କୃଷକ ମଞ୍ଚ ପକ୍ଷରୁ ତହସିଲଦାରଙ୍କୁ ସ୍ମାରକ ପତ୍ର
ଧର୍ମଶାଳା : ଧର୍ମଶାଳା ବ୍ଲକ ଦ୍ୱିପାଂଚଳରେ ବୁଲାଷଣ୍ଢ, ମାଙ୍କଡ ଓ ବଣୁଆ ଘୁଷୁରୀଙ୍କ ପାଦୃଭାବ ବଢ଼ିବାରେ ଲାଗିଛି । ଉତରପ୍ରତାପ, ରାଉତରାପୁର, ଦେଓଦା, ମଙ୍ଗଳପୁର ଓ ଅରବଳ ଏହି ୫ଗୋଟି ପଂଚାୟତ ଏକ କୃଷି ବହୁଳ ଅଂଚଳ ହୋଇଥିବାରୁ ବର୍ଷକ ବାରମାସ ଚାଷକାର୍ଯ୍ୟ କରି ପରିବାର ପ୍ରତିପୋଷଣ କରନ୍ତି । ମାତ୍ର ଏବେ ବୁଲାଷଣ୍ଢ, ମାଙ୍କଡ ଓ ବଣୁଆ ଘୁଷୁରୀମାନେ ଅହରହ ଚାଷ ଜମିରେ ପଶି ଫସଲ ନଷ୍ଟ କରୁଛନ୍ତି, ଯାହାକି ଚାଷୀଙ୍କ ଦୁଃଖର କାରଣ ହୋଇଛି । ଚାଷୀ ଏମାନଙ୍କ କବଳରୁ ରକ୍ଷା ପାଇବା ପାଇଁ ବାନ୍ଧିବାକୁ ଚେଷ୍ଟା କରୁଛନ୍ତି, ତେବେ ସ୍ଥାନୀୟ ଅସମାଜିକ ଯୁବକମାନେ ବଜରଙ୍ଗ ଦଳର ସଭ୍ୟ କହି ଗଣ୍ଡଗୋଳ ସହ ମାରଧର କରୁଛନ୍ତି । ଫସଲ ରକ୍ଷା ପାଇଁ ଧର୍ମଶାଳା କୃଷକ ମଂଚ ସଭାପତି ସଞ୍ଜୟ କୁମାର ରାଉତଙ୍କ ନେତୃତ୍ୱରେ ବସନ୍ତ କୁମାର ପରିଡା, କୁଳମଣି ମଳିକ, ସମ୍ପାଦକ ସଞ୍ଜୟ ରାଉତ, ଗୟାଧର ସେଠି, ରାଜକିଶୋର ଶତପଥୀ, ନାରାୟଣ ରାଉତ, ଅଜୟ ରାଉତ, ହେମନ୍ତ ବଳ, ମାୟାଧର ରାଉତ, ମନୋଜ ମଳିକ, ପ୍ରଭାତ କୁମାର ରାଉତ, ଅଭିରାମ ବରାଳ ସମେତ ବହୁ ଚାଷୀ ଏକ ସ୍ମାରକ ପତ୍ର ଧର୍ମଶାଳା ତହସିଲଦାରଙ୍କୁ ପ୍ରଦାନ କରାଯାଇଥିବା ବେଳେ ଏହାର ନକଲ ଜିଲ୍ଲାପାଳ, ବିଡ଼ିଓ, ଥାନା ଭାରପ୍ରାପ୍ତ ଅଧିକାରୀଙ୍କୁ ଦିଆଯାଇଛି ।