ଦୂର ହେବ ଏଚ୍ଆଇଭି ଭୟ
୯୦ ଦଶକର ଠାରୁ ତିନି ଦଶନ୍ଧୀ ଧରି ସମସ୍ତ ବିଶ୍ୱରେ ଆତଙ୍କ ଖେଳାଇ ଦେଇଥିବା ଏଡସ୍ ଭୂତାଣୁ ଦ୍ୱାରା ଆକ୍ରାନ୍ତ ହେଲେ ଏହାର ଆରୋଗ୍ୟ ସମ୍ଭବ ବୋଲି ଏବେ ବିଭିନ୍ନ ସ୍ୱାସ୍ଥ୍ୟ ରିପୋର୍ଟ୍ରେ ପ୍ରକାଶ ପାଇଛି । ଏଡସ୍ ଭୂତାଣୁ ରକ୍ତରେ ଥିବା ଶ୍ୱେତ ରକ୍ତକଣିକାକୁ ନଷ୍ଟ କରି ଶରୀରର ରୋଗ ପ୍ରତିରୋଧକକାରୀ ଶକ୍ତିକୁ ବିଲୋପ କରିଦିଏ । ତେଣୁ ଯେ କୌଣସି ସାଧାରଣ ରୋଗଟିଏ ହେଲେ ବି ସେଥିପାଇଁ କୌଣସି ଔଷଧ କାଟୁ କରେ ନାହିଁ ଏବଂ ରୋଗୀର ମୃତୁ୍ୟ ଘଟେ । ବର୍ତ୍ତମାନ ବୈଜ୍ଞାନିକ ମାନେ ଏକ ବୈଷୟିକ କୌଶଳ ଉଦ୍ଭାବନ କରି କୋଷ ଭିତରୁ ଏଚ୍ଆଇଭି ସଂକ୍ରମଣକୁ ଦୂର କରିବା ପାଇଁ ଏକ ସମ୍ଭାବନା ସୃଷ୍ଟି କରି ସାରିଲେଣି । ଏହି ବୈଷୟିକ କୌଶଳରେ ଏକ ଜେନେଟିକ୍ କଇଁଚି ମାଧ୍ୟମରେ କୋଷ ଭିତରେ ଖରାପ ହୋଇ ଯାଇଥିବା କିମ୍ବା ନିଷ୍କ୍ରୀୟ ହୋଇଥିବା ଅଂଶକୁ ହଟାଇ ଦିଆଯାଇପାରିବ । ଏପରି ହେଲେ କେବଳ ଏଚ୍ଆଇଭି ନୁହେଁ, ଆହୁରି ଅନ୍ୟ କେତେକ ରୋଗକୁ ମଧ୍ୟ ଦୂର କରାଯାଇପାରିବ ।
ବର୍ତ୍ତମାନ ପର୍ଯ୍ୟନ୍ତ ଏଡସ୍ର କୌଣସି ସଫଳ ଚିକିତ୍ସା ପଦ୍ଧତି କିମ୍ବା ଔଷଧ ଉଦ୍ଭାବିତ ହୋଇନାହିଁ । ଏବେ ସୁଦ୍ଧା ଉଦ୍ଭାବିତ ଔଷଧରେ ଏଚ୍ଆଇଭି ଭୂତାଣୁର ଅଧିକ ସଂକ୍ରମଣ କେବଳ ରୋକା ଯାଇପାରୁଛି । ଏହାକୁ ଦୂର କରାଯାଇପାରୁନାହିଁ । ଆମଷ୍ଟର୍ଡ଼ମ୍ ବିଶ୍ୱବିଦ୍ୟାଳୟର ଗବେଷକ ଦଳ ଏକ ଚିକିତ୍ସକ ସମ୍ମିଳନୀରେ ଏମାନଙ୍କର ଏହି ଉଦ୍ଭାବନ ସମ୍ପର୍କରେ ସୂଚନା ଦେଇଥିଲେ । ବର୍ତ୍ତମାନ ଯଦିଓ ଏ ପ୍ରକାରର ପଦ୍ଧତିକୁ ସଫଳ ଭାବରେ ଶରୀରରେ ପ୍ରୟୋଗ କରିବା ପାଇଁ ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ ହୋଇ ପାରିନାହାଁନ୍ତି ତଥାପି ଏହି ପଦ୍ଧତିର ପ୍ରୟୋଗ ଦିଗରେ ପ୍ରାଥମିକ ପଦକ୍ଷେପ ସଫଳ ହୋଇଛି ବୋଲି ସେମାନେ କହିଛନ୍ତି ଏବଂ ଖୁବ୍ ଶୀଘ୍ର ଏହାର ସଫଳ ପ୍ରୟୋଗ ହୋଇପାରିବ କିମ୍ବା ଭବିଷ୍ୟତରେ ହୋଇପାରିବ । ଏହା ଉପରେ ଆହୁରି ଅଧିକ ଗବେଷଣାର ଆବଶ୍ୟକତା ରହିଛି । ବିଭିନ୍ନ ସମୟରେ ବିଭିନ୍ନ ପ୍ରତିଷ୍ଠିତ ଜୀବବିଜ୍ଞାନୀ ଏବଂ ଡ଼ାକ୍ତରମାନେ ମନୁଷ୍ୟ ଶରୀରର ଏଚ୍ଆଇଭି ଭୂତାଣୁକୁ ବାହାର କରିଦେବା ସମ୍ଭବ ବୋଲି ପ୍ରକାଶ କରିଛନ୍ତି । ଏକ ନୀରବ ଘାତକ ଭାବରେ ଏଚ୍ଆଇଭି ଭୂତାଣୁ ବିଶ୍ୱରେ ଏବେବି ଏକ ଆତଙ୍କ ହୋଇ ରହିଛି ଏବଂ ଏଚ୍ଆଇଭି ଆକ୍ରାନ୍ତ ବୋଲି ରୋଗୀ ଜାଣିବା ପରେ ଏକ ଆତଙ୍କିତ ଅବସ୍ଥାରେ ଜୀବନ ବିତାଉଛି । ଏ ସମ୍ପର୍କିତ ଅନେକ ତଥ୍ୟ ବର୍ତ୍ତମାନ ଶରୀର ବିଜ୍ଞାନୀମାନେ ଜାଣିସାରିଲେଣି । ତଥାପି ଏହାର ଔଷଧ ଉଦ୍ଭାବନ ହୋଇନଥିବାରୁ ଆକ୍ରାନ୍ତ ବ୍ୟକ୍ତିମାନଙ୍କୁ ସମ୍ପୂର୍ଣ୍ଣ ଭାବରେ ଆରୋଗ୍ୟ ଲାଭ କରାଇବା ସମ୍ଭବପର ହେଉନାହିଁ । ବର୍ତ୍ତମାନ ମଧ୍ୟ ୩୯ ମିଲିୟନ୍ ଲୋକ ସମଗ୍ର ବିଶ୍ୱରେ ଏହି ଭୟଙ୍କର ଭୂତାଣରୁ କବଳର ପଡିଛନ୍ତି । ସେମାନଙ୍କ ମନରେ ବଞ୍ଚିବାର ଆଶା ସଞ୍ଚାର କରିବା ଭଳି କେବଳ ମନସ୍ତାତ୍ତ୍ୱିକ ବ୍ୟବସ୍ଥାର ପରାମର୍ଶ ବା କାଉନସେଲିଂ ବ୍ୟବସ୍ଥା ରହିଛି । କିନ୍ତୁ ପ୍ରକୃତ ପକ୍ଷରେ ଘୁଣଖିଆ କାଠ ଭଳି ଉପରକୁ ସଳଖ ସୁନ୍ଦର ଦିଶୁଥିବା ଶରୀର ଭିତରେ ସମସ୍ତ ରୋଗ ପ୍ରତିରୋଧକ ଶକ୍ତିକୁ ଧ୍ୱଂସ କରି ଦେଉଥିବା ଏହି ଭୂତାଣୁର ସଂକ୍ରମଣ ସର୍ବପ୍ରଥମେ ବ୍ୟକ୍ତିର ଚରିତ୍ରଗତ ଦିଗଟିକୁ ଆଙ୍ଗୁଳି ଦେଖେଇବା ପାଇଁ ସୁଯୋଗଟିଏ ସୃଷ୍ଟି କରେ । ତେଣୁ ଏଥିରେ ସଂକ୍ରମିତ ହେଉଥିବା ବ୍ୟକ୍ତିଟିର ମନରେ ମୃତୁ୍ୟର ଭୟ ଯେତିକି ଗୁରୁତର ନୁହେଁ, ଚରିତ୍ରଗତ ଦିଗଟିକୁ ନେଇ ସମାଜରେ ନିନ୍ଦିତ ହେବାର ଭୟ ତାହା ଠାରୁ ଅଧିକ ରହିଥାଏ ।
ଏଡସ୍ର ଔଷଧ ବାହାରିବ ବାହାରିବ ବୋଲି ଅନେକ ବର୍ଷ ହେଲା ଶୁଣାଗଲାଣି । କିନ୍ତୁ ଏଯାଏଁ ତାହା ବାହାରିନାହିଁ । ବିଭିନ୍ନ ସମୟରେ ଜୈବ ରସାୟନର ଅଗ୍ରଗତି ଫଳରେ ଏଡସ୍ ଭୂତାଣୁକୁ ବିନାଶ କରିବା ନିମିତ୍ତ କେବେ କେବେ ନୂଆ ନୂଆ ପଦ୍ଧତିର ଆବିଷ୍କାର ହୋଇଥିବାରୁ ବହୁ ବର୍ଷରୁ ଶୁଣାଯାଉଛି । ଅତୀତରେ ଏଭଳି ପ୍ରସଙ୍ଗରେ ଅନେକ ବାର ଅନେକ ନୂଆ ନୂଆ ତଥ୍ୟା ଚିକିତ୍ସା ଜଗତକୁ ଆସୁଛି । ତେବେ ଏ ଦିଗରେ ଶୀଘ୍ର ସଫଳତା ମିଳିପାରିଲେ ସମଗ୍ର ବିଶ୍ୱର ୮ ଶହ କୋଟିରୁ ଅଧିକ ଲୋକ ଉପକୃତ ହୋଇ ପାରିବେ ।