ହତ୍ୟାରେ ସମ୍ପୃକ୍ତ ୭ ମାଓବାଦୀ ଗିରଫ

 ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ରାଜ୍ୟର ଦାନ୍ତେୱାଡା ଜିଲ୍ଲା ଅରନପୁର ଥାନା ଅନ୍ତର୍ଗତ ଅରନପୁର ଗାଁରେ ଜଣେ ଯୁବକଙ୍କୁ ହତ୍ୟା କରିଥିବା ୭ ଜଣ ନକ୍ସଲଙ୍କୁ ପୁଲିସ ଗିରଫ କରିବାରେ ସଫଳ ହୋଇଛି । ରାତି ଅଧରେ ଘରେ ପଶି ନକ୍ସଲମାନେ ପ୍ରଥମେ ଯୁବକଙ୍କୁ ଘରୁ ଟାଣି ଆଣି ଏକ ଧାରୁଆ ଅସ୍ତ୍ରରେ ତାଙ୍କ କାଟି କାଟି ହତ୍ୟା କରିଥିଲେ । ଘଟଣାର ୧୧ ଦିନ ପରେ, ପୁଲିସ ୭ ଜଣ ହତ୍ୟା ଅଭିଯୁକ୍ତଙ୍କୁ ଗିରଫ କରିଛି । ସେମାନେ ହେଲେ ନନ୍ଦ ସୋଡି, ଜୋଗା ମାଡ଼କାମ, ହାଣ୍ଡା ମାର୍କମ, ନନ୍ଦ ମାର୍କମ, ନନ୍ଦା ସୋରି, ସୁଲା ହେମଲା । ସୂଚନା ଅନୁଯାୟୀ, ମାଲାଙ୍ଗେର ଏରିଆ କମିଟିର ନକ୍ସଲମାନେ ଫେବୃଆରୀ ୪ ତାରିଖ ବିଳମ୍ବିତ ରାତିରେ କାକାଡି ବାସିନ୍ଦା ହଡମା ହେମଲାଙ୍କ ଘରେ ପହଞ୍ଚି ପ୍ରଥମେ ହଡମାଙ୍କୁ ଘରୁ ଟାଣି ଆଣି ପୁଲିସ ସୂଚନାଦାତା ଅଭିଯୋଗ ଲଗାଇବା ସହ ଏକ ଧାରୁଆ ଅସ୍ତ୍ରରେ ତାଙ୍କର ଗଳାକାଟି ହତ୍ୟା କରିଥିଲେ । ହତ୍ୟା ଘଟଣା ପରେ, ନକ୍ସଲମାନେ ହଡମାଙ୍କ ମୃତଦେହକୁ ଘର ବାହାରେ ଫୋପାଡ଼ି ଦେଇଥିଲେ । ଯାହା ପରେ ଗାଁ ଲୋକେ ଏ ବିଷୟରେ ପୁଲିସକୁ ଜଣାଇଥିଲେ । ପୁଲିସ ତଦନ୍ତରେ ମଲାଙ୍ଗେର ଏରିଆ କମିଟିର ନକ୍ସଲଙ୍କ ସମ୍ପୃକ୍ତି ଜଣାପଡ଼ିବା ପରେ, ସୁରକ୍ଷାବାହିନୀର ଯବାନ ମାନେ ଉକ୍ତ ଅଞ୍ଚଳରେ ନିରନ୍ତର ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି । ଯାହା ପରେ ଏହି ହତ୍ୟା ଘଟଣାରେ ସମ୍ପୃକ୍ତ କିଛି ଲୋକଙ୍କୁ ସେହି ଗାଁର ଭିନ୍ନ ଭିନ୍ନ ସ୍ଥାନରୁ ପୁଲିସ ଧରିବାରେ ସଫଳ ହୋଇଛି । ଗିରଫ ଅଭିଯୁକ୍ତମାନେ ନକ୍ସଲ ସଂଗଠନର ସକ୍ରୀୟ ସଦସ୍ୟ ଭାବରେ ଚିହ୍ନଟ ହୋଇଥିଲେ । ପଚରାଉଚରା ଏବଂ ତଦନ୍ତ ସମୟରେ ଜଣାପଡିଥିଲା ଯେ ଗ୍ରାମବାସୀଙ୍କ ହତ୍ୟାରେ ୭ ଜଣ ଅଭିଯୁକ୍ତ ସାମିଲ ଥିଲେ । ଏଏସପି ଆର କେ ବର୍ମନ କହିଛନ୍ତି ଯେ କାର୍ଯ୍ୟାନୁଷ୍ଠାନ ପରେ ସମସ୍ତ ୭ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ଜେଲକୁ ପଠାଯାଇଛି ।