ଡ୍ରାଇଭର ସଂଘର ଷ୍ଟିଅରିଂ ଛାଡ଼

 କଟକ : ଓଡ଼ିଶା ଡ୍ରାଇଭର ମହାସଂଘ ୭ ଦଫା ଦାବି ନେଇ ମଙ୍ଗଳବାରଠାରୁ ଷ୍ଟିଅରିଂଛାଡ଼ ଆନେ୍ଦାଳନକୁ ଓହ୍ଲାଇଛି । ରାଜ୍ୟର ପ୍ରାୟ ୫ ଲକ୍ଷ ଡ୍ରାଇଭର ଏହି ଆନେ୍ଦାଳନରେ ସାମିଲ ହୋଇଥିବା ମହାସଂଘ ପକ୍ଷରୁ ସୂଚନା ଦିଆଯାଇଛି । ଷ୍ଟିଅରିଂ ଛାଡ଼ ଆନେ୍ଦାଳନ ଯୋଗୁ କଟକରେ ମଧ୍ୟ ଗାଡ଼ି ଚଳାଚଳ ପ୍ରଭାବିତ ହୋଇଛି । ଅଧିକାଂଶ ବସ ଟ୍ରକ, ଟେମ୍ପୋ ଓ ଟ୍ୟାକ୍ସି ଆଜି ଗଡ଼ି ନାହିଁ । ଏପରିକି କଟକରୁ ଯାତ୍ରୀ ଓ ମାଲ ପରିବହନ ବି ବାଧାପ୍ରାପ୍ତ ହୋଇଛି । ସ୍ଥାନୀୟ ବାଲିକୁଦା ନିକଟରେ ରାଜପଥ କଡ଼ରେ ଡ୍ରାଇଭର ମହାସଂଘ ଆନେ୍ଦାଳନରେ ବସିବା ସହ ପିକେଟିଙ୍ଗ କରିଥିଲେ । ଡ୍ରାଇଭର ମହାସଂଘର ଷ୍ଟିଅରିଂ ଛାଡ଼ ଆନେ୍ଦାଳନରେ ଯାତ୍ରୀ ପରିବହନ ବାଧାପ୍ରାପ୍ତ ହୋଇଛି । ମହାସଂଘ ଆଜି କେବଳ ମାଲବାହୀ ଗାଡ଼ିର ଚାଳକଙ୍କୁ ଆନେ୍ଦାଳନରେ ସାମିଲ ହେବାକୁ କହିଥିଲେ । ତଥାପି କଟକରୁ ଅଧିକାଂଶ ଯାତ୍ରୀବାହୀ ଗାଡ଼ି ଚଳାଚଳ କରୁନଥିବା ପରିଲକ୍ଷିତ ହୋଇଥିଲା । ଫଳରେ ସ୍ଥାନୀୟ ନେତାଜୀ ବସ ଟରମିନାଲରେ ଶତାଧିକ ଯାତ୍ରୀ ଫସି ରହିଥିବା ଦେଖିବାକୁ ମିଳିଥିଲା  । ଆଜି ନୀଳାଦି୍ର ବିଜେ ଥିବା ବେଳେ ଅନେକ ଯାତ୍ରୀ ପୁରୀ ଯାଇଥାନ୍ତେ । କିନ୍ତୁ ଏହି ଆନେ୍ଦାଳନ ଯୋଗୁ ସେମାନଙ୍କ ଇଚ୍ଛା ପୂରଣ ହୋଇପାରି ନାହିଁ । ଯେଉଁଥି ପାଇଁ ଅଧିକାଂଶ ଯାତ୍ରୀ ଦୁଃଖ ପ୍ରକାଶ କରିଛନ୍ତି । 
ବୈଶିଙ୍ଗା : ମୟୂରଭଞ୍ଜ ଜିଲାର ବେତନଟୀ , ବୈଶିଙ୍ଗା ଅଞ୍ଚଳରେ ବେସରକାରୀ ଡ୍ରାଇଭର ମହାସଂଘର ଷ୍ଟିୟରିଂ ଛାଡ଼ ଆନେ୍ଦାଳନ ଯୋଗୁଁ ମଙ୍ଗଳବାର ସକାଳଠାରୁ ପରିବହନ ବ୍ୟବସ୍ଥା ବାଧାପ୍ରାପ୍ତ ହୋଇଛି । ସେପଟେ ଓଡ଼ିଶା ସଡ଼କ ପରିବହନ ଶ୍ରମିକ ମିଳିତ ମଞ୍ଚ ଆନେ୍ଦାଳନରୁ ନିଜକୁ ଦୂରେଇ ରଖିଥିବା ସୂଚନା ମିଳିଛି । ମଙ୍ଗଳବାର ସକାଳ ଠାରୁ ୧୮ ନଂ ଜାତୀୟ ରାଜପଥର