ସ୍ୱାୟତ୍ତ ଶାସନ ଦିବସ ପାଇଁ ବିଏମସିର ପ୍ରସ୍ତୁତି ବୈଠକ: ମାଟ୍ରିକ ଓ ଯୁକ୍ତଦୁଇ ଟପ୍ପରଙ୍କୁ ସମ୍ବର୍ଦ୍ଧିତ କରାଯିବ
ଭୁବନେଶ୍ୱର : ଚଳିତ ମାସ ୩୧ ତାରିଖରେ ହେବାକୁ ଥିବା ସ୍ୱାୟତ୍ତ ଶାସନ ଦିବସ ପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି)ର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ମେୟର ସୁଲୋଚନା ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଡେପୁଟି ମେୟର ମଞ୍ଜୁଲତା କହଁର, କମିଶନର ଚଞ୍ଚଳ ରାଣା, ଅତିରିକ୍ତ କମିଶନର ରନôାକର ସାହୁ, ସସ୍ମିତା ସାହୁ, ସିଟି ଇଂଜିନିୟର ବିଳାଶ କୁମାର ବେହେରା, ସଂସ୍କୃତିକ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ରାମଚନ୍ଦ୍ର ରଣସିଂହ ମଂଚାସୀନ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ଷ୍ଟାଣ୍ଡିଂ କମିଟିର ସମସ୍ତ ଅଧ୍ୟକ୍ଷ, ଅଧ୍ୟକ୍ଷା ଓ ବହୁ କର୍ପୋରେଟର, ବିଏମ୍ସିର ସମସ୍ତ ଅଧିକାରୀ ଏହି ବୈଠକରେ ଉପସ୍ଥିତ ଥିଲେ ।
ପ୍ରତି ବର୍ଷପରି ଚଳିତ ବର୍ଷ ସ୍ୱାୟତ୍ତ ଶାସନ ଦିବସକୁ ଧୁମ୍ ଧାମରେ ପାଳନ କରିବା ପାଇଁ ଏହି ବୈଠକରେ ନିଷ୍ପତ୍ତି ହୋଇଛି । ଚଳିତ ବର୍ଷ ପରି ଏ ବର୍ଷ ମେୟର ଏକାଦଶ ଓ କମିଶନର ଏକାଦଶ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବ । ତେବେ ଚଳିତ ବର୍ଷ କ୍ରିକେଟ ସହ ଫୁଟବଲ ଖେଳକୁ ମଧ୍ୟ ସାମିଲ କରାଯାଇଛି । ଏହା ବ୍ୟତୀତ ଚେସ୍, କ୍ୟାରେମ, ବ୍ୟାଡ ମିଣ୍ଟନ, ମୁ୍ୟଜିକ୍ ଚେୟାର ଆଦି ବିଭିନ୍ନ ଇନଡୋର ଓ ଆଉଟ୍ ଡୋର୍ ଗେମ୍ସ, ଉଭୟ ପୁରୁଷ ଓ ମହିଳା ବର୍ଗରେ ପ୍ରତିଯୋଗିତା ଅନୁଷ୍ଠିତ ହେବ । ଏଥିରେ ବିଏମ୍ସିର କର୍ପୋରେଟର, ଅଧିକାରୀ ଓ କର୍ମଚାରୀ ଅଂଶ ଗ୍ରହଣ କରିପାରିବେ । ଏହି ସମସ୍ତ କାର୍ଯ୍ୟ ବିଏମ୍ସିର ରିକ୍ରିଏସନ କ୍ଲବ ପରିଚାଳନା କରିବାକୁ ନିଷ୍ପତ୍ତି ହୋଇଛି । ସେହିପରି ସେପ୍ଟେମ୍ବର ୨ ତାରିଖ ଦିନ ବିଏମ୍ସି ରିକ୍ରିଏସନ କ୍ଲବ ପକ୍ଷରୁ ରବୀନ୍ଦ୍ର ମଣ୍ଡପଠାରେ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହେବ ।
ଏହା ବ୍ୟତୀତ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ମଧ୍ୟରେ କବିତା, ପ୍ରବନ୍ଧ, ବକ୍ତୃତା, ଚିତ୍ରାଙ୍କନ ଆଦି ପ୍ରତିଯୋଗୀତା ମଧ୍ୟ ଅନୁଷ୍ଠିତ ହେବ । ସେହିପରି ବିଏମ୍ସିର ତିନୋଟି ଜୋନରୁ ୩ ଜଣଙ୍କୁ ସମାଜସେବାରେ ଉଲ୍ଲେଖନୀୟ ଅବଦାନ ପାଇଁ ନଗର ବନ୍ଧୁ ପୁରଷ୍କାର ପ୍ରଦାନ କରାଯିବ । ତିନୋଟି ଜୋନର ୩ଟି ୱାର୍ଡକୁ ଶ୍ରେଷ୍ଠ ସ୍ୱଚ୍ଛ ୱାର୍ଡ ଘୋଷଣା କରାଯିବ ।
ଅଗଷ୍ଠ ୩୧ ତାରିଖ ପାଇଁ ବ୍ୟାପକ କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଇଛି । ସକାଳ ୮ଟାରେ ବିଏମ୍ସି ମୁଖ୍ୟାଳୟରେ ପତାକା ଉତ୍ତୋଳନ କରାଯିବ । ସଂଧ୍ୟା ସମୟରେ ଜୟଦେବ ଭବନରେ ଅନୁଷ୍ଠିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯିବା ସହ ବିଭିନ୍ନ ପ୍ରତିଯୋଗିତାର ବିଜେତାଙ୍କୁ ମାନପତ୍ର ପ୍ରଦାନ ପ୍ରଦାନ ପୂର୍ବକୁ ସମ୍ବର୍ଦ୍ଧିତ କରାଯିବାକୁ ଆଜିର ଏହି ପ୍ରସ୍ତୁତି ବୈଠକରେ ନିଷ୍ପତ୍ତି ହୋଇଛି । ଏହାସହ ବିଏମସି ଅଞ୍ଚଳର ମାଟ୍ରିକ ଓ ଯୁକ୍ତଦୁଇ ଟପ୍ପରଙ୍କୁ ସମ୍ବର୍ଦ୍ଧିତ କରାଯିବ । ଏଥି ସହିତ ଆସନ୍ତା ଅଗଷ୍ଟ ୧୫ ତାରିଖ ଦିନ ସ୍ୱାଧିନତା ଦିବସ ପାଇଁ ମଧ୍ୟ ଏହି ବୈଠକରେ ଆଲୋନଚା କରାଯାଇ କାର୍ଯ୍ୟକ୍ରମ ସ୍ଥିର କରାଯାଇଛି । ଏହି ସମସ୍ତ କାର୍ଯ୍ୟକ୍ରମରେ ମଞ୍ଚ ପରିଚାଳନା କରିଥିଲେ ଅତିରିକ୍ତ କମିଶନ ରନôାକର ସାହୁ ।