ହରିଶଙ୍କର ହେବେ କଂଗ୍ରେସର ଛାତ୍ର ସଭାପତି!
ବିଜେଡିର ଛାତ୍ର ନେତା ହରିଶଙ୍କର ରାଉତ ରବିବାର କଂଗ୍ରେସରେ ସାମିଲ ହୋଇଛନ୍ତି । ରେଭେନ୍ସା କଲେଜର ଏହି ପୂର୍ବତନ ସଭାପତି ବିଜେଡି ଛାଡ଼ିବା ପରେ କଂଗ୍ରେସର ହାତ ଧରିଛନ୍ତି । ଆଉ କଂଗ୍ରେସରେ ହରିଶଙ୍କର ସାମିଲ ହେବା ପରେ, ଏବେ ଚର୍ଚ୍ଚା ହେଉଛି ଯେ ହରିଶଙ୍କରଙ୍କୁ ଛାତ୍ର ସଭାପତି କରି ବଡ଼ ଦାୟିତ୍ୱ ଦେଇପାରେ ରାଜ୍ୟ କଂଗ୍ରେସ । ପୂର୍ବରୁ କଂଗ୍ରେସର ଛାତ୍ର ସଭାପତି ଥିବା ଉଦିତ ପ୍ରଧାନ ଦୁଷ୍କର୍ମ ଅଭିଯୋଗରେ ଗିରଫ ହେବା ପରେ, ଜୁଲାଇ ୨୧ ତାରିଖରୁ ତାଙ୍କୁ ସଭାପତି ପଦରୁ ବିଦା କରିଥିଲା କଂଗ୍ରେସ । ଏହାପରଠୁ ରାଜ୍ୟ କଂଗ୍ରେସର ଛାତ୍ର ସଭାପତି ପଦ ଫାଙ୍କା ପଡିଛି । ଲବିରେ ଏବେ ବି ଅନେକ ଛାତ୍ର ନେତା ଅଛନ୍ତି, ହେଲେ ତା ପରେ ବି ହରିଶଙ୍କରଙ୍କୁ ଦଳ ଛାତ୍ର ସଭାପତି ଭାବେ ବଡ଼ ଦାୟିତ୍ୱ ଦେଇପାରେ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି । ବିଜେଡିରେ ଥିବାବେଳେ, ହରିଶଙ୍କର ଛାତ୍ର ସଭାପତି ହେବାକୁ ଆଶା ରଖିଥିଲେ । ଏମିତି କି ତାଙ୍କୁ ଅନେକ ଥର ପ୍ରତିଶ୍ରୁତି ଦିଆଯାଇଥିଲା, ଆଉ ଶେଷରେ ତାଙ୍କ ସହ ପ୍ରତାରଣା କରାଯାଇଛି ବୋଲି ସେ ଖୋଲାମଞ୍ଚରେ କହିଥିଲେ । ଆଉ ବିଜେଡିକୁ ବାଏ ବାଏ କହିବାର କିଛି ଦିନ ପରେ, ଏବେ ସେ କଂଗ୍ରେସରେ ସାମିଲ ହୋଇଥିବାରୁ, ତାଙ୍କୁ ଛାତ୍ର ସଭାପତି ପଦ ମିଳିବା ଚର୍ଚ୍ଚା ଜୋର ଧରିଛି ।