ବଗଲପୁର ଛକ ନିକଟରେ ଗାଡ଼ି ଚାଳକମାନେ ଏକତ୍ରିତ ହୋଇ ଧାରଣାରେ ବସିଥିବା ଦେଖିବାକୁ ମିଳିଛି । ତେବେ ଏହାର ପ୍ରଭାବରେ ନିର୍ମାଣ କାର୍ଯ୍ୟରେ ନିୟୋଜିତ ଥିବା ଯାନବାହନ, ବସ ଚଳାଚଳ ବନ୍ଦ ରହିଥିଲା । ତେବେ ସନ୍ଧ୍ୟା ସାତଟା ସମୟରେ ଭୁବନେଶ୍ୱର ଠାରେ ପରିବହନ ମନ୍ତ୍ରୀ ସଂଘକୁ ଆଲୋଚନା ନିମନ୍ତେ ଡାକିଥିବା ଯୋଗୁଁ ଅପରାହ୍ନରେ ଆନେ୍ଦାଳନକୁ ସ୍ଥଗିତ ରଖାଯାଇଛି ଏବଂ ଆଲୋଚନା ସଫଳ ନହେଲେ ମହାସଂଘ ପକ୍ଷରୁ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ ବୋଲିି ବେତନଟୀ ଶାଖା ସମ୍ପାଦକ ତରଣୀକାନ୍ତ ବେହେରା ସୂଚନା ଦେଇଛନ୍ତି ।
ଜଗତସିଂହପୁର : ଓଡ଼ିଶା ଡ୍ରାଇଭର ମହାସଂଘ ନିଷ୍ପତ୍ତି କ୍ରମେ ଆଜି ଜଗତସିଂହପୁର ଜିଲ୍ଲାର ସମସ୍ତ ଡ୍ରାଇଭର ମହାସଂଘ ପକ୍ଷରୁ ୬ ଦଫା ଦାବୀଗୁଡ଼ିକକୁ ନେଇ ଅନିର୍ଦ୍ଧିଷ୍ଟ କାଳ ଷ୍ଟେୟରିଙ୍ଗ ଛାଡ଼ ଆନେ୍ଦାଳନକୁ ରାଜରାସ୍ତାକୁ ଓହ୍ଲାଇଛନ୍ତି  । ଏହାର ଜଗତସିଂହପୁର ସହରରେ ସାଧାରଣ ଜନତା ନାହିଁ ନ ଥିବାର ଅସୁବିଧାର ସମ୍ମୁଖୀନ ହେବାର ଦେଖିବାକୁ ମିଳିଥିବା ବେଳେ ଜଗତସିଂହପୁରରୁ କଟକ, ପାରାଦୀପ, ବାଲିକୁଦା, ନାଉଗାଁ ଆଦି ସ୍ଥାନକୁ ବସ ଚଳାଚଳ ସମ୍ପୂର୍ଣ ବନ୍ଦ ରହିଛି  । ବସ ଚଳାଚଳ ବନ୍ଦ ଥିବାରୁ ଯାତାୟାତ ସମ୍ପୂର୍ଣ ଠପ ହୋଇଯାଇଛି  । ଏଣୁ ଲୋକମାନେ ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ଜିଲ୍ଲାର ସମସ୍ତ ବ୍ଲକରେ ଏହି ଧାରଣା ଦେଖିବାକୁ ମିଳିଥିଲା  । ଡ୍ରାଇଭର ସଂଘର ବିଭିନ୍ନ ଦାବି ନେଇ ରାଜ ରାସ୍ତା କଡ଼ରେ ହଜାର ହଜାର ସଂଖ୍ୟାରେ ଡ୍ରାଇଭର ଭାଇମାନେ ବସି ରହି ନିଜର ଦାବି ସରକାରଙ୍କୁ ଜଣାଇଛନ୍ତି  । ଯାତ୍ରୀ ମାନେ ସରକାରୀ ବସ, ପସେଞ୍ଜର ଟ୍ରେନ ଦ୍ୱାରା ଗମନା ଗମନ କରୁଥିବା ବେଳେ ଜଗତସିଂହପୁର ଜିଲ୍ଲାରେ ଏହାର ବେଶୀ ପ୍ରଭାବ ଦେଖିବାକୁ ମିଳିନଥିଲା  ।