ସାଢେ ୪ଲକ୍ଷ ହିତାଧିକାରୀଙ୍କୁ ମିଳିଲା ସୁଭଦ୍ରା ତୃତୀୟ କିସ୍ତି
ଯାଜପୁର: ଶନିବାର ଯାଜପୁର ଜିଲାର ୪,୬୨,୭୫୧ ହିତାଧିକାରୀଙ୍କୁ ସୁଭଦ୍ରା ତୃତୀୟ କିସ୍ତି ଟଙ୍କା ମିଳିଛି । ରାକ୍ଷୀ ପୂର୍ଣିମା ଅବସରରେ କୋରାପୁଟ ଜିଲାର ଜୟପୁର ଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୩ୟ କିସ୍ତି ସୁଭଦ୍ରା ସହାୟତା ପ୍ରଦାନର ଶୁଭାରମ୍ଭ କରିବା ଅବସରରେ ଯାଜପୁର ଜିଲାର ଗୌତମ ବୁଦ୍ଧ ସଂସ୍କୃତି ଭବନ ଠାରେ ଆୟୋଜିତ ସିଧାପ୍ରସାରଣ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଲୋକସଭା ସାଂସଦ ଡ.ରବୀନ୍ଦ୍ର ନାରାୟଣ ବେହେରା ସମସ୍ତଙ୍କୁ ବଳଭଦ୍ର ଜନ୍ମ ତଥା ରାକ୍ଷୀ ପୁର୍ଣିମା ଓ ସୁଭଦ୍ରା ଯୋଜନା ତୃତୀୟ କିସ୍ତି ପ୍ରଦାନର ଶୁଭେଚ୍ଛା ଜଣାଇଥିଲେ । ଆୟୋଜିତ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ଅମ୍ବର କୁମାର କର କହିଲେ ଅଳ୍ପ ଦିନ ହେବ ଜିଲାପାଳ ଭାବେ ଯୋଗ ଦେଇଛି । ମା’ବିରଜାଙ୍କ ଆଶୀର୍ବାଦରେ ସମସ୍ତଙ୍କ ପାଖରେ ପହଁଚିବି । ସୁଭଦ୍ରା ଯୋଜନାରେ ମହିଳା ମାନଙ୍କୁ ପ୍ରୋତ୍ସାହନ ରାଶି ଯୋଗାଇ ଦିଆଯାଉଛି । ଏହାର ସଦବିନିଯୋଗରେ ଆପଣ ନିଜ ପାଇଁ ନିଜ ପରିବାର ପାଇଁ କିଛି କରିପାରିବେ । ଜିଲା ସମାଜ ମଙ୍ଗଳ ଅଧିକାରିଣୀ ପାର୍ବତୀ ସାହୁ ସ୍ୱାଗତ ଭାଷଣ ଅତିଥି ପରିଚୟ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମରେ ଜିଲାର ୩ଜଣ ସୁଭଦ୍ରା ହିତାଧିକାରୀ ବାସନ୍ତୀ ପଣ୍ଡା, ଅନୁପମା ରଣା ଓ ପ୍ରଜ୍ଞାନଲତା ସ୍ୱାଇଁ ସେମାନଙ୍କର ସଫଳ କାହାଣୀ ବର୍ଣ୍ଣନା କରିଥିଲେ । ବିଦ୍ୟାଳୟ ସ୍ତରୀୟ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ଅତିଥି ପୁରସ୍କୃତ କରିଥିଲେ । କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲାପାଳ ଯୁଧିଷ୍ଠିର ନାୟକ,ଯାଜପୁର ବିଡିଓ ହେମନ୍ତ କୁମାର ମହନ୍ତ, ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କାମିନୀ ରଞ୍ଜନ ପଟ୍ଟନାୟକ, ସମାଜ ମଙ୍ଗଳ କାର୍ଯ୍ୟାଳୟର ଅଧିକାରୀ ଓ କର୍ମଚାରୀ, ବୁଦ୍ଧିଜୀବୀ, ଏସଏଚଜି ମହିଳା, ଅଙ୍ଗନବାଡ଼ି କର୍ମୀଉପସ୍ଥିତ ଥିଲେ ।