‘ଡାଇରିଆରେ କେହି ଆକ୍ରାନ୍ତ ହୋଇନାହାଁନ୍ତି’
ସାଲେପୁର : ସାଲେପୁର ଅଞ୍ଚଳରେ ଡାଇରିଆ ବ୍ୟାପୀ ବହୁ ଲୋକ ଆକ୍ରାନ୍ତ ହୋଇଥିବା ବେଳେ ଡାଇରିଆ ରୋଗରେ ଜଣେ ମୃତୁ୍ୟବରଣ କରିଥିବା ଖବର ସ୍ଥାନୀୟ ଅଞ୍ଚଳରେ ଜୋର ଧରିଥିବାବେଳେ ସାଲେପୁର ମେଡ଼ିକାଲର ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ବିଜୟ କୁମାର ପ୍ରଧାନ ପ୍ରକାଶ ଏହି ଖବରକୁ ଖଣ୍ଡନ କରିଛନ୍ତି । ଗତକାଲି ନିଶ୍ଚିନ୍ତକୋଇଲି ବ୍ଲକ୍ ଜନାର୍ଦ୍ଦନପୁର ଗ୍ରାମର ସାବିତ୍ରୀ ସ୍ୱାଇଁ ଚିକିତ୍ସା ନିମନ୍ତେ ସାଲେପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆସିଥିଲେ । ସେଠାରେ ତାଙ୍କର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ଼ ମେଡ଼ିକାଲକୁ ପଠାଇ ଦିଆଯାଇଥିଲା । ଆଜି ତାଙ୍କର କଟକ ବଡ଼ ମେଡ଼ିକାଲରେ ଭୋରରୁ ମୃତୁ୍ୟ ଘଟିଛି । ସାବିତ୍ରୀ ସ୍ୱାଇଁ ପୂର୍ବରୁ କିଡ୍ନୀ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବାବେଳେ ଗତ କାଲି ତାଙ୍କର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ପ୍ରଥମେ ସାଲେପୁର ଓ ପରେ କଟକ ବଡ଼ ମେଡ଼ିକାଲକୁ ପଠାଇ ଦିଆଯାଇଥିଲା । କିଡ୍ନୀ ରୋଗରେ ଆକ୍ରାନ୍ତ ହୋଇ ତାଙ୍କର ମୃତୁ୍ୟ ହୋଇଥିବାବେଳେ ସାଲେପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଞ୍ଚଳରେ ଅଦ୍ୟାବଧି କୌଣସି ବ୍ୟକ୍ତି ଡାଇରିଆ ରୋଗରେ ଆକ୍ରାନ୍ତ ହୋଇ ସାଲେପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ନିମନ୍ତେ ଆସିନାହାଁନ୍ତି । ମିଥ୍ୟା ପ୍ରଚାର କରି ଲୋକମାନଙ୍କୁ ଭୟଭୀତ କରାଯାଉଛି । ତେଣୁ ମିଥ୍ୟା ଖବର ଠାରୁ ଦୂରେଇ ରହିବାପାଇଁ ସାଲେପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ମୁଖ୍ୟ ଚିକିତ୍ସା ଅଧିକାରୀ ଡା.ବିଜୟ କୁମାର ପ୍ରଧାନ ଆମ ପ୍ରତିନିଧିଙ୍କ ଠାରେ ପ୍ରକାଶ କରିଛନ୍ତି ।