ଓଡ଼ିଶାକୁ ମିଳିବ ଜାତୀୟ ଜଳ ପୁରସ୍କାର

ଭୁବନେଶ୍ବର: କେନ୍ଦ୍ର ଜଳ ଶକ୍ତି ମନ୍ତ୍ରଣାଳୟ ତରଫରୁ ଘୋଷଣା ହୋଇଛି ପଞ୍ଚମ ଜାତୀୟ ଜଳ ପୁରସ୍କାର । ୪ଟି ବର୍ଗରେ ଏକ ନମ୍ବରରେ ରହିଛି ଓଡ଼ିଶା । ଜଳ ସଂରକ୍ଷଣ କ୍ଷେତ୍ରରେ ବ୍ୟାପକ କାର୍ୟ୍ୟ କରୁଥିବାରୁ ଓଡ଼ିଶା ଶ୍ରେଷ୍ଠ ରାଜ୍ୟର ମାନ୍ୟତା ପାଇଛି । ସେହିପରି ଶ୍ରେଷ୍ଠ ଜିଲ୍ଲା ଭାବେ ବଲାଙ୍ଗୀର, ଶ୍ରେଷ୍ଠ ସହରାଞ୍ଚଳ ସଂସ୍ଥା ପୁରୀ ଓ ଶ୍ରେଷ୍ଠ ବିଦ୍ୟାଳୟ ଭାବରେ ମୟୂରଭଞ୍ଜର ଖଇରବାଣି ଆଶ୍ରମ ସ୍କୁଲକୁ ମୋନୋନିତ କରାଯାଇଛି ।
ସୋମବାର ଜ୍ଞକେନ୍ଦ୍ର ଜଳ ଶକ୍ତି ମନ୍ତ୍ରୀ ସି.ଆର ପାଟିଲ ନୂଆଦିଲ୍ଲୀର ଶ୍ରମଶକ୍ତି ଭବନଠାରେ ଜାତୀୟ ଜଳ ଶକ୍ତି ପୁରସ୍କାର ବିଜେତାଙ୍କ ତାଲିକା ଘୋଷଣା କରିଥିଲେ । ଶ୍ରେଷ୍ଠ ରାଜ୍ୟ ଭାବେ ଓଡିଶା ପ୍ରଥମ, ଉତ୍ତର ପ୍ରଦେଶ ଦ୍ୱିତୀୟ ସ୍ଥାନରେ, ଗୁଜରାଟ ଏବଂ ପୁଡୁଚେରୀ ମିଳିତ ଭାବେ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ପ୍ରତ୍ୟେକ ବିଜେତା ରାଜ୍ୟକୁ ପୁରସ୍କାର ରାଶି ପ୍ରଦାନ କରାଯିବ ।
ଜଳ ଶକ୍ତି ମନ୍ତ୍ରାଳୟ ଜାତୀୟ ସମ୍ପତି ଭାବରେ ଜଳ ସଂରକ୍ଷଣ, ଜଳ ପରିଚାଳନା ପାଇଁ ନିୟମାବଳୀ ପ୍ରତିଷ୍ଠା ଏବଂ ବିଭିନ୍ନ କାର୍ୟ୍ୟକ୍ରମ କରିବାର ଦାୟିତ୍ବ କେନ୍ଦ୍ର ଜଳ ଶକ୍ତି ବିଭାଗ ଉପରେ ନ୍ୟସ୍ତ। ବିଭିନ୍ନ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ଵାନରେ ଜଳ ପରିଚାଳନା ଏବଂ ଜଳ ସଂରକ୍ଷଣ ସଚେତନତା କାର୍ୟ୍ୟକ୍ରମ କରାଯାଉଛି। ଜଳର ଗୁରୁତ୍ୱ ବିଷୟରେ ଲୋକଙ୍କୁ ଅବଗତ କରାଇବା ଏବଂ ସର୍ବୋତ୍ତମ ଜଳ ବ୍ୟବହାର ପଦ୍ଧତି ଗ୍ରହଣ କରିବାକୁ ବିଭିନ୍ନ କାର୍ୟ୍ୟକ୍ରମ ହାତକୁ ନେଇଛନ୍ତି କେନ୍ଦ୍ର ସରକାର ।