ଏସ୍ସିବିରେ ଖୋଲିବ ‘ପେନ୍ କ୍ଲିନିକ୍’
ଭୁବନେଶ୍ୱର : ଯଦି ଶରୀରରେ କୌଣସି ପ୍ରକାର ଅସ୍ତ୍ରୋପ୍ରଚାର ହୋଇଥାଏ କିମ୍ବା ବିନା କୌଣସି ଅସ୍ତ୍ରୋପ୍ରଚାରରେ ବି ଦୀର୍ଘ ଦିନ ଧରି ଯନ୍ତ୍ରଣା ହେଉଛି, ଏହାର ଚିକିତ୍ସା ପାଇଁ ଏସ୍ସିବି ମେଡିକାଲରେ ଖୋଲିବାକୁ ଯାଉଛି ‘ପେନ୍ କ୍ଲିନିକ୍’ । ନିଶ୍ଚତକ ବିଭାଗ ପକ୍ଷରୁ ଏଭଳି କ୍ଲିନିକ୍ ଖୋଲାଯିବ । ଅତ୍ୟାଧୁନିକ ରେଡିଓ ଫ୍ରିକୁଏନ୍ସି ଆବଲେସନ୍ (ଆର୍ଏଫ୍ଏ) ମେସିନ୍ ମାଧ୍ୟମରେ ଯନ୍ତ୍ରଣାକୁ ଉପଶମ କରାଯିବ । ଏଥିପାଇଁ ଅର୍ଦ୍ଧାଧିକ ଯନ୍ତ୍ରାଂଶ ଏସ୍ସିବିକୁ ଆସିସାରିଥିବା ବେଳେ ଖୁବ୍ଶୀଘ୍ର କ୍ଲିନିକ୍ କାର୍ଯ୍ୟକ୍ଷମ ହେବାକୁ ଯାଉଛି । ତଥ୍ୟ ଅନୁଯାୟୀ, ଅନେକ ବ୍ୟକ୍ତିଙ୍କ ଅସ୍ତ୍ରୋପ୍ରଚାରରେ ବହୁ ଦିନ ପରେ ଯନ୍ତ୍ରଣା କମି ନଥାଏ । ଏହାକୁ କ୍ରନିକ୍ ପେନ୍ କୁହାଯାଏ । ଅନେକ ବ୍ୟକ୍ତିଙ୍କର ବିନା କୌଣସିପ୍ରକାର ଅସ୍ତ୍ରୋପ୍ରଚାରରେ ବି ଯନ୍ତ୍ରଣା ହୋଇଥାଏ । ଶରୀରରେ ଯଦି କେଉଁଠି ମାଡ଼ ହୋଇଥାଏ, ଏହି ଯନ୍ତ୍ରଣା ଦୀର୍ଘ ଦିନ ଧରି ରହିଥାଏ । କୌଣସି ପ୍ରକାର ଟ୍ରମା କି ସର୍ଜରି ଇତିହାସ ନଥାଇ ମଧ୍ୟ ମାନସିକ ଯନ୍ତ୍ରଣା ହୋଇଥାଏ । ଏଭଳି ଯନ୍ତ୍ରଣାର ଉପଶମ ପାଇଁ ‘ପେନ୍ କ୍ଲିନିକ୍’ ଉପଯୋଗୀ ହେବ । ଏଥିପାଇଁ ଉପକରଣ କିଣିବାକୁ ୫୦ ଲକ୍ଷ ଟଙ୍କାର ବଜେଟ ବରାଦ ହୋଇଛି । ବର୍ତ୍ତମାନ ସୁଦ୍ଧା ଅଲଟ୍ରାସାଉଣ୍ଡ, ଓଜନ ମେସିନ୍ ଇତ୍ୟାଦି ପହଞ୍ଚି ସାରିଛି । ପାଖାପାଖି ୧୦ ଲକ୍ଷ ଟଙ୍କାର ଉପକରଣ କିଣାସାରିଛି । ସବୁଠାରୁ ଦାମୀ ତଥା ଅତ୍ୟାଧୁନିକ ମେସିନ୍ ରେଡିଓ ଫ୍ରିକୁଏନ୍ସି ଆବଲେସନ୍(ଆର୍ଏଫ୍ଏ) ମେସିନ୍ ପାଇଁ ଚିଠି ଲେଖା ସରିଥିବା ବେଳେ ଖୁବଶୀଘ୍ର ଏହା ପହଞ୍ଚିବ । ଏଥିପାଇଁ ୧୫ ଲକ୍ଷ ଟଙ୍କା ଖର୍ଚ୍ଚ ହେବ । ଏହି ମେସିନ୍ ମାଧ୍ୟମରେ ସ୍ନାୟୁ (ନର୍ଭ)ର ଯେଉଁ ଅଂଶରେ ଯନ୍ତ୍ରଣା ହେଉଛି ତାହାକୁ ନଷ୍ଟ କରିଦିଆଯିବ । ଏହି କ୍ଲିନିକ ସପ୍ତାହରେ ଦୁଇ ଦିନ ଖୋଲିବ । ଏଥିରେ ୫ଟି ଡେ କେୟାର ବେଡ୍ ରହିବ । ନ୍ୟୁରୋଲଜି ଓ ଅସ୍ଥିଶଲ୍ୟ ବିଭାଗରୁ ଅଧିକ ସଂଖ୍ୟକ ରୋଗୀ ଏଠାକୁ ଆସିବାର ସମ୍ଭାବନା ରହିଛି । ଅନ୍ୟପଟେ ଏଭଳି କ୍ଲିନିକ୍ ପାଇଁ ଦୁଇଜଣ ପ୍ରଫେସର ଓ ଆସିଷ୍ଟାଣ୍ଟ ପ୍ରଫେସର ଦାୟିତ୍ୱରେ ରହିବେ । ରାଜ୍ୟ ସରକାର ଜଣେ ପ୍ରଫେସରଙ୍କୁ ଏଭଳି ଚିକିତ୍ସା ପାଇଁ ତାଲିମ ଦେଇସାରିଛନ୍ତି । ତେବେ ଏସ୍ସିବିରେ ଏହା କାର୍ଯ୍ୟକ୍ଷମ ହେଲେ ଅନେକ ରୋଗୀ ଉପଶମ ପାଇପାରିବେ ବୋଲି ଡାକ୍ତରଖାନା ପକ୍ଷରୁ ସୂଚନା ମିଳିଛି ।