ବିମାନବନ୍ଦରରୁ ଯାତ୍ରୀଙ୍କ ଠାରୁ ୨ ଲକ୍ଷ ୫୦ ହଜାର ଜବତ


ଭୁବନେଶ୍ୱର, ୧୬ା୫ : ଆସନ୍ତା ନିର୍ବାଚନକୁ ଦୃଷ୍ଟିରେ ରଖି ରାଜଧାନୀରେ କମିଶନରେଟ୍ ପୁଲିସର କଡାକଡି ଚେକିଂ ଓ ବ୍ଲକିଂ । ବିଭିନ୍ନ ବସ୍ତି ଓ ସହରରେ କଳା ଟଙ୍କା ବଣ୍ଟାକୁ ନେଇ ପୁଲିସ ବିମାନବନ୍ଦର, ବସଷ୍ଟାଣ୍ଡ ଓ ବିଭିନ୍ନ କାର ଓ ବାଇକ ମାନଙ୍କୁ ଚଳାଇଛି କଡା ଚେକିଂ । ପୁରା ସହର ଉପରେ ରହିଛି ନଜର । ପଇନ୍ତରା ମାରୁଛନ୍ତି ସ୍ପେଶାଲ ଟିମ । ସେହିଭଳି ଗତକାଲି ଅପରାହ୍ନରେ ମଧ୍ୟ ଏସଏସଟି ଟିମ ଓ ଏୟାରପୋର୍ଟ ଥାନା ପୁଲିସ ମିଳିତ ସହଯୋଗରେ ବିଜୁ ପଟ୍ଟନାୟକ ବିମାନବନ୍ଦରରେ ଚେକିଂ ବେଳେ ଜଣେ ଯାତ୍ରୀଙ୍କ ଠାରୁ ୨ ଲକ୍ଷ ୫୦ ହଜାର ଟଙ୍କା ଜବତ କରାଯାଇଛି । ସେ ଟଙ୍କା କେଉଁଠାରୁ ଆଣୁଥିଲେ ଓ ସେ ଟଙ୍କା କାହାର ବୋଲି ସଠିକ କହିନପାରିବାରୁ ତାଙ୍କ ଠାରୁ ଟଙ୍କାକୁ ଜବତ କରାଯାଇଛି । ପରେ ଉକ୍ତ ଟଙ୍କା ଫେରସ୍ତ ପାଇଁ ଖୋର୍ଦ୍ଧା ସ୍ଥିତ ଡିଷ୍ଟ୍ରିକ ଗ୍ରିଭାନ୍ସ କମିଟି ନିକଟରୁ ଅନୁମତି ପତ୍ର ଆଣିଲେ ଟଙ୍କା ଫେରସ୍ତ ହେବ ବୋଲି ପୁଲିସ ସୂଚନା ଦେଇଛି ।
  ସୂଚନାଯୋଗ୍ୟଯେ, ଆସନ୍ତା ନିର୍ବାଚନକୁ ଦୃଷ୍ଟିରେ ରଖି ବୁଧବାର ଅପରାହ୍ନ ୩ଟାରେ ଏସ୍ଏସଟି ଟିମ ଓ ଏୟାରପୋର୍ଟ ଥାନା ପୁଲିସ ମିଳିତ ସହଯୋଗରେ ବିଜୁ ପଟ୍ଟନାୟକ ବିମାନବନ୍ଦରରେ ଡୁ୍ୟଟି ପ୍ରକ୍ରିୟା ଜାରି ରହିଥିଲା । ସେହି ସମୟରେ ବିମାନବନ୍ଦର ଭିତରେ ଯାତ୍ରୀ ମାନଙ୍କର ବ୍ୟାଗ୍ ସ୍କାନ ନକଟରେ ଯାଞ୍ଚ ଅଭିଯାନ ପ୍ରକ୍ରିୟା ଚାଲୁଥିବା ବେଳେ ସଚିନ ପାରୀକ ନାମକ ଜଣେ ବ୍ୟକ୍ତିଙ୍କ ଠାରୁ ମୋଟ ୨,୫୦,୦୦୦ ଟଙ୍କା ଜବତ କରାଯାଇଥିଲା । ପଚରା ଉଚରା ବେଳେ ସଂପୃକ୍ତ ବ୍ୟକ୍ତି ଜଣକ ଉକ୍ତ ଟଙ୍କା ସମ୍ପର୍କରେ ସଠିକ୍ ତଥ୍ୟ ପ୍ରଦାନ କରିବାରେ ଅସମର୍ଥ ପ୍ରକାଶ କରିଥିଲେ । ଫଳରେ ତାଙ୍କ ନିକଟରୁ ଉକ୍ତ ଟଙ୍କା ଜବତ କରାଯାଇଥିବା ବେଳେ, ଟଙ୍କା ଫେରସ୍ତ ପାଇବା ପାଇଁ ଖୋର୍ଦ୍ଧା ସ୍ଥିତ ଡିଷ୍ଟ୍ରିକ୍ ଗ୍ରିଭାନ୍ସ କମିଟି ନିକଟରୁ ତାଙ୍କୁ ଅନୁମତି ପତ୍ର ଆଣିବାକୁ ହେବ ବୋଲି ସୂଚିତ କରାଯାଇଥିଲା ।