‘ଧନୁଯାତ୍ରା ୱେବସାଇଟ୍’ ଉନ୍ମୋଚିତ : ଧନୁଯାତ୍ରାରେ ଧର୍ମେନ୍ଦ୍ର

 ଭୁବନେଶ୍ୱର: ବରଗଡ଼ ଧନୁଯାତ୍ରା ସମାଜରେ ନୈତିକ ମୂଲ୍ୟବୋଧକୁ ସ୍ଥାପିତ କରିବାର ଅନନ୍ୟ ଲୋକପରମ୍ପରା ବୋଲି ଧନୁଯାତ୍ରା ମହୋତ୍ସବରେ ଯୋଗଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଧନୁଯାତ୍ରାର ଶୁଭେଚ୍ଛା ଜଣାଇବା ସହ କେନ୍ଦ୍ର ଶିକ୍ଷାମନ୍ତ୍ରୀ କହିଛନ୍ତି ଯେ, ବରଗଡ଼ର ଉତ୍ସାହୀ ଓ ସଚେତନ ନାଗରିକଙ୍କ ସକ୍ରିୟ ସହଯୋଗ କାରଣରୁ ବରଗଡ଼ ଧନୁଯାତ୍ରା ବିଶ୍ୱପ୍ରସିଦ୍ଧ ହୋଇଛି । କୃଷିଭିତ୍ତିକ ଅଞ୍ଚଳରେ ଚାଷୀଙ୍କୁ ଆମୋଦପ୍ରମୋଦ ଏବଂ ମନୋରଞ୍ଜନରେ ବାନ୍ଧି ରଖିବା ପାଇଁ ଏହି ଯାତ୍ରା ଏକ ଉଲ୍ଲେଖନୀୟ ପ୍ରୟାସ । ଧନୁଯାତ୍ରା ଅସତ୍ୟ ଉପରେ ସତ୍ୟ, ଅନ୍ୟାୟ ଉପରେ ନ୍ୟାୟ ଏବଂ ଅଧର୍ମ ଉପରେ ଧର୍ମର ଚିରନ୍ତନ ବିଜୟର ମହାନ ବାର୍ତ୍ତା ଦେଉଛି । କଂସ ଦରବାର ଓ ପ୍ରଭୁ ଶ୍ରୀକୃଷ୍ଣଙ୍କ ଜୀବନଲୀଳା ଉପରେ ଧନୁଯାତ୍ରା ଯେଉଁ ବାର୍ତ୍ତା ଦେଉଅଛି, ତାହା ସମାଜ ପାଇଁ ସବୁବେଳେ ପ୍ରାସଙ୍ଗିକ ହୋଇ ରହିବ । ବରଗଡ ଆର୍ଶୀବାଦରେ ରାଜ୍ୟରେ ଡବଲ ଇଞ୍ଜିନର ସରକାର ହୋଇଛି  । ଚାଷୀ ଏବଂ ମହିଳାଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରଣ କରୁଛି । କେନ୍ଦ୍ର ସରକାରଙ୍କ ଧାନର ଏମଏସ୍ପି କ୍ୱିଣ୍ଟାଲ ପିଛା ୨୩୦୦ ଟଙ୍କା ଉପରେ ରାଜ୍ୟ ସରକାର ଅଧିକ ୮୦୦ ଟଙ୍କାର ଇନ୍ପୁଟ୍ ସହାୟତା ରାଶି ତଥା ସମୁଦାୟ ୩୧୦୦ ଟଙ୍କା ପ୍ରଦାନ କରୁଛନ୍ତି । ସୁଭଦ୍ରା ଯୋଜନାରେ ଏପର୍ଯ୍ୟନ୍ତ ୮୦ ଲକ୍ଷ ମହିଳା ହିତାଧିକାରୀଙ୍କୁ ମୋଟ ୪ ହଜାର କୋଟି ଟଙ୍କା ବ୍ୟାଙ୍କ୍ ଖାତାରେ ଦିଆଯାଇଛି । ରାଜ୍ୟରେ ଅଦିନିଆ ବର୍ଷା ହେଲା ଏବଂ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ମନ୍ତ୍ରୀମଣ୍ଡଳର ସଦସ୍ୟ କ୍ଷେତକୁ ଯାଇ କ୍ଷତିଗ୍ରସ୍ତ ଚାଷୀଙ୍କୁ ଭେଟିବା ପାଇଁ ଗଲେ । ଦିନିଆ ବର୍ଷାରେ କ୍ଷତିଗ୍ରସ୍ତ ଚାଷୀଙ୍କ ପାଇଁ ତ୍ୱରିତ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠିରୁ ୨୯୧ କୋଟି ଟଙ୍କା ଘୋଷଣା କରାଯାଇଛି । ଓଡ଼ିଶାରେ ପୂର୍ବରୁ ଏମିତି କେବେ ହୋଇନାହିଁ । ବରଗଡ଼କୁ ଚାଷୀଭିତ୍ତିକ ଅର୍ଥନୀତିର ରାଜଧାନୀ କରିବା ସହ ପର୍ଯ୍ୟଟନର ପେଣ୍ଠସ୍ଥଳୀ କରିବା ଉପରେ ଶ୍ରୀ ପ୍ରଧାନ ଆଲୋକପାତ କରିଥିଲେ । ଡବଲ ଇଞ୍ଜିନ ସରକାରରେ ଚାଷୀ, ମହିଳା ଓ ଅନ୍ୟ ବର୍ଗଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତି ପୂରଣ ହେଉଛି । ଏହି ଅବସରରେ ଶ୍ରୀ ପ୍ରଧାନ କଂସ ଦରବାରରେ ଉପସ୍ଥିତ ରହି ଧନୁଯାତ୍ରା ୱେବସାଇଟ୍ ଉନ୍ମୋଚନ କରିଥିଲେ ।