୧୬ ଗେଟ୍‌ରେ ପାଣି ଛାଡ଼ୁଛି ହୀରାକୁଦ୍‌

୧୬ ଗେଟ୍‌ରେ ପାଣି ଛାଡ଼ୁଛି ହୀରାକୁଦ୍‌

ହୀରାକୁଦରୁ ପ୍ରଥମ ବନ୍ୟାଜଳ ଛାଡ଼ିବା ପରେ ମହାନଦୀର ଜଳସ୍ତର ବିଭିନ୍ନ ସ୍ଥାନରେ ବଢୁଛି । ନରାଜରେ ବିପଦ ସଙ୍କେତ ୨୬.୪୧ ମିଟର ଥିବାବେଳେ ସତର୍କ ସଙ୍କେତ ୨୫.୪୧ ମିଟର । ବର୍ତ୍ତମାନ ଜଳସ୍ତର ୨୩.୪୬ ମିଟରରେ ପ୍ରବାହିତ ହେଉଛି । ସେପଟେ ୨ଟି ସ୍ଥାନରେ ଫୁଲୁଛି ସୁବର୍ଣ୍ଣରେଖା । ଜାମଶୋଳାଘାଟରେ ବିପଦ ସଙ୍କେତ ୪୯.୧୬ ମିଟର ଥିବାବେଳେ ବିପଦ ସଙ୍କେତ ଡେଇଁ ୪୮.୭୪ ମିଟର ରହିଛି । ରାଜଘାଟରେ ସତର୍କ ସଙ୍କେତ ଉପରେ ପ୍ରବାହିତ ହେଉଛି ସୁବର୍ଣ୍ଣରେଖା । ଏଠାରେ ସତର୍କ ସଙ୍କେତ ୯. ୪୫ ଥିବା ବେଳେ ଏବେ ଜଳସ୍ତର ୯.୭୫ ରହିଛି । ସେପଟେ ଉତ୍ତର ଓଡିଶାରେ କମୁନି ବନ୍ୟାଭୟ । ଜଳକାର ଜଳସ୍ତର ବଢିବା ଫଳରେ ବାଲେଶ୍ବର ୪ଟି ବ୍ଲକବାସୀଙ୍କ ଚିନ୍ତା ବଢୁଛି । ମଥାନୀରେ ବିପଦ ସଙ୍କେତ ୬ .୫୦ ମିଟର ଥିବାବେଳେ ଜଳସ୍ତର ୬.୪୬ ମିଟରରେ ପ୍ରବାହିତ ହେଉଛି।

ସେପଟେ, ହୀରାକୁଦ ଡ୍ୟାମର ୨୦ଟି ଗେଟ୍‌ରୁ ବନ୍ଦ ହୋଇଛି ୪ଟି ଗେଟ୍ । ଏବେ ୧୬ଟି ଗେଟ୍ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ । ଡ୍ୟାମ୍‌ର ବାମପଟରେ ୧୧ଟି ଓ ଡାହାଣ ପଟେ ୫ଟି ଗେଟ୍ ଦେଇ ପାଣି ନିଷ୍କାସିତ ହେଉଛି । ଏବେ ହୀରାକୁଦ ଜଳ ଭଣ୍ଡାରର ଜଳସ୍ତର ୬୦୬ .୧୫ ଫୁଟ୍‌ ରହିଛି । ପ୍ରତି ସେକେଣ୍ଡରେ ୨ ଲକ୍ଷ ୨୫ ହଜାର ୨୪୯ କ୍ୟୁସେକ୍ ଜଳ ପ୍ରବେଶ କରୁଥିବା ବେଳେ ନିଷ୍କାସିତ ହେଉଛି ୨ ଲକ୍ଷ ୯୭ ହଜାର ୫୪୯ କ୍ୟୁସେକ୍ ଜଳ । ସ୍ପିଲ୍‌ୱେ ପାଇଁ ୨ ଲକ୍ଷ ୬୦ ହଜାର ୬୭୫ କ୍ୟୁସେକ୍ ପାଣି ଯାଉଥିବା ବେଳେ ପାୱାର ଚ୍ୟାନେଲ ପାଇଁ ୩୩ ହଜାର ୨୫୯ କ୍ୟୁସେକ୍ ପାଣି ଛଡ଼ାଯାଉଛି । ହୀରାକୁଦ ନଦୀବନ୍ଧରେ ମୋଟ୍‌ ୯୮ଟି ଗେଟ୍ ରହିଛି ।