ହଲଚଲ ହେବ ଓଡ଼ିଶା ରାଜନୀତି; ଏମିତି କାହିଁକି କହିଲେ ଦେବୀ ମିଶ୍ର
Debi Prasad Mishra

ଭୁବନେଶ୍ୱର : ଓଡ଼ିଶା ରାଜନୀତିରେ ହଲଚଲ ସୃଷ୍ଟିହେବ । ଏମିତି କଥା କହିଛନ୍ତି ବରିଷ୍ଠ ବିଜେଡ଼ି ନେତା ଦେବୀ ପ୍ରସାଦ ମିଶ୍ର । ତେବେ ବିଜେଡ଼ିରେ ହଲଚଲ ହେବ ନା ବିଜେପିରେ ସେନେଇ ସେ କିଛି କହିନାହାନ୍ତି । ସମ୍ପ୍ରତି ବିଜେଡି ଓ ବିଜେପି ଛକାପଞ୍ଝା ସ୍ଥିତିରେ ରହିଛନ୍ତି । ଗୋଟିଏ ପଟେ ବିଜେଡ଼ିକୁ ଦୁର୍ବଳ କରିବା ପାଇଁ ଅମିତ ଶାହା ରଣନୀତି କରିଛନ୍ତି । ଦିଲ୍ଲୀରେ ଜୋରଦାର ଖେଳ ଚାଲିଛି । ବିଜେଡ଼ିର ଦୁଇ ରାଜ୍ୟସଭା ସାଂସଦ ଇସ୍ତଫା ଦେଇ ବିଜେପିରେ ମିଶି ସାରିଛନ୍ତି । ସେପଟେ ପଞ୍ଚାୟତରେ ବି ବିଜେଡ଼ି ସରପଞ୍ଚମାନଙ୍କୁ ବିଜେପି ପୋଚିଂ କରିବା ଆରମ୍ଭ କରିଛି । ବିଜେଡ଼ି ମଧ୍ୟ ପଛରେ ପଡ଼ିନାହିଁ । ଗତ ନିର୍ବାଚନରେ ବିଜେପି ଠାରୁ ବିଜେଡ଼ି ଅଧିକ ଭୋଟ୍ ପାଇଥିଲା । ବିଜେପି ମଧ୍ୟ ସଂଖ୍ୟା ଗରିଷ୍ଠତାଠାରୁ ୪ଟି ଅଧିକ ଆସନ ପାଇଛି । ସ୍ୱାଧୀନ ବିଧାୟକଙ୍କୁ ମିଶାଇଲେ ସଂଖ୍ୟା ଆଉ ୩ ବଢ଼ିବ । ତେବେ ସେମାନଙ୍କ ମଧ୍ୟରେ ୬ ଜଣ ପୂର୍ବରୁ ବିଜେଡ଼ିରେ ଥିଲେ । ଟିକେଟ ନପାଇବାରୁ ସେମାନେ ବିଜେପିକୁ ଯାଇ ବାଜିମାତ୍ କରିଛନ୍ତି । ବିଜେପି ସରକାରରେ ଯଦି ସେମାନଙ୍କୁ ଗୁରୁତ୍ୱ ନମିଳେ ତେବେ କିଛି ବି ଘଟିପାରେ ବୋଲି ବିଜେଡ଼ି ଅନୁମାନ କରୁଛି । ପୂର୍ବରୁ ମଧ୍ୟ ପରୋକ୍ଷରେ ନବୀନ ‘ସଂଖ୍ୟାଲଘୁ ସରକାର’ର ଅବତାରଣା କରିଥିଲେ ।