ଲିଙ୍ଗରାଜ ମନ୍ଦିରରେ ଅଣହିନ୍ଦୁ ପ୍ରବେଶ

ଭୁବନେଶ୍ବର : ଲିଙ୍ଗରାଜ ମନ୍ଦିରରରେ ଜଣେ ଅଣହିନ୍ଦୁଙ୍କ ପ୍ରବେଶ । ମଧ୍ୟାହ୍ନ ସାଢ଼େ ୧୨ଟା ସମୟରେ ମନ୍ଦିର ସିଂହଦ୍ୱାର ଦେଇ ଜଣେ ଅଣହିନ୍ଦୁ ମନ୍ଦିର ଭିତରକୁ ପଶିଯାଇଥିବା ସୂଚନା ମିଳିଛି । ଯୁବକ ଜଣକ ରୋମାନିଆର ନାଗରିକ ବୋଲି ଜଣାପଡିଛି । ଖବର ପାଇ ଲିଙ୍ଗରାଜ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କୁ ପଚରାଉଚରା ପରେ ଛାଡ଼ି ଦେଇଛି । ଅନ୍ୟପକ୍ଷେ ମନ୍ଦିର ସୁରକ୍ଷାକୁ ନେଇ ପୁଣି ସ୍ଥାନୀୟ ଲୋକେ ପ୍ରଶ୍ନ ଉଠାଇବା ସହ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।
ସୂଚନା ଯୋଗ୍ୟ, ସୋମବାର ଅପରାହ୍ନ ୫ଟା ୧୫ରୁ ୫ଟା ୩୦ ପର୍ଯ୍ୟନ୍ତ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମନ୍ଦିର ଉପରେ ଡ୍ରୋନ ଉଡ଼ିଥିଲା । ଡ୍ରୋନ ଉଡ଼ିବା ନେଇ କଟକଣା ସତ୍ତ୍ବେ ମଧ୍ୟ ଡ୍ରୋନ ଉଡିଥିଲା । ଏହା ଦେଖିବା ପରେ ମନ୍ଦିର ସେବାୟତ ପୁଲିସକୁ ଅବଗତ କରାଇଥିଲେ । ତେବେ ଏହି ଡ୍ରୋନ କିଏ କାହିଁକି ଉଡ଼ାଇଛନ୍ତି ତାହାକୁ ନେଇ ପ୍ରଶ୍ନ ଉଠିଥିଲା । ବର୍ତ୍ତମାନ ମନ୍ଦିରରେ ଜଣେ ଅଣହିନ୍ଦୁ ପ୍ରବେଶ କରିବା ଘଟଣାକୁ ନେଇ ସ୍ଥାନୀୟ ଲୋକେ ଚିନ୍ତାପ୍ରକଟ କରିଛନ୍ତି ।