୧୨ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ହେବ ଏସ୍‌ଆଇଆର୍‌

୧୨ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ହେବ ଏସ୍‌ଆଇଆର୍‌

ନୂଆଦିଲ୍ଲୀ : ବିହାରରେ ଏସଆଇଆର ସଫଳ ହେବା ପରେ ଦ୍ୱିତୀୟ ପର୍ଯ୍ୟାୟରେ ୧୨ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ କରାଯିବ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ବା ଏସଆଇଆର । ଏନେଇ ମୁଖ୍ୟ ନିର୍ବାଚନ କମିଶନର (ସିଇସି) ଜ୍ଞାନେଶ କୁମାର ସୋମବାର ଘୋଷଣା କରିଛନ୍ତି । ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ, ଲକ୍ଷଦ୍ୱୀପ, ଛତିଶଗଡ଼, ଗୋଆ, ଗୁଜରାଟ, କେରଳ, ମଧ୍ୟପ୍ରଦେଶ, ପୁଡୁଚେରୀ, ରାଜସ୍ଥାନ, ତାମିଲନାଡୁ, ଉତ୍ତର ପ୍ରଦେଶ ଏବଂ ପଶ୍ଚିମବଙ୍ଗରେ ଅନୁଷ୍ଠିତ ହେବ । ଏମାନଙ୍କ ମଧ୍ୟରୁ ତାମିଲନାଡୁ, ପୁଡୁଚେରୀ, କେରଳ ଏବଂ ପଶ୍ଚିମବଙ୍ଗରେ ୨୦୨୬ ମସିହାରେ ନିର୍ବାଚନ ହେବାକୁ ଯାଉଛି । କୁମାର ସ୍ପଷ୍ଟ କରିଛନ୍ତି ଯେ ଆସାମରେ ଭୋଟର ତାଲିକାର ସଂଶୋଧନ ପୃଥକ ଭାବରେ ଘୋଷଣା କରାଯିବ ।

     ଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀରେ ସମ୍ବୋଧିତ କରି କୁମାର କହିଛନ୍ତି, "ଆଜି ଆମେ ସ୍ୱତନ୍ତ୍ର ସଘନ ସଂଶୋଧନର ଦ୍ୱିତୀୟ ପର୍ଯ୍ୟାୟ ପ୍ରଚାର ସମ୍ପର୍କରେ ଏଠାରେ ଅଛୁ । ମୁଁ ବିହାରର ଭୋଟରମାନଙ୍କୁ ମୋର ଶୁଭେଚ୍ଛା ଜଣାଉଛି ଏବଂ ଏକ ସଫଳ  ଏସଆଇଆରରେ ଅଂଶଗ୍ରହଣ କରିଥିବା ୭.୫ କୋଟି ଭୋଟରଙ୍କ ସମ୍ମୁଖରେ ନତମସ୍ତକ ହେଉଛି । କମିଶନ ସମସ୍ତ ୩୬ ରାଜ୍ୟର ନିର୍ବାଚନ ଅଧିକାରୀମାନଙ୍କୁ ମଧ୍ୟ ଭେଟି ପ୍ରକ୍ରିୟା ବିଷୟରେ ବିସ୍ତୃତ ଆଲୋଚନା କରିଛନ୍ତି । ସେ ଆହୁରି କହିଛନ୍ତି ଯେ ଗଣନା ପ୍ରକ୍ରିୟା ନଭେମ୍ବର ୪ ତାରିଖରେ ଆରମ୍ଭ ହେବ, ଯେଉଁଥିରେ ପ୍ରାୟ ୫୧ କୋଟି ଭୋଟର ସାମିଲ ହେବେ, ଡ୍ରାଫ୍ଟ ତାଲିକା ଡିସେମ୍ବର ୯ ତାରିଖରେ ଏବଂ ଚୂଡ଼ାନ୍ତ ଭୋଟର ତାଲିକା ୨୦୨୬ ଫେବୃଆରି ୭ ତାରିଖ ରେ ପ୍ରକାଶ ପାଇବ । ଏହି ଅଭିଯାନର ଉଦ୍ଦେଶ୍ୟ ହେଉଛି ତାଲିକାରେ ଯୋଗ୍ୟ ଭୋଟରମାନଙ୍କୁ ଯୋଡିବା ଓ ଅଯୋଗ୍ୟ କିମ୍ବା ଡୁପ୍ଲିକେଟ ନାମଗୁଡ଼ିକୁ ହଟାଇବା । ଏହା ଉଲ୍ଲେଖନୀୟ ଯେ ଭୋଟର ତାଲିକାରେ ତ୍ରୁଟି ବିଷୟରେ ସମସ୍ତ ରାଜନୈତିକ ଦଳଙ୍କ ଅଭିଯୋଗ ସତ୍ତେ୍ୱ ୧୯୫୧ ରୁ ୨୦୦୪ ମଧ୍ୟରେ ଏପରି ସଂଶୋଧନ ୮ ଥର କରାଯାଇଥିଲା । ମୁଖ୍ୟ ନିର୍ବାଚନ କମିଶନର ଆହୁରି କହିଛନ୍ତି ଯେ ଏସଆଇଆର କରାଯାଉଥିବା ରାଜ୍ୟଗୁଡ଼ିକର ଭୋଟର ତାଲିକା ଆଜି ରାତି ୧୨ଟାରେ ଫ୍ରିଜ୍‌ କରାଯିବ । ପ୍ରତ୍ୟେକ ପୋଲିଂ ବୁଥରେ ଜଣେ ବିଏଲଓ ଏବଂ ପ୍ରତ୍ୟେକ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଜଣେ ନିର୍ବାଚନ ପଞ୍ଜିକରଣ ଅଧିକାରୀ (ଇଆରଓ) ନିୟୋଜିତ ହେବେ । ଆଜି ସମସ୍ତ ଭୋଟରଙ୍କ ପାଇଁ ଗଣନା ଫର୍ମ  ମୁଦ୍ରିତ ହେବ । ପ୍ରତ୍ୟେକ ବିଏଲଓ ସୂଚନା ସଂଗ୍ରହ କରିବା ପାଇଁ ପ୍ରତ୍ୟେକ ଘରକୁ ଅତି କମରେ ତିନିଥର ପରିଦର୍ଶନ କରିବେ । ଯେଉଁ ଭୋଟରମାନେ ସେମାନଙ୍କ ନିର୍ବାଚନ ମଣ୍ଡଳୀ ବାହାରେ ଅଛନ୍ତି ସେମାନେ ମଧ୍ୟ ଏହି ଫର୍ମଗୁଡ଼ିକୁ ଅନଲାଇନରେ ପୂରଣ କରିପାରିବେ । ଏହି ପ୍ରକ୍ରିୟା ସମୟରେ କୌଣସି ଅତିରିକ୍ତ ଡକ୍ୟୁମେଣ୍ଟ କିମ୍ବା ଫର୍ମ ଆବଶ୍ୟକ ହେବ ନାହିଁ ।