ସୁଭଦ୍ରା ଭଉଣୀଙ୍କ ପାଇଁ ଗାଁ ଅର୍ଥନୀତି ସୁଦୃଢ ହେଉଛି: ପ୍ରଭାତୀ
ଭୁବନେଶ୍ୱର : ମହିଳା ଓ ଶିଶୁ ବିକାଶ ବିଭାଗ ଆନୁକୂଲ୍ୟରେ ବିଭାଗୀୟ ସମ୍ମିଳନୀ କକ୍ଷରେ (ସୁଭଦ୍ରା ହିତାଧିକାରୀ)ସୁଭଦ୍ରା ଭଉଣୀମାନଙ୍କ ସହ ବାର୍ତ୍ତାଳାପ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ସମସ୍ତ ଜିଲ୍ଲାର ସୁଭଦ୍ରା ଭଉଣୀମାନଙ୍କ ସହ ଆଭାସୀ ମାଧ୍ୟମରେ କଥା ହୋଇ ସୁଭଦ୍ରା ସହାୟତାର ବ୍ୟବହାର ସମ୍ବନ୍ଧରେ ଆଲୋଚନା କରିଥିଲେ । ସୁଭଦ୍ରା ଭଉଣୀମାନଙ୍କ ପାଇଁ ଗାଁ ଅର୍ଥନୀତି ଓ ଗାଁ ରେ ଡିଜିଟାଲାଇଜେସନ ସୁଦୃଢ ହୋଇପାରୁଛି ବୋଲି ଶ୍ରୀମତୀ ପରିଡା ମତ ବ୍ୟକ୍ତ କରିଥିଲେ । ଓଡିଶାର ମହିଳାମାନେ ପରସ୍ପରକୁ ସାହାଯ୍ୟ କରି ଏକ ଶୃଙ୍ଖଳ ମାଧ୍ୟମରେ ଉନ୍ନତି ପଥରେ ଅଗ୍ରସର ହେବାକୁ ପରାମର୍ଶ ଦେଇଛନ୍ତି । ମହିଳାମାନଙ୍କ ଆର୍ଥିକ ସ୍ୱାବଲମ୍ବୀ କରିବା ସୁଭଦ୍ରା ଯୋଜନାର ମୂଳ ଲକ୍ଷ୍ୟ ଥିଲା । ଆଜି ମହିଳାମାନେ ନିଜ ସ୍ୱପ୍ନ ପୂରଣ କରିବାର ସୁଯୋଗ ପାଉଛନ୍ତି । ଯୋଜନାକୁ ଆହୁରି ଫଳପ୍ରଦ କରିବା ପାଇଁ ମହିଳା ଓ ଶିଶୁ ବିକାଶ ବିଭାଗକୁ ଅବା ଉପ-ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ସୁଭଦ୍ରା ହିତାଧିକାରୀମାନେ ତାଙ୍କର ସୁଚିନ୍ତିତ ପରାମର୍ଶ ପ୍ରଦାନ କରିପାରିବେ ବୋଲି ଶ୍ରୀମତୀ ପରିଡା ଆହ୍ୱାନ ଦେଇଛନ୍ତି ।
କାର୍ଯ୍ୟକ୍ରମରେ ଆଭାଷୀ ମାଧ୍ୟମରେ ସମସ୍ତ ଜିଲ୍ଲାର ସଫଳ ସୁଭଦ୍ରା ହିତାଧିକାରୀଙ୍କ ସହ କଥା ହୋଇ ସେମାନଙ୍କ ଉଦ୍ୟମିତା କାହାଣୀ ବିଷୟରେ ଆଲୋଚନା କରିଥିଲେ । ମାଲକାନଗିରି ଜିଲ୍ଲାର ମେରି ହରିଜନ ସୁଭଦ୍ରା ସହାୟତାକୁ ବ୍ୟବହାର କରି ସିଲେଇ କାର୍ଯ୍ୟ କରୁଥିବା ବେଳେ ବାଲେଶ୍ୱରର ସରସ୍ୱତୀ ଜେନା ତାଙ୍କ ବିଉଟି ପାରଲରକୁ ଆଗକୁ ବଢେଇ ପାରିଛନ୍ତି । ଖୋର୍ଦ୍ଧା ଜିଲ୍ଲାର ମମତା ପଟ୍ଟନାୟକ ଚାନ୍ଦୁଆ କାର୍ଯ୍ୟ ଆରମ୍ଭ କରୁଥିବା ବେଳେ ବଲାଙ୍ଗୀରର ପ୍ରମିଳା ତାଣ୍ଡି ଶାଢି ବୁଣା କାର୍ଯ୍ୟକ୍ରମ କରୁଛନ୍ତି । କିଏ ଛତୁ ଚାଷ କରିପାରୁଛି ତ କିଏ ଛୋଟ ଟିଫିନ ଦୋକାନ କରି ନିଜ ଗୁଜୁରାଣ ମେଣ୍ଟାଉଛନ୍ତି ।ଏହିପରି ଭାବେ ଜିଲ୍ଲାର ସୁଭଦ୍ରା ହିତାଧିକାରୀମାନେ ନିଜ ନିଜର ଉଦ୍ୟମିତା କାହାଣୀ ବଖାଣିଥିଲେ ।
ଏହି କାର୍ଯ୍ୟକ୍ରମରେ ମହିଳା ଓ ଶିଶୁ ବିକାଶ ବିଭାଗ ପ୍ରମୁଖ ଶାସନ ସଚିବ ଶୁଭା ଶର୍ମା, ବିଭାଗୀୟ ନିଦେ୍ର୍ଦଶିକା ମୋନିଷା ବାନାର୍ଜୀ ଓ ବରିଷ୍ଠ ଅଧିକାରୀବୃନ୍ଦ ଉପସ୍ଥିତ ଥିଲେ ।