ହ୍ବାଟ୍ସଆପ୍ ଲିଙ୍କ୍ କ୍ଲିକ୍ କରି ବ୍ୟାଙ୍କ୍ ମହିଳା ମ୍ୟାନେଜରଙ୍କ ଆକାଉଣ୍ଟରୁ ୮ ଲକ୍ଷ ଲୁଟ
ଦିନକୁ ଦିନ ବଢ଼ିବାରେ ଲାଗିଛି ସାଇବର ଠକ । ଯୁବପିଢ଼ିଙ୍କଠୁ ନେଇ ବୟସ୍କ ସମସ୍ତେ ଏହାର ଶିକାର ହେଉଛନ୍ତି । ସେହିପରି ଅନ୍ଲାଇନ୍ ଲୁଟେରାଙ୍କ ଜାଲରେ ପଡ଼ି ଜଣେ ବ୍ୟାଙ୍କ୍ ଅଧିକାରୀ ସର୍ବସ୍ୱାନ୍ତ ହୋଇଛନ୍ତି । ଅନୁଗୁଳ ସହରର ଜଣେ ବ୍ୟାଙ୍କ ମ୍ୟାନେଜର୍ଙ୍କୁ ସାଇବର ଠକ ଚୂନ ଲଗାଇବା ନେଇ ପୁଲିସ୍ରେ ଅଭିଯୋଗ ହୋଇଛି । ହ୍ବାଟ୍ସଆପ୍କୁ ଆସିଥିବା ଏକ ଆପ୍କୁ ଡାଉନ୍ଲୋଡ୍ କରି କେୱାଇସି ଅପଡେଟ୍ କରିବା ମହଙ୍ଗା ପଡ଼ିଛି । ମହିଳା ବ୍ୟାଙ୍କ୍ ମ୍ୟାନେଜରଙ୍କ ଆକାଉଣ୍ଟରୁ ଅଦୃଶ୍ୟ ଲୁଟେରା ୮ ଲକ୍ଷ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି । ପୁଲିସ୍ ସୂଚନା ମୁତାବକ, ଓଡ଼ିଶାର ପଶ୍ଚିମାଞ୍ଚଳ ଏକ ଜିଲ୍ଲାରେ ବ୍ୟାଙ୍କ୍ ମ୍ୟାନେଜରଙ୍କ ଘର ହୋଇଥିବା ବେଳେ ସେ ଅନୁଗୁଳ ସହରର ଏକ ବ୍ୟାଙ୍କରେ କାର୍ଯ୍ୟରତ ଅଛନ୍ତି । ଗତ ୨୬ ତାରିଖ ସନ୍ଧ୍ୟାରେ ତାଙ୍କ ହ୍ବାଟ୍ସଆପ୍କୁ ଏକ ନମ୍ବରରୁ ‘ଏପିକେ ଆପ୍’ ଆସିଥିଲା । ଏହାକୁ ଡାଉନ୍ଲୋଡ୍ କରି କେୱାଇସି ଅପଡେଟ୍ କରିବାକୁ କୁହାଯାଇଥିଲା । ମହିଳା ବ୍ୟାଙ୍କ୍ ମ୍ୟାନେଜର ଆପ୍କୁ ଡାଉନ୍ଲୋଡ୍ କରି କେୱାଇସି ଭରିଥିଲେ । ଏହାର କିଛି ସମୟ ମଧ୍ୟରେ ତାଙ୍କ ଆକାଉଣ୍ଟରୁ ଟଙ୍କା କଟିବା ଆରମ୍ଭ ହୋଇଥିଲା । ସାଇବର ଠକ ଏକାଧିକ ପର୍ଯ୍ୟାୟରେ ୭ ଲକ୍ଷ ୯୯ ହଜାର ୮୯୯ ଟଙ୍କା ଲୁଟି ନେଇଥିଲା । ଠକାମିର ଶିକାର ହୋଇଥିବା ଜାଣିବା ପରେ ବ୍ୟାଙ୍କ ମ୍ୟାନେଜର ସାଇବର ଥାନାର ଦ୍ଵାରସ୍ଥ ହୋଇଛନ୍ତି । ତେବେ ଆମେ ଆପଣଙ୍କୁ ସତର୍କ କରାଇ ଦେଉଛୁ ଯେ ସାଇବର ଠକେଇରୁ ବଞ୍ଚିବା ପାଇଁ ଏହିସବୁ କାର୍ଯ୍ୟ କରନ୍ତୁ ନାହିଁ ।
କୌଣସି ଅଜଣା ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ ନାହିଁ । ହ୍ବାଟ୍ସଆପ୍ କିମ୍ବା ଅନ୍ୟ କୌଣସି ସାମାଜିକ ମାଧ୍ୟମରେ ଆସୁଥିବା ଆପ୍କୁ ଡାଉନ୍ଲୋଡ୍ କରନ୍ତୁ ନାହିଁ । ବ୍ୟାଙ୍କ କେବେବି ହ୍ବାଟ୍ସଆପ୍ ମାଧ୍ୟମରେ କେୱାଇସି ଅପଡେଟ୍ କରିବାକୁ କୁହେ ନାହିଁ । କୌଣସି ସନ୍ଦେହ ହେଲେ ତୁରନ୍ତ ନିକଟସ୍ଥ ବ୍ୟାଙ୍କ ଶାଖା କିମ୍ବା ସାଇବର ହେଲ୍ପଲାଇନ୍ ନମ୍ବର ୧୯୩୦ରେ ଯୋଗାଯୋଗ କରନ୍ତୁ ।
ଏହି ଘଟଣା ପୁଣିଥରେ ସାଇବର ସୁରକ୍ଷା ପ୍ରତି ସଚେତନତାର ଆବଶ୍ୟକତାକୁ ଦର୍ଶାଉଛି । ସାମାନ୍ୟ ଅସାବଧାନତା ଯୋଗୁଁ କିପରି ଜଣେ ବ୍ୟକ୍ତି ନିଜର କଷ୍ଟ ଅର୍ଜିତ ଅର୍ଥ ହରାଇପାରେ, ଏହା ତା’ର ଏକ ଜ୍ୱଳନ୍ତ ଉଦାହରଣ ।