ୟୁକୋ ବ୍ୟାଙ୍କ ଆଗରେ ଧାରଣା ଦେଲେ ଗ୍ରାହକ

ୟୁକୋ ବ୍ୟାଙ୍କ ଧର୍ମଶାଳା ଶାଖାରୁ ଲକ୍ଷାଧିକ ଟଙ୍କା ହଡ଼ପ ଘଟଣାକୁ ନେଇ ଅସନ୍ତୁଷ୍ଟ ଥିବା ଗ୍ରାହକ ଆଜି ବ୍ୟାଙ୍କ ସମ୍ମୁଖରେ ଧରଣାରେ ବସିଛନ୍ତି । ବ୍ୟାଙ୍କ କର୍ମଚାରୀ ଓ ତାଙ୍କ ପୁଅ ମିଶି ଗ୍ରାହକଙ୍କ ଲକ୍ଷାଧିକ ଟଙ୍କା ହଡ଼ପ କରି ଫେରାର ହୋଇଯାଇଥିବା ବେଳେ ଏହାର ପ୍ରତିବାଦରେ ଏକାଧିକ ଗ୍ରାହକ ଧାରଣାରେ ବସିଥିଲେ । ଗ୍ରାହକଙ୍କ ଅଭିଯୋଗ ଜମା ଖାତାରୁ ଚଞ୍ଚକତା ପୂର୍ବକ ପ୍ରାୟ ୨୫ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ଟଙ୍କା ହଡ଼ପ ହୋଇଛି । ହଡ଼ପର ଶିକାର ହୋଇଥିବା ଗ୍ରାହକ ଏନେଇ ବ୍ୟାଙ୍କ କର୍ତ୍ତୃପକ୍ଷ ଓÿ ଥାନାର ଦ୍ୱାରସ୍ଥ ହୋଇଥିଲେ । ତେବେ ନ୍ୟାୟ ଭିକ୍ଷା କରିଥିଲେ ବି ସେମାନଙ୍କୁ ନିରାଶ ହେବାକୁ ପଡ଼ିଛି । ଏପରିକି ନ୍ୟାୟ ନମିଳିଲେ ବ୍ୟାଙ୍କ ସମ୍ମୁଖରେ ଆତ୍ମହୁତି ଦେବା ଲାଗି ଚେତାବନୀ ଦେଇଥିଲେ । ଖବର ପାଇ ଘଟଣା ସ୍ଥଳରେ ବ୍ୟାଙ୍କର ଜୋନାଲ ହେଡ ସୁଦିପ ଡାକୁଆ ଓ ଶାଖା ପରିଚାଳକ ଜୟଦେବ ତ୍ରୀପାଠୀ ପହଁଚି ଗ୍ରାହକମାନଙ୍କୁ ବୁଝାସୁଝା କରିଥିଲେ । ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ କରାଯିବା ନେଇ ପ୍ରତିଶ୍ରୁତି ଦେବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା । ଅନ୍ୟପକ୍ଷରେ ହଡ଼ପ ଟଙ୍କାକୁ ବ୍ୟାଙ୍କ କର୍ତୃପକ୍ଷ ଜମା ଖାତାକୁ ଫେରସ୍ତ ନକଲେ ଅନିର୍ଦ୍ଧିଷ୍ଟ କାଳ ପାଇଁ ଧାରଣା ଦିଆଯିବ ବୋଲି ଗ୍ରାହକ ଶିବ ପ୍ରଧାନ, ସୁମିତ୍ରା ପ୍ରଧାନ, ବର୍ଷା ପ୍ରଧାନ, ଚନ୍ଦ୍ରମଣି ଖଟୁଆ, ରବୀନ୍ଦ୍ର ସାହୁ, ବାଳକୃଷ୍ଣ ବେହେରା, ଅନୁପମା ସାହାଣୀ, କଳ୍ପତରୁ ପ୍ରଧାନ, ସିତାଂଶୁ ବରାଳ, ଶ୍ରବଣ ସାମଲ ପ୍ରମୁଖ ଚେତାବନୀ ଦେଇଛନ୍ତି ।