ହୋଟେଲରେ ଚଢ଼ଉ ବାସି ଖାଦ୍ୟ ନଷ୍ଟ, ୩୦ ହଜାର ଜରିମାନା
ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲାର ବିଭିନ୍ନ ବ୍ଲକରେ ଡାଇରିଆର ପ୍ରକୋପକୁ ଦୃଷ୍ଟିରେ ରଖି ବ୍ୟାପକ ସଚେତନତା ସୃଷ୍ଟି କରାଯାଉଛି । ଯାହାକୁ ଦୃଷ୍ଟିରେ ରଖି ଖାଦ୍ୟ ନିରାପତ୍ତା ବିିଭାଗ ପକ୍ଷରୁ ସହରର କେତେକ ହୋଟେଲରେ ବିଭାଗ ପକ୍ଷରୁ ଚଢ଼ଉ କରାଯାଇ ବାସି ଖାଦ୍ୟ ତଥା ବ୍ୟବହାର ଅବଧି ଶେଷ ହୋଇଥିବା ମୃଦୁ ପାନୀୟ ରଖିବା ଅଭିଯୋଗରେ ୩୦ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଛି । ଖାଦ୍ୟ ନିରାପତ୍ତା ବିଭାଗ ଅଧିକାରୀ ଲୋପାମୁଦ୍ରା ନାଏକ ଓ ମୁ୍ୟନିସିପାଲଟି କର୍ମଚାରୀମାନେ ସହରର ଅନେକ ବଡ଼ ହୋଟେଲରେ ଏହି ଚଢ଼ଉ କରିଥିଲେ । ଖାଦ୍ୟ ପ୍ରସ୍ତୁତି ସ୍ଥାନ ଅତ୍ୟନ୍ତ ଅପରିସ୍କାର ରହିଥିବାବେଳେ ବାସିଖାଦ୍ୟ ସମେତ ବହୁଦିନ ତଳର କେତେକ ସାମଗ୍ରୀ ରଖାଯାଇଥିବା ସେମାନେ ଦେଖିବାକୁ ପାଇଥିଲେ । ଏଥିସହିତ ମୃଦୁ ପାନୀୟର ସମୟ ଅବଧି ଶେଷ ହୋଇ ଯାଇଥିବା ଦେଖାଯାଇଥିଲା । ବାସିଖାଦ୍ୟ, ଖାଦ୍ୟରେ ମିଶା ଯାଉଥିବା ରଙ୍ଗ ଓ ବ୍ୟବହାର ଅବଧି ଶେଷ ହୋଇଥିବା ୪୦ କେଜିର ଖାଦ୍ୟ ପଦାର୍ଥ ଓ ବିଭିନ୍ନ ସାମଗ୍ରୀ ନଷ୍ଟ କରାଯାଇଥିଲା । ସଂପୃକ୍ତ ହୋଟେଲ ଗୁଡ଼ିକ ଠାରୁ ୩୦ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଥିଲା । ଏ ସମ୍ପର୍କରେ ସୁରକ୍ଷା ଅଧିକାରୀ ଶ୍ରୀମତି ନାଏକ କହିଛନ୍ତି ଯେ, ବିଭିନ୍ନ ହୋଟେଲର ଭିତର ବହୁତ ଅପରିସ୍କାର ରହିଛି । କେତେକ ହୋଟେଲରେ ଡ୍ରେନେଜ ବ୍ୟବସ୍ଥା ମଧ୍ୟ ନାହିଁ । ହୋଟେଲରେ ଥିବା ବାସିଖାଦ୍ୟକୁ ନଷ୍ଟ କରାଯାଇଛି ଓ ପରିବେଶ ସ୍ୱଚ୍ଛ ରଖୁ ନଥିବାରୁ ଜୋରିମାନା କରାଯାଇଛି । ସ୍ୱଚ୍ଛତା ନେଇ ପ୍ରଶାସନର ନିଦେ୍ର୍ଦଶ ଅନୁପାଳନ ନ କଲେ ପୁଣି ଥରେ ଚଢ଼ଉ କରାଯିବ ବୋଲି ଖାଦ୍ୟ ସୁରକ୍ଷା ଅଧିକାରୀ ସୂଚନା ଦେଇଛନ୍ତି । ସେହିପରି ସହରର ଅନ୍ୟ ହୋଟେଲ ଓ ଦୋକାନଗୁଡ଼ିକ ମଧ୍ୟ ଯାଞ୍ଚ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି ।