ସିରିଜ୍ ଦୁର୍ଘଟଣା ଘଟାଇ ଫେରାର ଅଭିଯୁକ୍ତ ୬ ଦିନ ପରେ ଗିରଫ

ସିରିଜ୍ ଦୁର୍ଘଟଣା ଘଟାଇ ଫେରାର ଅଭିଯୁକ୍ତ ୬ ଦିନ ପରେ ଗିରଫ


ଭୁବନେଶ୍ୱର, ୧୭ା୬ : ରଙ୍ଗରୁଟ୍ରେ ଆସି ଡେଲଟା ଛକରେ ସିରିଜ୍ ଦୁର୍ଘଟଣା ଘଟାଇବା ସହ ଘଟଣା ସ୍ଥଳରେ କାର ଛାଡି ଫେରାର ହୋଇଯାଇଥିଲା ଅଭିଯୁକ୍ତ ଡ୍ରାଇଭର । ଫଳରେ କାର ଦୁର୍ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସୁରକ୍ଷା କର୍ମୀ ଚନ୍ଦନଙ୍କ ମୃତୁ୍ୟ ଘଟିଥିଲା । ଏନେଇ ଥାନାରେ ଅଭିଯୋଗ ପରେ ପୁଲିସ ମାମଲା ରୁଜୁକରି ଅଭିଯୁକ୍ତକୁ ଘଟଣାର ୬ ଦିନ ପରେ ଆଜି ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଲା, ନୟାପଲ୍ଲୀ ବଡ଼ସାହିର ସନ୍ତୋଷ କୁମାର ସ୍ୱାଇଁ । ଆଜି ତାକୁ ନୟାପଲ୍ଲୀ ଥାନା କେସ ନମ୍ବର ୩୪୫ ଦଫା ୨୭୯,୩୩୭,୩୩୮,୩୦୪ଏ ଆଇପିସି ଧାରାରେ କୋର୍ଟ ଚାଲାଣ କରାଯାଇଛି ।
 ସୁଚନାଯୋଗ୍ୟଯେ, ଅଭିଯୋଗକାରୀ ରଞ୍ଜନ କୁମାର ମହାପାତ୍ରଙ୍କ ଭାଇ ଚନ୍ଦନ କୁମାର ମହାପାତ୍ର ହେଉଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସୁରକ୍ଷା କର୍ମୀ ଭାବେ କାର୍ଯ୍ୟ କରୁଥିଲେ । ଗତ ୧୧ ତାରିଖ ଦିନ ଓଡ଼ିଶାର ନୂଆଁ ମୁଖ୍ୟମନ୍ତ୍ରୀ ଭାବେ ମୋହନ କୁମାର ମାଝୀଙ୍କ ନାମ ଘୋଷଣା ଖବର ପାଇଁ ଚନ୍ଦନ ଖୁସିରେ ଦିନ ୧୧ଟା ସମୟରେ ନିଜ ବାଇକ ଯୋଗେ ମୁଖ୍ୟମନ୍ତ୍ରୀଙ୍କୁ ସୁଭେଚ୍ଛା ଜଣାଥଇବାକୁ ସେ ତାଙ୍କ ଅଫିସକୁ ଯାଉଥିବା ସମୟରେ ଡେଲଟା ଛକ ନିକଟସ୍ଥ ଜଳେଶ୍ୱର ମନ୍ଦିର ପାଖରେ ରଙ୍ଗରୁଟରେ ଆସୁଥିବା ଏକ କାର ତାଙ୍କୁ ଧକ୍କା ଦେଇଥିଲା । ଯାହା ଫଳରେ ସେ ଗାଡି ସହ ତଳେ ପଡ଼ିଯାଇ ଗୁରୁତର ଆହତ ହୋଇଥିଲେ । ସେହି ସମୟରେ ସଂପୃକ୍ତ କାର ଚାଳକ ଜଣକ ତାଙ୍କୁ ଧକ୍କା ଦେବା ପରେ ପୁଣି ଅନ୍ୟ ୨ଟି ଗାଡିକୁ ଧକ୍କା ଦେଇ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲା । ସେତିକି ବେଳେ ସ୍ତାନୀୟ ଲୋକେ ଘଟଣା ସ୍ଥଳରେ ପହଞ୍ଚି ଗୁରୁତର ଅବସ୍ଥାରେ ଚନ୍ଦନଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରିଥିବା ବେଳେ, ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ । ଏନେଇ ମୃତକଙ୍କ ଭାଇ ରଞ୍ଜନ ମହାପାତ୍ର ନୟାପଲ୍ଲୀ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୁଲିସ ମାମଲା ରୁଜୁକରି ଘଟଣାର ୬ ଦିନ ପରେ ଆଜି ଫେରାର ଡ୍ରାଇଭରକୁ ଗିରଫ କରି କୋର୍ଟ ଚାଲାଣ କରିଛି ।