ସୌମ୍ୟାଶ୍ରୀଙ୍କ ମୃତୁ୍ୟକୁ ନେଇ କାଦୁଅ ଫିଙ୍ଗା ରାଜନୀତି : ‘ଡାହାଣୀ ହୋଇ ଲାଗୁଛନ୍ତି, ଗୁଣିଆ ହୋଇ ଝାଡୁଛନ୍ତି’

 ଭୁବନେଶ୍ୱର : ଏଫଏମ୍ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ଆତ୍ମାହୁତି ଘଟଣାକୁ ନେଇ ରାଜନୀତି ଜୋର ଧରିଛି । ଶାସକ ଓ ବିରୋଧୀଙ୍କ ମଧ୍ୟରେ ଆରମ୍ଭ ହୋଇଯାଇଛି କାଦୁଅ ଫିଙ୍ଗା ନୀତି । ବିଶେଷ କରି ବିରୋଧୀ ବିଜେଡିକୁ ଆଜି ଟାର୍ଗେଟ୍ କରିଛି ବିଜେପି । ଏକ ସାମ୍ବାଦିକ ସମ୍ମିଳନୀ କରି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ସିଧାସଳଖ ବିଜେଡିକୁ ନିଶାଣା କରି ଅପରାଜିତା କହିଛନ୍ତି ଯେ, ବିରୋଧୀ ବିଜେଡି ଡାହାଣୀ ହୋଇ ଲାଗୁଛନ୍ତି, ଆଉ ଗୁଣିଆ ହୋଇ ନିଜେ ଝାଡୁଛନ୍ତି । ଗତ କଂଗ୍ରେସ ୪୦ ବର୍ଷ ଓ ବିଜେଡି ୨୪ ବର୍ଷ ଧରି ରାଜ୍ୟରେ ମହିଳା ସୁରକ୍ଷା ଓ ସଶକ୍ତିକରଣ ପାଇଁ କାର୍ଯ୍ୟ କରିଥିଲେ, ଆଜି ଏଭଳି ପରିସ୍ଥିତି ସୃଷ୍ଟି ହୋଇ ନ ଥା’ନ୍ତା । ଯେଉଁ ମା’ଭଉଣୀଙ୍କ ସହିତ ଏପରି ଘଟଣା ଘଟିଛି, ସେମାନଙ୍କୁ ତକôାଳୀନ ମୁଖ୍ୟମନ୍ତ୍ରୀ କେବେ ପୀଡିତାଙ୍କ ପରିବାରକୁ ହେଉ କିମ୍ବା ଡାକ୍ତରଖାନାରେ ପୀଡିତାଙ୍କୁ ଭେଟିଛନ୍ତି କି ବୋଲି ପ୍ରଶ୍ନ କରିଥିଲେ । କିନ୍ତୁ ଆମ ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଗସ୍ତରୁ ଫେରିବା ମାତ୍ରେ ସିଧା ଏୟାରପୋର୍ଟରୁ ଏମ୍ସ ଆସି ପୀଡିତାଙ୍କୁ ଭେଟିଥିଲେ ।
ଗତକାଲି ଭୋଗରାଇ ଥାନାରେ ସୌମ୍ୟାଶ୍ରୀଙ୍କ ଭାଇ, ‘ବିଜେଡି ଓ କଂଗ୍ରେସ ଠାରୁ ଆମେ ଅସୁରକ୍ଷିତ ଅଛୁ’ ବୋଲି ଏଫଆଇଆର କରିଛନ୍ତି । ‘କଂଗ୍ରେସ ଓ ବିଜେଡି ଚାହୁଁନାହାନ୍ତି ଆମକୁ ନ୍ୟାୟ ମିଳୁ’ବୋଲି ଏତଲାରେ ଉଲ୍ଲେଖ କରିଛନ୍ତି ବୋଲି ଅପରାଜିତା ଉଠାଇଛନ୍ତି । ଏବେ ରାଜ୍ୟରେ ପରସ୍ପରକୁ କାଦୁଅଫିଙ୍ଗା ରାଜନୀତି କରାଯାଉଛି । ବିରୋଧୀ ନିଜ ଅସ୍ତିତ୍ୱ ରକ୍ଷା ପାଇଁ ଏହି ସବୁ କାର୍ଯ୍ୟକ୍ରମ କରୁଛନ୍ତି ବୋଲି ଦୋଷ ଲଦିଛନ୍ତି ଅପରାଜିତା । କିଛି ରାଜନୈତିକ ଦଳ ସାମାଜିକ ଗଣମାଧ୍ୟମରେ ଲେଖିଥିଲେ, ସୌମ୍ୟାଶ୍ରୀ ଯଦି ତମ କଥା କେହି ଶୁଣୁନାହାନ୍ତି ତେବେ, ତମେ ସୁଇସାଇଡ୍ କରିଦିଅ, ଏଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି ଅପରାଜିତା ଷଡ଼ଙ୍ଗୀ ।