ଆର ସପ୍ତାହରେ ନୂଆ ବିଜେପି ସଭାପତି ; ୧୮ରୁ ଜାତୀୟ କାର୍ଯ୍ୟକାରିଣୀ 

ଭୁବନେଶ୍ୱର : ଅପ୍ରେଲ ୧୫ ସୁଦ୍ଧା ବିଜେପି ରାଷ୍ଟ୍ରୀୟ ସଭାପତି ବାଛିବ  । ଏହା ପୂର୍ବରୁ ବାକି ଥିବା ରାଜ୍ୟରେ ସଭାପତି ନିଯୁକ୍ତି ଦିଆଯିବ  । ସଂସଦର ବଜେଟ୍‌ ଅଧିବେଶନ ପରେ ଜାତୀୟ ବିଜେପି ନେତାମାନେ ବସି ଏନେଇ ନିଷ୍ପତ୍ତି ନେବେ । ସେହିପରି ଉତ୍ତରପ୍ରଦେଶ, କର୍ଣ୍ଣାଟକ, ତାମିଲନାଡୁ, ପଶ୍ଚିମବଙ୍ଗ ଓ ଓଡ଼ିଶାରେ ମଧ୍ୟ ସଭାପତି ନିଯୁକ୍ତ କରାଯିବ  । ଆସନ୍ତା ସପ୍ତାହରେ ଏହିସବୁ ରାଜ୍ୟର ସଭାପତି ଚୟନ କରାଯିବ ବୋଲି ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି । ସେହିପରି ଅପ୍ରେଲ ୧୮ରୁ ଅପ୍ରେଲ ୨୦ ପର୍ଯ୍ୟନ୍ତ ବେଙ୍ଗାଲୁରରେ ଜାତୀୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହେବ  । ଏହା ପୂର୍ବରୁ ବିଜେପି ସମସ୍ତ ନିର୍ବାଚନ ପ୍ରକ୍ର୍ରିୟା ଶେଷ କରିବାକୁ ଯୋଜନା କରିଛି । ଏବେ ବିଜେପି ଦକ୍ଷିଣ ଭାରତ ଉପରେ ଫୋକସ୍‌ କରୁଛି  । ମୋଦି ତିନିଥର କ୍ଷମତାସୀନ ହୋଇଥିବାବେଳେ ଅନେକ ରାଜ୍ୟରେ ବିଜେପି ସରକାର ଗଢ଼ିବାରେ ସକ୍ଷମ ହୋଇଛି  । ହେଲେ  ଦକ୍ଷିଣ ଭାରତରେ ବିଜେପିର ସ୍ଥିତି ମଜବୁତ୍‌ ହୋଇପାରୁନାହିଁ  । କର୍ଣ୍ଣାଟକରେ ପୁଣିଥରେ ବିୱାଇ ବିଜେୟନ୍ଦ୍ର ବିଜେପିର ମଙ୍ଗ ଧରିବେ  । ତାଙ୍କ ବିରୋଧରେ ମନ୍ତବ୍ୟ ଦେଇଥିବା ବାସନଗୌଡ଼ା ପାଟିଲଙ୍କୁ ଦଳ ବହିଷ୍କାର କରି ଏଭଳି ବାର୍ତ୍ତା ଦେଇଛି  । କେରଳରେ ଆସନ୍ତାବର୍ଷ ବିଧାନସଭା ନିର୍ବାଚନ ହେବ । ପୁଣିଥରେ କେରଳରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ମଙ୍ଗ ଧରିପାରନ୍ତି । ନଚେତ୍‌ ଥ୍ରିସୁର ସାଂସଦ ସୁରେଶ ଗୋପିଙ୍କୁ ସଭାପତି କରାଯାଇପାରେ ବୋଲି ଚର୍ଚ୍ଚା ହେଉଛି  । ତେଲେଙ୍ଗାନାରେ କେନ୍ଦ୍ରମନ୍ତ୍ରୀ ବାନ୍ଦି ସଞ୍ଜୟ କୁମାରଙ୍କୁ ସଭାପତି କରାଯିବା ସହ ସାଂସଦ ଇଆତଲା ରାଜେନ୍ଦରଙ୍କୁ କେନ୍ଦ୍ରମନ୍ତ୍ରୀ କରାଯିବ ବୋଲି କୁହାଯାଉଛି  । ତାମିଲନାଡୁରେ ବିଜେପି ସଭାପତି କେ ଆନ୍ନାମଲାଇ ବଦଳିବା ନିଶ୍ଚିତ ହୋଇଯାଇଛି । ଏଆଇଡ଼ିଏମକେ ସହ ତାଙ୍କର ସୁସମ୍ପର୍କ ନଥିବାରୁ ବିଜେପି ଏଭଳି ରଣନୀତି କରିବ । ଏସବୁ ଭିତରେ ସବୁଠାରୁ ଓଡ଼ିଶାକୁ ନେଇ ବେଶୀ ଚର୍ଚ୍ଚା ହେଉଛି  । ଓଡ଼ିଶାରେ ଏବେ ସବୁ କିଛି ଅଟକି ରହିଛି । ବିଜେପି ସଭାପତି ଚୟନ ହୋଇପାରୁନଥିବାରୁ ରାଜ୍ୟରେ ୬ ମନ୍ତ୍ରୀ ପଦ, ନିଗମ ଅଧ୍ୟକ୍ଷ ପଦ ଓ କମିଶନ ପଦପଦବୀ ସହ ଜିଲ୍ଲା ଯୋଜନା ବୋଡର଼୍ ଅଧ୍ୟକ୍ଷ ପଦବି ପୂରଣ ହୋଇପାରୁନାହିଁ  । ତେଣୁ ଆର ସପ୍ତାହରେ ବିଜେପି ଓଡ଼ିଶା ସଭାପତିଙ୍କ ନାମ ବି ଘୋଷଣା କରିପାରେ  ।