ସୁଧୁରୁନି ବିପର୍ଯ୍ୟସ୍ତ ଟ୍ରାଫିକ ବ୍ୟବସ୍ଥା

କୋରାପୁଟ: ସୁଧୁରିବାର ନାଁ ନେଉନାହିଁ ଜୟପୁର ସହରର ବିପର୍ଯ୍ୟସ୍ତ ହୋଇ ପଡିଥିବା ଟ୍ରାଫିକ ବ୍ୟବସ୍ଥା । କ୍ରିଟ୍ ଓ ମୁ୍ୟନିସିପାଲିଟିରେ ଆବଶ୍ୟକୀୟ ଶିକ୍ଷାଗତ ଯୋଗ୍ୟତା ନଥାଉଣୁ ବର୍ଷବର୍ଷ ଧରି ଆଡ୍ଡା ଜମାଇ ରହିଥିବା କିଛି ଅନଭିଜ୍ଞ ଓ ଦୂରଦୃଷ୍ଟି ଅଭାବ କର୍ମଚାରୀଙ୍କ ତୃଟିପୂର୍ଣ୍ଣ ଗୃହ ନିର୍ମାଣ ପ୍ଲାନ୍ ମଞ୍ଜୁରୀରେ ପ୍ରଚ୍ଛନ୍ନ ହାତ ଯୋଗୁଁ ସହରର ମୁଖ୍ୟ ରାସ୍ତା କୁହାଯାଉଥିବା ସର୍ଦ୍ଦାର ପଟେଲ ମାର୍ଗର ଟ୍ରାଫିକ ଅବ୍ୟବସ୍ଥାକୁ ସୁଧାରିବାରେ ପୁଲିସକୁ ନାକେଦମ ହେବାକୁ ପଡୁଛି  । ଉପଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ସମ୍ମୁଖରୁ ସିଜେଏମଙ୍କ ସରକାରୀ ବାସଭବନ, ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ସମ୍ମୁଖ, ଭାରତୀୟ ଷ୍ଟେଟ ବ୍ୟାଙ୍କ ବଜାର ଶାଖା, ଓ୍ବେଲକମ୍ ଛକ, ପୁରୁଣା  ବମ୍ବେ ଷ୍ଟୋର ସମ୍ମୁଖ, ପାରାବେଡା ଟ୍ରାଫିକ ଛକରୁ ଖାଲି ସାହି ଛକଯାଏ ବିପର୍ଯ୍ୟସ୍ତ ଟ୍ରାଫିକ ବ୍ୟବସ୍ଥା ସାଙ୍ଗକୁ ରେଭେନୁ୍ୟ ଗେଷ୍ଟ ହାଉସ ସମ୍ମୁଖର ଅଣ୍ଡର ଗ୍ରାଉଣ୍ଡ  ପାର୍କିଂକୁ ଭଡ଼ାରେ ଦେବା ଭଳି ଅନିୟମିତତା ବିରୁଦ୍ଧ? ଦୃଢ଼ କାର୍ଯ୍ୟାନୁଷ୍ଠାନ ନନେବା ମୁ୍ୟନିସିପାଲିଟିର କାମକାର୍ଯ୍ୟକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏସବୁ ପ୍ରକ୍ରିୟା ପ୍ରାୟ ଏବେକାର ହୋଇନଥିଲେ ମଧ୍ୟ ଟ୍ରାଫିକରେ ସୁଧାର ସକାଶେ ଉଚ୍ଛେଦ ଜରୁରୀ ହୋଇପଡ଼ିଛି  । ଏମ୍ ଜି ରୋଡରୁ ଜବରଦଖଲ ହଟାଇବାପରେ ମୂଖ୍ୟ ଟ୍ରାଫିକ ଛକରୁ ମହିଳା ମହାବିଦ୍ୟାଳୟ ଯାଏ ବସ ସବୁର ବେଆଇନ ରହଣି ଓ ଯାତ୍ରୀ ଉଠାଇବା ଅଭ୍ୟାସରୁ ନିବୃତ୍ତ କରାଇବା ଉଦେ୍ଦଶ୍ୟରେ ଆବଶ୍ୟକୀୟ ସ୍ଥଳେ ଜୋରିମାନା ଦଣ୍ଡରେ ଦଣ୍ଡିତ କରାଗଲା  । ବସ୍ ରହୁନି କିନ୍ତୁ ସନ୍ଧ୍ୟାରୁ ରାତି ୧୦ ଯାଏ ବସ୍ ରହୁଥିବା ଜାଗାରେ ବିଭିନ୍ନ କିସମର ଉଠା ଦୋକାନ ପସରା ଓ ସେସବୁରେ  ଗୋରାଖଙ୍କ ଭିଡ଼ହେତୁ ଦିନକୁଦିନ ଭିଡ଼ ଅଣାୟତ୍ତ ହେବାରେ ଲାଗିଛି  । ହାତ ପାହୁନ୍ତା ରାସ୍ତା କଡ଼ରେ ଖାଦ୍ୟ ପସରା ଦେଖି ଯାତ୍ରୀ ମଧ୍ୟ ବସରୁ ଓହ୍ଲାଇବାକୁ ଜିଦ୍ କରୁଥିବା ଦେଖିବାକୁ ମିଳୁଛି । ପୁଲିସ୍ ଜିପ୍ ପଇନ୍ତରା ମାରୁଛି କିନ୍ତୁ ଥାନାର ୩୦ ମିଟର ବ୍ୟବଧାନରୁ ଏ ଅବ୍ୟବସ୍ଥାକୁ ସୁଧାରିବା ପ୍ରୟାସ ହୋଇ ପାରୁନଥିବାବେଳେ ଏନକେଟି ରୋଡ଼, ତାରିଣୀ ଛକର ବିପର୍ଯ୍ୟସ୍ତ ଟ୍ରାଫିକ ସମସ୍ୟା ସମେତ ସହରର ମୁଖ୍ୟ ରାସ୍ତା ଓ ଶ୍ରୀ ଜଗନ୍ନାଥ ମନ୍ଦିର ରାସ୍ତାରେ କିଛି ନିର୍ଦ୍ଦିଷ୍ଟ ମେଡିକାଲ ଷ୍ଟୋରରେ କିଛି ଡାକ୍ତରଙ୍କ ରୋଗୀ ଦେଖା ବ୍ୟବସାୟ ହେତୁ ଯାନବାହାନର ରାସ୍ତା ଅବରୋଧ ପ୍ରତି ପୁଲିସର ଢିଲା ମନୋଭାବ ସହରରେ ଚର୍ଚ୍ଚାର ବିଷୟ ପାଲଟିଛି । ପୁଲିସ୍ ପକ୍ଷପାତିତା ନକରି କଠୋର ନ ହେବାଯାଏ ଜୟପୁର ସହରର ବିପର୍ଯ୍ୟସ୍ତ ଟ୍ରାଫିକ ବ୍ୟବସ୍ଥାରେ ସୁଧାରର ଆଶା କ୍ଷୀଣ ବୋଲି ପଥଚାରୀ ଓ ବୁଦ୍ଧିଜୀବି ମହଲରେ ଆଲୋଚନା ହେଉଛି ।