ସ୍ୱାସ୍ଥ୍ୟକେନ୍ଦ୍ରରେ ପଶିଲା ପାଣି : ସ୍ୱାସ୍ଥ୍ୟସେବା ବାଧାପ୍ରାପ୍ତ
ମାଲକାନଗିରି : ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ଯୋଡାମ୍ୱ ସ୍ଥିତ ପ୍ରାଥମିକ ଆରୋଗ୍ୟ କେନ୍ଦ୍ରରେ ବର୍ଷା ଜଳ ପଶିଯିବା ଫଳରେ ସ୍ୱାସ୍ଥ୍ୟସେବା ବାଧାପ୍ରାପ୍ତ ହୋଇଛି । ଗତ ସନ୍ଧ୍ୟାରେ ଦୁଇ ଘଣ୍ଟା ଧରି ମୁଷଳ ଧାରାରେ ବର୍ଷା ହେବା ଫଳରେ ସ୍ୱାସ୍ଥ୍ୟକେନ୍ଦ୍ର ଭିତରେ ଅଣ୍ଠୁଏ ଉଚ୍ଚର ପାଣି ପ୍ରବାହିତ ହୋଇଥିଲା । ଯାହାଫଳରେ ସେଠାରେ ଚିକିତ୍ସିତ ହେଉଥିବା ୧୦ ରୁ ୧୫ ଜଣ ରୋଗୀଙ୍କୁ ଚିତ୍ରକୋଣ୍ଡା ଉପଖଣ୍ଡ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ସ୍ୱାସ୍ଥ୍ୟକେନ୍ଦ୍ର ଭିତରେ ପାଣି ପ୍ରବାହିତ ହେବା ଫଳରେ ସ୍ୱାସ୍ଥ୍ୟ କେନ୍ଦ୍ରରେ ଥିବା ସମସ୍ତ ସରଞ୍ଜାମ, କାଗଜ ପତ୍ର, ମେଡିସିନ ପାଣିରେ ଭାସୁଥିବା ଦେଖିବାକୁ ମିଳିଥିଲା । ଏହାସହ ସ୍ୱାସ୍ଥ୍ୟକେନ୍ଦ୍ର ଭିତରେ ଥିବା ମା’ ଗୃହ ଭିତରେ ମଧ୍ୟ ପାଣି ପଶିଯାଇଥିଲା । ଯାହାଫଳରେ ଗୃହରେ ଥିବା ଗର୍ଭବତୀ ମହିଳାମାନେ ମଧ୍ୟ ଅସୁବିଧାର ସମ୍ମୁଖୀନ ହୋଇଥିଲେ । ପ୍ରତିବର୍ଷ ଲଗାଣ ବର୍ଷା ହେଲେ ସ୍ୱାସ୍ଥ୍ୟକେନ୍ଦ୍ର ମଧ୍ୟରେ ଏଭଳି ପାଣି ପଶିଯାଉଥିବାର ଦେଖିବାକୁ ମିଳିଥାଏ । ତେବେ ସ୍ୱାସ୍ଥ୍ୟ ବିଭାଗ ଏହାକୁ ଗୁରୁତର ସହ ନେଇ ଏହି ଅସୁବିଧାର ସ୍ଥାୟୀ ସମାଧାନ କରିବା ପାଇଁ ଅଞ୍ଚଳର ଲୋକମାନେ ଦାବି କରୁଛନ୍ତି । ଏ ସମ୍ପର୍କରେ ଆମେ ଭାରପ୍ରାପ୍ତ ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ବ୍ରଜବନ୍ଧୁ ଦାଶଙ୍କୁ ଯୋଗାଯୋଗ କରିବାକୁ ସେ କହିଥିଲେ ଉକ୍ତ ସ୍ୱାସ୍ଥ୍ୟକେନ୍ଦ୍ରଟି ପୂର୍ବରୁ ପାହାଡ଼ ତଳେ ନିର୍ମାଣ ହୋଇଥିବାରୁ ଅଧିକ ବର୍ଷା ହେଲେ ବର୍ଷା ପାଣି ସ୍ୱାସ୍ଥ୍ୟ କେନ୍ଦ୍ର ଭିତରକୁ ପ୍ରବେଶ କରୁଛି । ଏହି ଘଟଣା ଜାଣିବା ପରେ ଚିତ୍ରକୋଣ୍ଡା ଓ ଜିଲ୍ଲା ସ୍ୱାସ୍ଥ୍ୟ ଟିମଙ୍କୁ ସେଠାକୁ ପଠା ଯାଇଛି, ପରବର୍ତ୍ତୀ ସମୟରେ ଯେପରି ସ୍ୱାସ୍ଥ୍ୟ କେନ୍ଦ୍ର ଭିତରକୁ ବର୍ଷା ପାଣି ପ୍ରବେଶ ନ କରିବ ସେଥିପ୍ରତି ଗୁରୁତ୍ୱ ଦିଆଯିବ ବୋଲି ଡାକ୍ତର ଶ୍ରୀ ଦାଶ କହିଛନ୍ତି ।