୮ମାସ ହେଲା ସିଡିପିଓ ନାହାନ୍ତି : କୋରେଇରେ ସେବା ବିପର୍ଯ୍ୟସ୍ତ
ଯାଜପୁର : ଶୈଶବ ବିକାଶ ପାଇଁ ସରକାର ବାର୍ଷିକ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ଗର୍ଭବତୀ, ପ୍ରସୂତି, ଶିଶୁଙ୍କୁ ପୃଷ୍ଟିକର ଖାଦ୍ୟ ଯୋଗାଇ ଦେବା ଠାରୁ ଆରମ୍ଭ କରି ଶୈଶବଙ୍କୁ ପାଠ୍ୟା ଅଭିମୁଖି କରିବା ଦାୟୀତ୍ୱ ସଂପାଦନ କରୁଥିବା ଅଙ୍ଗନୱାର୍ଡ଼ି କର୍ମୀ ଏବଂ ସୁପରଭାଇଜରଙ୍କ କାର୍ଯ୍ୟ ତଦାରକ ଦାୟୀତ୍ୱ ମୁଖ୍ୟତ ସିଡ଼ିପିଓ ବା ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀଙ୍କ ଉପରେ ନ୍ୟସ୍ତ ରହିଛି । ଶହଶହ ସଂଖ୍ୟାର ଅଙ୍ଗନୱାଡ଼ି କେନ୍ଦ୍ର ସୁଚାରୁ ପରିଚାଳନା ଭାର ବ୍ଲକ ସିଡ଼ିପିଓଙ୍କ ଉପରେ ନ୍ୟସ୍ତ କରାଯାଉଥିବା ବେଳେ କୋରେଇ ବ୍ଲକରେ କିନ୍ତୁ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି । ମାସେ ପନ୍ଦରଦିନ ନୁହେଁ ଦୀର୍ଘ ୮ମାସ ହେଲା କୋରେଇ ବ୍ଲକ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ପଦ ଖାଲି ପଡ଼ିଛି । ବିନା ସିଡ଼ିପିଓରେ ଶୈଶବ ବିକାଶ ଠାରୁ ଆରମ୍ଭ କରି ଗର୍ଭବତୀ, ପ୍ରସୂତି, ଶିଶୁଙ୍କୁ ପୃଷ୍ଟିକର ଖାଦ୍ୟ ଯୋଗାଣ ହେଉଥିବା କଥା ଧରି ନେଇ ପ୍ରଶାସନ ଚୁପ ବସିଥିଲେ ହେଁ ସେବା କିନ୍ତୁ ବିପର୍ଯ୍ୟସ୍ତ ହୋଇପଡ଼ିଥିବାର ଅଭିଯୋଗ ହେଉଛି । କୋରେଇ ବ୍ଲକ କାର୍ଯ୍ୟାଳୟକୁ ଲାଗି କାର୍ଯ୍ୟ କରୁଥିବା ଉକ୍ତ କାର୍ଯ୍ୟାଳୟକୁ କେହି କୈାଣସି କାର୍ଯ୍ୟ ପାଇଁ ଗଲେ ତାଙ୍କୁ ନିରାଶ ହୋଇ ଫେରିବାକୁ ପଡ଼ୁଛି । ସରକାରୀ ଗାଇଡ଼ ଲାଇନ ଅନୁଯାୟୀ ଗର୍ଭବତୀ, ପ୍ରସୂତି, ଶିଶୁ ମାନଙ୍କୁ ସପ୍ତାହରେ ୪ଦିନ କେନ୍ଦ୍ରକୁ ଆସି ସିଝା ଅଣ୍ଡା ନେବାର ବ୍ୟବସ୍ଥା ରହିଛି । କିନ୍ତୁ ଅଙ୍ଗନୱାଡ଼ି କର୍ମୀ ଏକାଥରେ ମାସକ ପାଇଁ ୧୨ଟି ଅଣ୍ଡା ପରିବର୍ତେ ୧୦ଟି ଦେଉଛନ୍ତି । ବେଳେ ବେଳେ ଦେଖାଯାଉଛି, ଗୋଟିଏ ପରିବାରର ୫ଜଣ ହିତାଧିକାରୀ ଏକ କାଳୀନ ୬୦ ଅଣ୍ଡା ନେଇଯାଉଛନ୍ତି । ଏହାଦ୍ୱାରା କେହି ଅଣ୍ଡା ବିକ୍ରି କରିଦେଉଛନ୍ତିତ କେହି ଏକାଧିକ ଅଣ୍ଡା ଖାଇ ସ୍ୱାସ୍ଥ୍ୟ ହାନିରେ ପଡ଼ୁଛି । ସେକ୍ଟର ଦାୟୀତ୍ୱରେ ଥିବା ସୁପରଭାଇଜର ମାନେ କେନ୍ଦ୍ରକୁ ନିୟମିତ ତଦାରକ ପାଇଁ ନଯିବା ଫଳରେ ଏପରି ଘଟୁଥିବାର ଅଭିଯୋଗ ହେଉଛି । ମୁଖ୍ୟତ ଅଙ୍ଗନୱାଡ଼ି କେନ୍ଦ୍ର ଗୁଡ଼ିକୁ ଖାଦ୍ୟ ଯୋଗାଣ ସୂଚାରୁ ରୂପେ ହେଉଛି କି ନାହିଁ, ତ୍ରୁଣମୂଳରୁ ଏକ ଯାଂଚ କମିଟି ଗଠନ ସେକ୍ଟର ସୁପରଭାଇଜର ମାନେ ଯାଇ ଗାଁରେ କରିବାର ନିୟମ ରହିଛି । କିନ୍ତୁ ସେମାନେ ନଯାଇ ଅଙ୍ଗନବାଡ଼ି କର୍ମୀଙ୍କୁ କମିଟି ଗଠନ କରିବାକୁ ନିଦେ୍ର୍ଦଶ ଦେଇଥିଲେ ମଧ୍ୟ ବହୁ ସ୍ଥାନରେ କମିଟି ଗଠନ ହୋଇପାରୁନି । ଏହା ଫଳରେ ଅଙ୍ଗନୱାର୍ଡ଼ି କର୍ମୀଙ୍କ ଦୁର୍ନୀତି ବଢିବାରେ ଲାଗିଛି । ପ୍ରାକ ବିଦ୍ୟାଳୟରେ ସକାଳ ଜଳଖିଆ କୈାଣସି ଅଙ୍ଗନୱାଡ଼ି କର୍ମୀ ଗାଇଡ଼ ଲାଇନ ଅନୁଯାୟୀ ନଦେଇ ବିସ୍କୁଟ, ମୁଢି ଲଢୁରେ କାମ ଚଳାଉଥିବା ଅଭିଯୋଗ ହେଉଛି । କେନ୍ଦ୍ରରେ ପଂଜିକୃତ ହେଉଥିବା ଶିଶୁ ମାନେ ଯେତିକି ଆସିବା କଥା ନଆସୁଥିଲେ ମଧ୍ୟ ଉପସ୍ଥାନ ଦର୍ଶାଇ ଟଙ୍କା ହଡ଼ପ କରାଯାଉଛି । ସୁପରଭାଇଜର ମାନେ କେନ୍ଦ୍ରକୁ ଯାଉଛନ୍ତି କି ନାହିଁଁ, ତାହାର ପ୍ରମାଣ ସ୍ୱରୂପ ଦସ୍ତାବିଜ ମଗାଯାଉଥିଲେ ମଧ୍ୟ ସୂୂଚନା ଅଧିକାର କର୍ମୀଙ୍କୁ ଦିଆଯାଉନି । ସିଡ଼ିପିଓଙ୍କ ଅନୁପସ୍ଥିତି କାରଣରୁ ବିଭିନ୍ନ ପ୍ରକାର ଅବ୍ୟବସ୍ଥା ଭିତରେ କାର୍ଯ୍ୟାଳୟ ଠାରୁ ଆରମ୍ଭ କରି କେନ୍ଦ୍ରର ସେବା ଚାଲୁଥିବା ଅଭିଯୋଗ ହେଉଛି । ସବୁ ଠାରୁ ଆଶ୍ଚର୍ଯ୍ୟ କଥା ଅଧିକାରୀ ନଥିବା କାରଣରୁ କାର୍ଯ୍ୟାଳୟ କର୍ମଚାରୀ କାର୍ଯ୍ୟ ଢିଲା କରି ଚାଲିଛନ୍ତି । ଏଭଳି ଅଭିଯୋଗ ସୂଚନା ଅଧିକାର କର୍ମୀ ନାରାୟଣ କୁମାର ରାଉତରାୟ କରିଛନ୍ତି । ତାଙ୍କ ଅଭିଯୋଗ ମତେ ସିଡ଼ିପିଓ କାର୍ଯ୍ୟାଳୟ ଚିଠି ନଂ ୬୨୨ ତା ୧୦ା୭ା୧୭ ଅନୁଯାୟୀ ଅଙ୍ଗନୱାଡ଼ି କେନ୍ଦ୍ରକୁ ସୁପରଭାଇଜର ମାନେ ନିୟମିତ ପରିଦର୍ଶନ କରି ଅଙ୍ଗନୱାଡ଼ି କର୍ମୀ ସରକାରଙ୍କ ଗାଇଡ଼ ଲାଇନ ଅନୁଯାୟୀ କାର୍ଯ୍ୟ କରୁଛନ୍ତି କି ନାହିଁ, କେନ୍ଦ୍ରକୁ କେତେ ପିଲା ଆସୁଛନ୍ତି ତାହାର ସବିଶେଷ ତଥ୍ୟ ତା୧୬ା୧୨ା୨୪ରେ ମାଗିଥିଲେ । କିନ୍ତୁ ୭ମାସ ପରେ ବି ସୂଚନାକର୍ମୀଙ୍କୁ ଉକ୍ତ ତଥ୍ୟ ସିଡ଼ିପିଓ କାର୍ଯ୍ୟାଳୟ ପିଆଇଓ ପ୍ରଦାନ କରିବାକୁ ସକ୍ଷମ ହୋଇନାହାନ୍ତି । ତେବେ ପ୍ରଶ୍ନ ଉଠୁଛି, ୨ଶହରୁ ଅଙ୍ଗନୱାଡ଼ି ସଂଚାଳନ କରୁଥିବା କୋରେଇ ସିଡ଼ିପିଓ କାର୍ଯ୍ୟାଳୟ ଅଧିକାରୀ ପଦ ପୂରଣ କରିବାରେ ସରକାର କାଳକ୍ଷେପଣ ନୀତି ଅବଲମ୍ବନ କରୁଛନ୍ତି କାହିଁକି? ।