୧୬ତମ ଅନ୍ତର୍ଜାତୀୟ ରେଳ ଉପକରଣ ପ୍ରଦର୍ଶନୀ ଉଦ୍‌ଘାଟନ କଲେ ଅଶ୍ୱିନୀ

୧୬ତମ ଅନ୍ତର୍ଜାତୀୟ ରେଳ ଉପକରଣ ପ୍ରଦର୍ଶନୀ ଉଦ୍‌ଘାଟନ କଲେ ଅଶ୍ୱିନୀ

ନୂଆଦିଲ୍ଲୀ :  କେନ୍ଦ୍ର ରେଳ, ସୂଚନା ଓ ପ୍ରସାରଣ ଏବଂ ଇଲେକ୍‌ଟ୍ରୋନିକ୍ସ ଓ ଦୂରସଂଚାର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ନୂଆଦିଲ୍ଲୀର ଭାରତ ମଣ୍ଡପମଠାରେ ଏସିଆର ବୃହତ୍ତମ ଓ ବିଶ୍ୱର ୨ୟ ବୃହତ୍ତମ ରେଳ ପ୍ରଦର୍ଶନୀ-୧୬ତମ ଅନ୍ତର୍ଜାତୀୟ ରେଳ ଉପକରଣ ପ୍ରଦର୍ଶନୀ-୨୦୨୫ର ଉଦଘାଟନ କରିଛନ୍ତି । ଏହି ପ୍ରଦର୍ଶନୀର ଶୀର୍ଷକ ରହିଛି "ଭବିଷ୍ୟତ ପାଇଁ ପ୍ରସ୍ତୁତ ରେଳ’ ।

କେନ୍ଦ୍ରମନ୍ତ୍ରୀ ସମର୍ପିତ ଯାତ୍ରୀ କରିଡରଗୁଡ଼ିକର ବିକାଶ ପାଇଁ ଏକ ଯୋଜନା ଘୋଷଣା କରିଛନ୍ତି । ଏହି କରିଡରଗୁଡ଼ିକ ସର୍ବାଧିକ ୩୫୦ କିଲୋମିଟର ପ୍ରତି ଘଣ୍ଟା ବେଗ ଏବଂ ୩୨୦ କିଲୋମିଟର ପ୍ରତି ଘଣ୍ଟା ଗତି ପାଇଁ ଡିଜାଇନ୍‌ କରାଯାଇଛି । ସେ କହିଛନ୍ତି ଯେ ସରକାରଙ୍କ "ବିକଶିତ ଭାରତ’ ପରିକଳ୍ପନାର ଅଂଶ ଭାବରେ ସାରା ଦେଶରେ ଏପରି ଅନେକ କରିଡର ନିର୍ମାଣ କରାଯିବ । ଏହି ପରିକଳ୍ପନା ୨୦୪୭ ସୁଦ୍ଧା ପ୍ରାୟ ୭,୦୦୦ କିଲୋମିଟର ସମର୍ପିତ ରୁଟ୍‌ ବିକଶିତ କରିବାର ଲକ୍ଷ୍ୟ ରଖିଛି । ଏହି କରିଡରଗୁଡ଼ିକ ସ୍ୱଦେଶୀ ଜ୍ଞାନକୌଶଳରେ ବିକଶିତ ସିଗନାଲିଂ ସିଷ୍ଟମ ଏବଂ ଆଧୁନିକ କାର୍ଯ୍ୟକ୍ଷମ ନିୟନ୍ତ୍ରଣ କେନ୍ଦ୍ର (ଏସିସି)ରେ ସଜ୍ଜିତ ହେବ । କେନ୍ଦ୍ରମନ୍ତ୍ରୀ ଘୋଷଣା କରିଥିଲେ ଯେ ବନ୍ଦେ ଭାରତ ଏକ ବଡ଼ ସଫଳତା । ଏହାର ବୈଷୟିକ ମାନଦଣ୍ଡଗୁଡ଼ିକ ବିଶ୍ୱରେ ଶ୍ରେଷ୍ଠତମ ମଧ୍ୟରେ ଅନ୍ୟତମ । 

ଭାରତ ବର୍ତ୍ତମାନ ବନ୍ଦେ ଭାରତ ୩.୦ ଚଲାଉଛି, ଯାହା ପୂର୍ବ ସଂସ୍କରଣ ତୁଳନାରେ ଏକ ଉଲ୍ଲେଖନୀୟଭାବେ ଉନ୍ନତ । ଆସନ୍ତା ୧୮ ମାସରେ ଲଞ୍ଚ ହେବାକୁ ଥିବା ବନ୍ଦେ ଭାରତ ୪.୦ କାର୍ଯ୍ୟଦକ୍ଷତା ଏବଂ ଯାତ୍ରୀ ଅଭିଜ୍ଞତା ସହିତ ଜଡିତ ପ୍ରତ୍ୟେକ ଦିଗରେ ବିଶ୍ୱ ମାନଦଣ୍ଡ ସ୍ଥାପନ କରିବାର ଲକ୍ଷ୍ୟ ରଖିଛି । କେନ୍ଦ୍ରମନ୍ତ୍ରୀ ଅମୃତ ଭାରତ ଟ୍ରେନଗୁଡ଼ିକର ଅଗ୍ରଗତି ବିଷୟରେ ମଧ୍ୟ ସୂଚନା ଦେଇଥିଲେ । ସେ କହିଥିଲେ ଯେ ଅମୃତ ଭାରତ ୨.୦ ପୂର୍ବରୁ କାର୍ଯ୍ୟ ଆରମ୍ଭ କରିସାରିଛି ଓ ଏବେ ୩.୦ ସଂସ୍କରଣର ବିକାଶ କରାଯାଉଛି । ସେ କହିଥିଲେ ଯେ ଅମୃତ ଭାରତ ୪.୦ ରେ ପରବର୍ତ୍ତୀ ପିଢ଼ିର ଟ୍ରେନସେଟ୍‌ ଏବଂ ଲୋକୋମୋଟିଭ୍‌ ଅନ୍ତର୍ଭୁକ୍ତ ହେବ । କେନ୍ଦ୍ରମନ୍ତ୍ରୀ କହିଥିଲେ ଯେ ଏବେ ସାରା ଦେଶରେ ୧୫୬ଟି ବନ୍ଦେ ଭାରତ ସେବା, ୩୦ଟି ଅମୃତ ଭାରତ ସେବା ଏବଂ ୪ଟି ନମୋ ଭାରତ ରେଳସେବା କାର୍ଯ୍ୟକ୍ଷମ ରହିଛି ।