ସମସ୍ୟା ଘେରରେ ଗୋପ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର : ପାଚେରୀ ଭାଙ୍ଗି ୯ ମାସ ହେଲାଣି, ହୋଇପାରୁନି ମରାମତି

ଗୋପ: ଗୋପ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରଟି ବାହୁପୁରାତନ ସତ କିନ୍ତୁ ଅଧିକାଂଶ ସମୟ କିଛି ନା କିଛି କାର୍ଯ୍ୟ ପାଇଁ ଚର୍ଚ୍ଚାରେ ରହିଥାଏ । ଯଥା ସୁରକ୍ଷା କର୍ମୀଙ୍କ ଦ୍ୱାରା କାନ୍ଥରେ ରଙ୍ଗ ବୋଳିବା ହେଉ କି ସୁରକ୍ଷା କର୍ମୀଙ୍କ ଅବହେଳା ହେତୁ ଆମ୍ବୁଲାନ୍ସ ଗେଟ୍ରେ ପ୍ରବେଶ ନ କରିବା, ବର୍ଷା ଦିନେ ମେଡିକାଲ ଛାତରୁ ପାଣି ଗଳିବା ଏମିତି ଅନେକ ଘଟଣା ଘଟିସାରିଛି । ଗୋପ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରଟି ବର୍ଷ ବର୍ଷ ଧରି ଅବହେଳିତ ଅବସ୍ଥାରେ ପଡ଼ିରହିଛି । ଗତ ୨୫ /୦୯/ ୩୦୨୪ ରେ  ଗୋଷ୍ଠୀ କେନ୍ଦ୍ରର ସୁରକ୍ଷା ପାଚେରୀ ଭୁଶୁଡିବା ଖବର ପ୍ରସାରଣ ହୋଇଥିଲା । କିନ୍ତୁ ଆଜିକୁ ପ୍ରାୟ ୮ ମାସ ବିତିଯାଇଥିଲେ ବି ଭୁଶୁଡିଥିବା ପାଚେରୀ ମରାମତି ହୋଇପାରିଲା ନାହିଁ । ଯାହାଫଳରେ ବୁଲା ଗୋରୁ ଗାଈ କୁକୁର ଆଦି ଜୀବଜନ୍ତୁଙ୍କ ଅବାଧ ପ୍ରବେଶ ହେଉଛି । ଏହାଦ୍ୱାରା ରୋଗୀଙ୍କ ସହିତ ଆସୁଥିବା ବ୍ୟକ୍ତି ଭୟଭୀତ ଅବସ୍ଥାରେ ରହୁଛନ୍ତି । ଭଙ୍ଗା ପାଚେରୀ ହେତୁ ଗୋପ ବଜାରରେ ଯେଉଁମାନେ ଦୋକାନ କରିଛନ୍ତି ତାଙ୍କୁ ଗୋଟେ ଅଳିଆ ଗଦା ମିଳିଯାଇଛି । ମେଡିକାଲର ଅପର ପାଶ୍ୱର୍ରେ ମେଡିକାଲ ଇନଚାର୍ଜଙ୍କ କାର୍ଯ୍ୟାଳୟ ହୋଇଥିବା ସତ୍ତ୍ୱେ ସେଠାରେ ଅବାଧ ଚୋରା ମଦ କାରବାର ହେଉଛି । ମୋଟାମୋଟି କହିବାକୁ ଗଲେ ନିଶାଡିଙ୍କ ଆଡ୍ଡାସ୍ଥଳୀ ପାଲଟିଛି । ଦୈନିକ   ଛୋଟ ବଡ ଦୁର୍ଘଟଣା ଘଟୁଛି । ସେମାନଙ୍କୁ  କୋଣାର୍କରୁ ତୁରନ୍ତ ଗୋପ ହସ୍ପିଟାଲକୁ ପଠାଯାଏ । କିନ୍ତୁ ଦୁଃଖ ଓ ପରିତାପର ବିଷୟଟି ହେଉଛି ଗୋପ ହସ୍ପିଟାଲଟି ଦୀର୍ଘ ବର୍ଷଧରି ଆବଶ୍ୟକୟୀ ଡାକ୍ତର ଓ ଅନ୍ୟାନ୍ୟ କର୍ମଚାରୀ ଅଭାବ ସାଙ୍ଗକୁ ଭିତ୍ତିଭୂମିର ଅଭାବରୁ ଅବକ୍ଷୟ ହେବାରେ ଲାଗିଛି । ଏଠାରେ ବର୍ଷା ଜଳ ନିଷ୍କାସନର ବ୍ୟବସ୍ତା ନାହିଁ କି ଷ୍ଟାଫ୍ଙ୍କ ପାଇଁ ଘର ନାହିଁ । ଏଠାରେ ଥିବା  ନିଧାନ କେନ୍ଦ୍ରରେ ଅତ୍ୟବଶକୀୟ ଓ ଜରୁରୀ ଔଷଧ ମହଜୁଦ ରହୁନାହିଁ । ଯାହାଫଳରେ ଗରିବ ଶ୍ରେଣୀର ବ୍ୟକ୍ତିକୁ ବାହାରୁ ଔଷଧ କିଣିବାକୁ ପଡୁଛି । ବର୍ତମାନ ଗୋପ ଗୋଷ୍ଠୀ ସ୍ୱାସ୍ଥ୍ୟର ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ଏଣୁ ନିମାପଡା ବିଧାୟିକା ପ୍ରଭାତୀ ପରିଡା ଏଥିପ୍ରତି ତୁରନ୍ତ ଦୃଷ୍ଟି ଦେଇ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି ।