ଖୋଲିବ ପେଡ଼ି, ହେବ ସାନି ତଦନ୍ତ

Naba Das, Laxmananda Saraswati

ଖୋଲିବ ପେଡ଼ି, ହେବ ସାନି ତଦନ୍ତ

ସ୍ୱାମୀ ଲକ୍ଷ୍ମଣାନନ୍ଦ, ନବ ଦାସ ଓ ମମିତା ମେହେର ହତ୍ୟାକାଣ୍ଡର ହେବ ଖୋଳତାଡ଼

ଭୁବନେଶ୍ୱର : ରାଜ୍ୟର ଅନେକ ହାଇପ୍ରୋଫାଇଲ୍‌ ମଡର଼୍ର କେସର ଫାଇଲ୍‌ ପୁଣି ଖୋଲିବ  । ବହୁ ଚର୍ଚ୍ଚିତ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ, ନବ ଦାସ ଓ ମମିତା ମେହେର ହତ୍ୟାକାଣ୍ଡର ପୁଣି ଖୋଳତାଡ଼ ହେବ  । ଦିଲ୍ଲୀରେ ଗଣମାଧ୍ୟମକୁ ଏଭଳି ସୂଚନା ଦେଇଛନ୍ତି ଆଇନ୍‌ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ  । ବିଜେଡ଼ି ସରକାର ଅମଳରେ ଏହିସବୁ ହତ୍ୟାକାଣ୍ଡର ତଦନ୍ତ ହୋଇଥିବାବେଳେ ଅନେକ ରହସ୍ୟର ପର୍ଦ୍ଦାଫାଶ ହୋଇପାରିନାହିଁ  । ତେଣୁ ବିଜେପି ସରକାର ପୁରୁଣା ଫାଇଲ ଉଖାରି ସତ ବାହାର କରିବାକୁ ନିଷ୍ପତ୍ତି ନେଇଛନ୍ତି  ।

ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କୁ କାହିଁକି ହତ୍ୟା କରାଯାଇଥିଲା ତାହାବି ଏଯାବତ୍‌ ସ୍ପଷ୍ଟ ହୋଇପାରିନାହିଁ  । ଏହି ଘଟଣା ପରେ ପରେ ହିଁ ବିଜେଡ଼ି ଓ ବିଜେପି ମେଣ୍ଟ ଭାଙ୍ଗି ଯାଇଥିଲା  । ୨୦୦୮ ଜନ୍ମାଷ୍ଟମୀ ଉତ୍ସବ ପାଳନ ବେଳେ ସ୍ୱାମୀଜୀଙ୍କୁ ହତ୍ୟା କରାଯାଇଥିଲା  । କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧସ୍ଥିତ ଜଳେଶପଟ୍ଟା ଆଶ୍ରମକୁ ଏକେ-୪୭ ସହ ପଶି ଆସିଥିଲେ ୨୦ରୁ ୩୦ ଆତତାୟୀ  । ସେମାନଙ୍କ ଆଖି ବୁଜା ଗୁଳିମାଡରେ ଟଳି ପଡିଥିଲେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ  । ତାଙ୍କ ସହ ଅନ୍ୟ ୪ ଆଶ୍ରମ ଅନ୍ତେବାସୀଙ୍କର ମଧ୍ୟ ଜୀବନ ଯାଇଥିଲା ।

୨୦୨୩ ଜାନୁଆରୀ ୨୯ରେ ଝାରସୁଗୁଡାରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିବା ସମୟରେ ନବ ଦାସଙ୍କୁ ଗୁଳିମାଡ ହୋଇଥିଲା  । ମନ୍ତ୍ରୀଙ୍କୁ ଗୁଳି କରି ହତ୍ୟା କରିବା ଘଟଣା ସେତେବେଳେ ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଥିଲା  । ମୁଖ୍ୟ ଅଭିଯୁକ୍ତକୁ ଗିରଫ କରାଯାଇଥିଲେ ବି ଏହାର ପ୍ରକୃତ କାରଣ ଏଯାଏଁ ବି ସନ୍ଦେହ ଘେରରେ ରହିଛି  । 

ସନସାଇନ୍‌ ପବ୍ଲିକ୍‌ ସ୍କୁଲର ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲା ସାରା ଓଡିଶାରେ ହଇଚଇ ସୃଷ୍ଟି କରିଥିଲା  । କଳାହାଣ୍ଡି ଜିଲ୍ଲା ମହାଲିଙ୍ଗରେ ଥିବା ସନସାଇନ୍‌ ପବ୍ଲିକ୍‌ ସ୍କୁଲର ସଭାପତି ଗୋବିନ୍ଦ ସାହୁ ହିଁ ମମିତାଙ୍କୁ ହତ୍ୟା କରିଛି ବୋଲି ତଦନ୍ତ ପରେ ପୁଲିସ୍‌ ସ୍ପଷ୍ଟ କରିଥିଲା  । ନିଜ କାର୍‌ ଭିତରେ ମମିତାଙ୍କୁ ହତ୍ୟା କରିବା ପରେ ଏହି ଅପରାଧକୁ ଲୁଚାଇବା ପାଇଁ ମହାଲିଙ୍ଗ ଷ୍ଟାଡିୟମରେ ତାଙ୍କ ମୃତ ଦେହକୁ ପୋଡ଼ି ପୋତି ଦେଇଥିଲା ଗୋବିନ୍ଦ ସାହୁ  । ସେହି ସମୟରେ ପୂର୍ବତନ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କ ନାମ ମଧ୍ୟ ବେଶ ଚର୍ଚ୍ଚାରେ ରହିଥିଲା  ।