ବିଜେଡିର କାଉଣ୍ଟର୍ : ଶସ୍ତା ରାଜନୀତି କରନି
ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ସୌମ୍ୟାଶ୍ରୀ ଆତ୍ମାହୁତି ଘଟଣାରେ ଆଜି ଦେଇଥିବା ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖି ବିଜେଡି ଶାସକ ବିଜେପିକୁ କଟୁ ସମାଲୋଚନା କରିଛି । ଶଙ୍ଖ ଭବନ ଠାରେ ଆଜି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ, ଦଳର ଉପସଭାପତି ସ୍ନେହାଙ୍ଗିନୀ ଛୁରିଆ ଓ ପୂର୍ବତନ ସାଂସଦ ଡଃ ରାଜଶ୍ରୀ ମଲ୍ଲିକ ଅପରାଜିତାଙ୍କ ଉପରେ ବର୍ଷିଥିଲେ । ଶ୍ରୀମତୀ ଛୁରିଆ କହିଥିଲେ, ସାଂସଦ ଅପରାଜିତା ଜଣେ ଭଉଣୀର ମୃତୁ୍ୟ ଉପରେ ଶସ୍ତା ରାଜନୀତି କରୁଛନ୍ତି । ଆଜିର ମନ୍ତବ୍ୟ କେବଳ ସରକାରଙ୍କ ପିଠି ଥାପୁଡ଼ାଇବା ପାଇଁ ଉଦିଷ୍ଟ । ଯେତେବେଳେ, ସମଗ୍ର ରାଜ୍ୟର ଜନସାଧାରଣ ସୌମ୍ୟଶ୍ରୀଙ୍କ ଦୁଃଖଦ ମୃତୁ୍ୟ ପାଇଁ ଦୁଃଖରେ ମ୍ରିୟମାଣ, ଅପରାଜିତା ନିଜ ଦଳର ସରକାରଙ୍କ ପ୍ରଶଂସାରେ ଶତମୁଖ ହେଉଛନ୍ତି । ଯାହା ଶସ୍ତା ରାଜନୀତିର ଜ୍ୱଳନ୍ତ ଉଦାହରଣ । ପୀଡିତାଙ୍କ ଏଫ୍ଆଇଆର୍ ଗ୍ରହଣ କରି କ’ଣ ପାଇଁ ପୁଲିସ ମାମଲା ରୁଜୁ କଲା ନାହିଁ ସେ ପାଲଟା ପ୍ରଶ୍ନ କରିଛନ୍ତି । ଛାତ୍ରୀଙ୍କ ମୃତୁ୍ୟ ପରେ, ଆପଣ ଶୂନ୍ୟ ସହନଶୀଳତା କଥା କହୁଛନ୍ତି, କିନ୍ତୁ ଯେତେବେଳେ ସେ ନ୍ୟାୟ ପାଇଁ ଦୁଆର ଦୁଆର ବୁଲୁଥିଲେ, ସେତେବେଳେ ସରକାରଙ୍କ ଭୂମିକା କ'ଣ ଥିଲା ବୋଲି ପ୍ରଶ୍ନ କରିଛନ୍ତି ।
ସେହିପରି ଡଃ ରାଜଶ୍ରୀ ମଲ୍ଲିକ କହିଥିଲେ, ନିଜ ସରକାରଙ୍କ ଅପାରଗତାକୁ ଲୁଚାଇବାକୁ ଯାଇ ବିଜେଡି ସରକାର ଓ ନବୀନ ପଟ୍ଟନାୟକଙ୍କୁ ଦୋଷ ଦେଉଛନ୍ତି । ରାଜ୍ୟରେ ମହିଳାଙ୍କ ସମ୍ମାନ ବୃଦ୍ଧି କ୍ଷେତ୍ରରେ ଓ ମହିଳାଙ୍କୁ ନ୍ୟାୟ ପ୍ରଦାନ କ୍ଷେତ୍ରରେ ନବୀନଙ୍କ ନେତୃତ୍ୱାଧୀନ ସରକାର ଦେଶରେ ଅଗ୍ରଣୀ ଭୂମିକା ନିର୍ବାହ କରିଥିଲା ବୋଲି କହିଛନ୍ତି । ସାଂସଦ ଭାବେ ତାଙ୍କ ଉପଲବ୍ଧି କଣ ରହିଛି ବୋଲି ପ୍ରଶ୍ନ କରିଥିଲେ ।