ଜାରି ହେଲା ଗାଇଡ଼ଲାଇନ୍: ସମବାୟ ବ୍ୟାଙ୍କରେ ଲାଗୁ ହେବ ଓଟିଏସ୍ ବ୍ୟବସ୍ଥା
ଭୁବନେଶ୍ୱର: ୱାନ୍ ଟାଇମ୍ ସେଟଲମେଣ୍ଟ (ଓଟିଏସ୍) ବା ଏକକାଳୀନ ପଇଠ ପ୍ରାବଧାନ ସମବାୟ ବ୍ୟାଙ୍କମାନଙ୍କରେ ଲାଗୁ ହେବ । ଏହି ବ୍ୟବସ୍ଥା ଲାଗୁ କରିବାକୁ ସମବାୟ ବିଭାଗ ବିଧିବଦ୍ଧ ଅନୁମୋଦନ ପ୍ରଦାନ କରିଛି । ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କ, ଜିଲ୍ଲା କେନ୍ଦ୍ରୀୟ ସମବାୟ ବ୍ୟାଙ୍କ, ସହରାଞ୍ଚଳ ସମବାୟ ବ୍ୟାଙ୍କ ଏବଂ ପ୍ରାଥମିକ କୃଷି ସମବାୟ ସମିତିରେ ଏହା କାର୍ଯ୍ୟକାରୀ ହେବ । ଫଳରେ ସମବାୟ ବ୍ୟାଙ୍କ ଓ ପ୍ରାଥମିକ କୃଷି ସମବାୟ ସମିତିର ମୋଟ ଅନାଦେୟ ଋଣ (ଏନପିଏ) ବୋଝ ହ୍ରାସ ପାଇବ ।
ସମବାୟ ବ୍ୟାଙ୍କଗୁଡ଼ିକ ପକ୍ଷରୁ ଦୀର୍ଘଦିନ ଧରି ଏହି ଦାବି କରାଯାଇ ଆସୁଥିଲା । ଏହି ଓଟିଏସ ଯୋଜନା ପ୍ରତ୍ୟେକ ଆର୍ଥିକ ବର୍ଷରେ ଏପ୍ରିଲ ୧ରୁ ଅକ୍ଟୋବର ୩୦ ପର୍ଯ୍ୟନ୍ତ ୬ ମାସ ପାଇଁ କାର୍ଯ୍ୟକାରୀ ହେବ ।
୨୦୨୫-୨୬ ଆର୍ଥିକ ବର୍ଷରେ କାର୍ଯ୍ୟକାରୀ ହେବାକୁ ଥିବା ଏହି ଓଟିଏସ ଯୋଜନା ପାଇଁ କଟ୍ ଅଫ୍ ତାରିଖ ୨୦୨୩ ମାର୍ଚ୍ଚ ୩୧ ସ୍ଥିର କରାଯାଇଛି । କଟ୍-ଅଫ୍ ତାରିଖ ସୁଦ୍ଧା ସମବାୟ ବ୍ୟାଙ୍କଗୁଡ଼ିକ ଦ୍ୱାରା ଦିଆ ଯାଇଥିବା ସମସ୍ତ ଋଣ, ଯାହାକି ସନେ୍ଦହଜନକ ଓ କ୍ଷତି ସମ୍ପତ୍ତିର ରୂପ ନେଇଛି ତାହା ଓଟିଏସ୍ ପାଇଁ ଯୋଗ୍ୟ ବିବେଚିତ ହେବ ।
ପାକସ୍/ଲାମ୍ପସ ଦ୍ୱାରା ଦିଆଯାଇଥିବା ସ୍ୱଳ୍ପକାଳୀନ ଫସଲ ଋଣ, ସମ୍ପୂର୍ଣ୍ଣ ସୁରକ୍ଷିତ ଋଣ, ସୁନା ଋଣ, ଟାଇ-ଅପ୍ ବ୍ୟବସ୍ଥା ଅଧୀନରେ ଋଣ ଏବଂ ଇଚ୍ଛାକୃତ ଖିଲାପକାରୀ ନେଇଥିବା ଋଣ ଏହି ଯୋଜନାରେ ଅନ୍ତର୍ଭୁକ୍ତ ହେବ ନାହିଁ । ଋଣଗ୍ରହୀତାଙ୍କ ଯୋଗ୍ୟତା ଯାଞ୍ଚ କରିବା ପାଇଁ ପ୍ରତ୍ୟେକ ବ୍ୟାଙ୍କ ଦ୍ୱାରା ଏକ ସ୍କ୍ରିନିଂ କମିଟି ଗଠନ କରାଯିବ ।
ସମସ୍ତ ଯୋଗ୍ୟ ପ୍ରସ୍ତାବକୁ ଅନୁମୋଦନ କରିବା ପାଇଁ ବ୍ୟାଙ୍କର ବ୍ୟକ୍ତିଗତ ଅଧିକାରୀମାନଙ୍କୁ ଆର୍ଥିକ କ୍ଷମତା ପ୍ରଦାନ କରାଯିବ । ଏହି ପ୍ରସ୍ତାବ ପରବର୍ତ୍ତୀ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦ୍ୱାରା ସମୀକ୍ଷା କରାଯିବ । ୨୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୁକ୍ ଲିଆବିଲିଟି ଥିବା ଋଣ ଏହି ଯୋଜନାରେ ଅନ୍ତର୍ଭୁକ୍ତ ହୋଇପାରିବ । ପାକସ୍ ପାଇଁ ଏହି ସୀମା ୩ ଲକ୍ଷ ଟଙ୍କା ଧାର୍ଯ୍ୟ କରାଯାଇଛି । କୌଣସି ଋଣଗ୍ରହୀତା ଓଟିଏସ୍କୁ ନିଜର ଅଧିକାର ଭାବେ ଦାବି କରିପାରିବେ ନାହିଁ । ଋଣଗ୍ରହୀତାଙ୍କ ଓଟିଏସ ପ୍ରସ୍ତାବକୁ ଗ୍ରହଣ କିମ୍ବା ପ୍ରତ୍ୟାଖ୍ୟାନ କରିବା ବ୍ୟାଙ୍କ ଉପରେ ହିଁ ନିର୍ଭର କରିବ । ଓଟିଏସର ସୁବିଧା ନେଉଥିବା ବ୍ୟକ୍ତି ତାଙ୍କର ପୂର୍ବ ଋଣର ଚୂଡ଼ାନ୍ତ ସମାଧାନ ପରେ ସର୍ବନିମ୍ନ ୩ ବର୍ଷ ପର୍ଯ୍ୟନ୍ତ ନୂଆ ଋଣ ପାଇଁ ଯୋଗ୍ୟ ହେବେ ନାହିଁ ।