ ପାଲଟିଗଲା ବୋଲି ସବୁଠି ଆଲୋଚନା ହେଉଛି ।