ସ୍ୱାସ୍ଥ୍ୟକେନ୍ଦ୍ରରେ ମିଳୁନି ସିରିଞ୍ଜ, ରୋଗୀ ହନ୍ତସନ୍ତ


ରାଜକନିକାରୁ ଅଜୟ କୁମାର ରାଉତ
ଘୋର ଅବ୍ୟବସ୍ଥା ମଧ୍ୟରେ ଚାଲିଛି ରାଜକନିକା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର । ଏଠାରେ ରୋଗୀମାନଙ୍କ ପାଇଁ ମିଳୁନି ସିରଞ୍ଜ । ଫଳରେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ରୋଗୀ । ରାଜକନିକା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କୁକୁର ଓ ବିଲେଇ କାମୁଡା ଇଞ୍ଜେକ୍ସନ ଦେବା ପାଇଁ ସିରିଞ୍ଜ ମିଳୁନାହିଁ । ଇଞ୍ଜେକ୍ସନ ମାଗଣାରେ ମିଳୁଥିବା ବେଳେ ସିରିଞ୍ଜ ବାହାରୁ କିଣିବାକୁ ପଡୁଛି । ସିରିଞ୍ଜ କାହିଁକି ମିଳିବନି ବୋଲି ପଚାରିଲେ ଏଠାରେ ଥିବା ନର୍ସ ମାନେ ଦୁର୍ବ୍ୟବହାର କରୁଥିବା ଅଭିଯୋଗ ହେଉଛି । ଏହିଭଳି ଏକ ଅଭିଯୋଗ ଆଣିଛନ୍ତି ଅଞ୍ଚଳର ଏକ ଗଣ ମାଧ୍ୟମର ପ୍ରତିନିଧି କମଳ ଲୋଚନ ଗିରି । ତାଙ୍କୁ ଏକ ବିଲେଇ କାମୁଡି ଥିବାରୁ ସେ ରାଜକନିକା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଇଞ୍ଜେକ୍ସନ ନେବାକୁ ଆସିଥିଲେ । ହେଲେ ତାଙ୍କୁ ବାହାରୁ ସିରିଞ୍ଜ କିଣିବାକୁ କୁହାଯାଇଥିଲା । ଏପରିକି ଏଠାରେ ରୋଗୀ ମାନଙ୍କୁ ଛିଡା କରାଯାଇ ଇଞ୍ଜେକ୍ସନ ଦିଆଯାଉଥିବା ଅଭିଯୋଗ ହେଉଛି । ତେବେ ଏ ବାବଦରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ କହିଛନ୍ତି ଯେ, ଆମ ସ୍ୱାସ୍ଥ୍ୟକେନ୍ଦ୍ରକୁ କୁକୁର ଓ ବିଲେଇ କାମୁଡା ଇଞ୍ଜେକ୍ସନ ଆସୁଛି ମାତ୍ର ସିରିଞ୍ଜ ଆସୁନାହିଁ । ଏ ବାବଦରେ ଆମେ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ଜଣାଇଛୁ । ଆଶା କରୁଛୁ ଖୁବ ଶ୍ରୀଘ୍ର ଏହାର ସମାଧାନ ହୋଇଯିବ ।