ସୁରକ୍ଷା ପଥ ଦେଇ ଚାଲଣ ହେଉଛି ସାର

କୋକସରା: ପଥ ନୁହେଁ କି ରାଜପଥ ନୁହେଁ ସୁରକ୍ଷାପଥ ଦେଇ ଦିନ ରାତି ନବରଙ୍ଗପୁରକୁ ଚୋରା ଚାଲାଣ ହେଉଛି କ୍ୱିଣ୍ଟାଲ କ୍ୱିଣ୍ଟାଲ ୟୁରିଆ ସାର । କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ୍ର ଗୋତମରୁ ନବରଙ୍ଗପୁର ଜିଲ୍ଲାର ଦାହିମାଲକୁ ସଂଯୋଗ କରୁଥିବା ରାସ୍ତା ପାଲଟିଛି କଳାବଜାରୀର ମାଧ୍ୟମ । 
ଗୋତମୁଣ୍ଡା-ଦାହିମାଲ ରାସ୍ତା ଦେଇ ଅନେକ ଅସାଧୁ ବ୍ୟବସାୟୀ, ବଙ୍ଗୀୟ, ବିହାରୀମାନେ କଳାହାଣ୍ଡି ଜିଲ୍ଲାର ବେହେରା ଗ୍ରାମର ଜଣେ ନିର୍ଦ୍ଧିଷ୍ଟ ସାର ବ୍ୟବସାୟୀଙ୍କ ଠାରୁ ବିପୁଳ ପରିମାଣରେ ଟ୍ରାକ୍ଟର, ମିନି ଟ୍ରକ, ପିକ୍ଅପ ଯୋଗେ ନବରଙ୍ଗପୁର ଜିଲ୍ଲାର ବିଭିନ୍ନ ଅଞ୍ଚଳକୁ ସାର ଚୋରା ଚାଲାଣ ହେଉଥିବା ଦେଖିବାକୁ ମିଳୁଛି । ନବରଙ୍ଗପୁର ଜିଲ୍ଲାର ଦାହିମାଲ ପଡୋଶୀ କଳାହାଣ୍ଡି ଜିଲ୍ଲାର ସହାଜଖୋଲ ସଂରକ୍ଷିତ ଜଙ୍ଗଲ ସୀମାରେ ରହିଥିବା ବେଳେ, ଏବେ ଦୁଇ ଜିଲ୍ଲା ମଧ୍ୟରେ ଜୋଡ଼ିବା ପାଇଁ ନୂତନ ରାସ୍ତାର ନିର୍ମାଣ କାର୍ଯ୍ୟ ଜାରି ରହିଛି । ବର୍ଷା ଆରମ୍ଭ ହେବା ମାତ୍ରେ ଖରିଫ ଚାଷ ଆରମ୍ଭ ହେବ । ଏବେଠୁ ମକା ଚାଷ ପାଇଁ କ୍ଷେତ ପ୍ରସ୍ତୁତି କରି ସାରିଲେଣି ଚାଷୀ । ନବରଙ୍ଗପୁର ଜିଲ୍ଲାର ସୀମାନ୍ତବର୍ତ୍ତୀ ଗ୍ରାମରେ ବଙ୍ଗୀୟ, ବିହାରୀମାନେ ନିଜର ପଟୁଆର ଜମାଇ ଅଞ୍ଚଳର ଲୋକଙ୍କୁ ଭୂତେଇ ବିଭିନ୍ନ ସାର, ମକା ବିହନ, ପଇସା ଲଗାଣି ଦେଇ ନିରୀହ ଲୋକଙ୍କ ଠାରୁ ଦ୍ୱିଗୁଣା ଟଙ୍କା ଲୁଟୁଛନ୍ତି । ଖରିଫ ମକା ଚାଷ ପାଇଁ  ବିଶେଷ ଭାବେ ୟୁରିଆ ସାର ଦରକାର ପଡୁଥିବା ବେଳେ, କଳାହାଣ୍ଡି ବେହେରାରୁ ଜଣେ ଲାଇସେନ୍ସ ସାର ବ୍ୟବସାୟୀଙ୍କ ଠାରୁ କମ୍ ଦରରେ ନବରଙ୍ଗପୁର ଅଞ୍ଚଳର ଚଚା, ଝରିଗାଁକୁ ଚାଲାଣ ହେଉିଛି । ଅଞ୍ଚଳର ବ୍ୟବସାୟୀ, ବଙ୍ଗୀୟ, ବିହାରୀମାନେ ଗୋଦାମରେ ଗଚ୍ଛିତ ରହିବା ସହ ଲଗାଣିରେ ଚାଷୀଙ୍କୁ ସାର ଘର ଘର ଯୋଗାଇ ଦେଉଛନ୍ତି । କଳାହାଣ୍ଡିରୁ ଦିନ ରାତି ଟ୍ରିପ ଟ୍ରିପ ସାର ଚାଲାଣ ହେଉଛି । ସ୍ଥାନୀୟ ଫାଣ୍ଡି ପୁଲିସ ଅଧିକାରୀ ଓ କୃଷି ବିଭାଗ ପାଖରେ ଖବର ଥାଇ ମଧ୍ୟ ପଦକ୍ଷେପ ନେଉ ନ ଥିବା ଏବଂ ସାର ଚାଲାଣ ପଛରେ ବେପାରୀଙ୍କ ସହ ସଲାସୁତୁରା ରହିଛି । ପ୍ରତିବର୍ଷ କଳାହାଣ୍ଡି ଜିଲ୍ଲାରେ ଖରିଫ ଚାଷ ସମୟରେ ୟୁରିଆ ସାର ଅଭାବ ଦେଖା ଦେଇଥାଏ । ଏଥିପାଇଁ ଚାଷୀମାନେ ହଇରାଣ ହେବା ସହ ଚଢ଼ା ଦରରେ କି’ଣି ଥାଆନ୍ତି । ଯଦି ଏହି ଭଳି ଦିନରାତି ଅନ୍ୟ ଜିଲ୍ଲାକୁ ସାର ଚାଲାଣ ହେବ ତେବେ ସ୍ଥାନୀୟ ଅଞ୍ଚଳରେ ୟୁରିଆ ସାରର ସଙ୍କଟ ଦେଖା ଦେବ । ତେଣୁ କଳାହାଣ୍ଡି ପ୍ରଶାସନ ପକ୍ଷରୁ ବେଳ ଥାଉ ଥାଉ ତତ୍ପରତା ଦେଖାଇ ଚୋରା ଚାଲାଣ ଉପରେ ରୋକ ଲଗେଇବା ସହ ସମ୍ପୃକ୍ତ ବ୍ୟବସାୟଙ୍କ ଉପରେ ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଲାଇସେନ୍ସ ରବ୍ଦ କରିବାକୁ ଚାଷୀ ମହଲରେ ଦାବି ହୋଇଛି ।