ସବୁକିଛି ଚାଲିଯିଟା ହିଁ ସାର
ଆଜ୍ଞା ନମସ୍କାର,
ଛୋଟ କଥାର ବଡ଼ ବିଚାର "ଅମୃତ ବିନ୍ଦୁ ।' "ଅମୃତ ବିନ୍ଦୁ'ର ଆଜିର ଅଧ୍ୟାୟରେ ଆମେ ଅବଗତ ହେବା ଜୀବନରେ ଦିନେ ସବୁକିଛି ଚାଲିଯିବା ହିଁ କେମିତି ନିଧାର୍ଯ୍ୟ ସେ ବାବଦରେ କିଛି କଥା । ଆଜିର କଥାକୁ ଆପଣ ଗ୍ରହଣ କରିବେ, ବିଚାରିବେ ବୋଲି ଆଶା ।
ମଣିଷ ଜନ୍ମ ହୋଇଛି ତେଣୁ ମୃତୁ୍ୟ ନିଶ୍ଚିତ । ତେବେ ଜନ୍ମ ଠାରୁ ମୃତୁ୍ୟ ପର୍ଯ୍ୟନ୍ତର ଜୀବନକାଳ ଭିତରେ ଦୁଃଖ, ସୁଖ, ଭଲ, ମନ୍ଦ ଅନେକ କିଛି ଆସିବ । ମନୁଷ୍ୟ ଅନେକ କିଛି ରୋଜାଗର ମଧ୍ୟ କରିବ । ହେଲେ ମୃତୁ୍ୟ ବେଳକୁ ଆଜି ଯାଏଁ ଏ ପୃଥିବୀରୁ କେହି କିଛି ନେଇପାରିନାହାନ୍ତି । ବିଶ୍ୱବିଜୟୀ କୁହାଯାଉଥିବା ଆଲେକ୍ଜାଣ୍ଡରଙ୍କୁ ବୀରତ୍ୱ ପାଇଁ ଇତିହାସ ତାଙ୍କର ପ୍ରଶଂସା କରେ । ମାତ୍ର ଆଲେକ୍ଜାଣ୍ଡର ମଧ୍ୟ ଦିନେ ଜଣେ ସାଧାରଣ ରାଜାଙ୍କ ଠାରୁ ପରାସ୍ତ ଭଳି ପରିସ୍ଥିତିର ସମ୍ମୁଖୀନ ହୋଇ ଦୈବାତ୍ ଜିତିଗଲେ । ଏହାପରେ ଆଲେକ୍ଜାଣ୍ଡର ନିଜ ରାଜ୍ୟକୁ ଫେରିଗଲେ । ମୃତୁ୍ୟବେଳକୁ ସେ କହିଥିଲେ ଯେ ତାଙ୍କ ଶବକୁ ଶ୍ମସାନକୁ ନିଆଯିବା ସମୟରେ ଦୁଇ ହାତକୁ ଦୁଇପଟକୁ ଝୁଲାଇ ଦିଆଯିବ । ଏହା ଫଳରେ ଲୋକମାନେ ଦେଖିବେ ଯେ ବିଶ୍ୱବିଜୀୟ ଆଲେକ୍ଜାଣ୍ଡର ଖାଲି ହାତରେ ଶ୍ମଶାନ ଭିତରକୁ ଯାଉଛନ୍ତି । ପ୍ରତ୍ୟେକ ବ୍ୟକ୍ତି ଜନ୍ମ ହେଲା ବେଳେ କିଛି ନେଇ ଆସିନଥାଏ । କିଛି ବ୍ୟକ୍ତି ଜନ୍ମ ହେଲା ବେଳକୁ ଉତ୍ତରାଧିକାରୀ ସୂତ୍ରରେ ରାଜପଦ ମଧ୍ୟ ନେଇ ଆସିଥାନ୍ତି, ମାତ୍ର ସେସବୁ ମୃତୁ୍ୟ ବେଳକୁ କୌଣସି କାମରେ ଲାଗେ ନାହିଁ । ରାଜ୍ୟ ତ ଦୂରର କଥା ରାଜ ସିଂହାସନର ବି ଧୂଳି ଟିକିଏ ଏଯାଏଁ କେହି ନେଇ ପାରିନାହାନ୍ତି । ମୃତୁ୍ୟ ବେଳକୁ ହସ୍ତ ଶୂନ୍ୟ ହୋଇଯାଏ । ବିଶ୍ୱବିଜୟ କରିବାର ବୀରତ୍ୱ ଥିବା ବ୍ୟକ୍ତି ଶଯ୍ୟାରୁ ଉଠିବାର ଶକ୍ତି ପାଏ ନାହିଁ । ତେଣୁ ମଣିଷର ଶେଷ ଜୀବନ ଅତ୍ୟନ୍ତ ଅସହାୟ ଏବଂ ନିଃସହାୟ ମଧ୍ୟ । ମୃତୁ୍ୟ ବେଳକୁ କେହି ସାଙ୍ଗସାଥି ମଧ୍ୟ ନଥାନ୍ତି । ପୃଥିବୀକୁ ଏକୁଟିଆ ଆସିବା ଏବଂ ଶୂନ୍ୟ ହସ୍ତରେ ଆସିବା ଯେଉଁଭଳି ସତ୍ୟ, ଠିକ୍ ସେହିଭଳି ପୃଥିବୀରୁ ଗଲା ବେଳକୁ ଏକୁଟିଆ ଏବଂ ଶୂନ୍ୟ ହସ୍ତ ହିଁ ସତ୍ୟ । ଜୀବନରେ ଯାହା କିଛି ଅର୍ଜନ କରିଥିବ ସେସବୁ ମୃତୁ୍ୟ ବେଳକୁ ଥାଇ ଯାହା ନଥାଇ ତାହା । ମଣିଷର ଶକ୍ତି ଚାଲିଯିବା ପରେ ତାର ସବୁକିଛି ଚାଲିଗଲା ବୋଲି କହିଲେ ଭୁଲ୍ ହେବ ନାହିଁ । ହାତ ଉଠେଇବାର ବି ଶକ୍ତି ରହେ ନାହିଁ । ଏସବୁ ଜାଣିଥିବା ବ୍ୟକ୍ତି କେବେହେଲେ ବାହୁବଳର ଗର୍ବ, ଧନ, କ୍ଷମତା ଆଦିର ଗର୍ବ କରେନାହିଁ ।
ପଢ଼ିଥିବା ହେତୁ ଆପଣଙ୍କ ନିକଟରେ କୃତଜ୍ଞ । ନମସ୍କାର ।