ପବିତ୍ର ଅରୁଣ ସ୍ତମ୍ଭ ଓ ତାହାର କିମ୍ବଦନ୍ତୀ

ପବିତ୍ର ଅରୁଣ ସ୍ତମ୍ଭ ଓ ତାହାର କିମ୍ବଦନ୍ତୀ

ଡ.ଅମୂଲ୍ୟ କୁମାର ପଣ୍ଡା : ଅସରନ୍ତି ରହସ୍ୟର ଗନ୍ତାଘର ଶ୍ରୀପୁରୁଷୋତ୍ତମ କ୍ଷେତ୍ର । ମହାବିଗ୍ରହଙ୍କ, ରୂପ, ଲୀଳା ଓ ମହିମା ଅକ୍ଷୟ ଅବିନାଶୀ । ଶ୍ରୀଜଗନ୍ନାଥଙ୍କ ରହସ୍ୟ ଓ ଅଲୌକିକତା ଅଦ୍ୟାବଧି ସମ୍ପୂର୍ଣ୍ଣ ଭାବରେ ଅଜଣା ଓ ଅସମାହିତ । ଶ୍ରୀକ୍ଷେତ୍ରର ଅନେକ ରହସ୍ୟ ଏବେ ବି ଅଭେଦ୍ୟ ହୋଇରହିଛି । ଦାରୁ ଦିଅଁଙ୍କ ନାମ, ଧାମ, ତତ୍ତ୍ୱ, ସଂସ୍କୃତି ରହସ୍ୟାଚ୍ଛନ୍ନ । ଶ୍ରୀକ୍ଷେତ୍ର ବିଷୟରେ ଅନେକ ରହସ୍ୟମୟ କଥାବସ୍ତୁ ଆଶ୍ଚର୍ଯ୍ୟଜନକ ହେଲେ ହେଁ ଏହା ଶୁଣିଲେ ଅଦୃଶ୍ୟଶକ୍ତି ତଥା ଇଶ୍ୱରୀୟ ସତ୍ତା ପ୍ରତି ବିଶ୍ୱାସ ସ୍ପଷ୍ଟ ହୋଇଥାଏ। ବିଜ୍ଞାନର ପାରିବାପଣ ପ୍ରତି ପ୍ରଶ୍ନ ଉଠାଉଥିବା ଶ୍ରୀମନ୍ଦିର ସଂକ୍ରାନ୍ତରେ କିଛି ଅଜଣା ଓ ଅଲୌକିକ କଥା ଅଛି ଯାହା ଏବେ ବି ରହସ୍ୟମୟ । ଏହି ଅଲୌକିକତା ଭିତରେ ପୁରୀ ଶ୍ରୀମନ୍ଦିର ଅରୁଣ ସ୍ତମ୍ଭ ଗୋଟିଏ । ପୁରୀ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ତଥା ପୂର୍ବ ଦ୍ୱାରରେ ଶୋଭା ପାଉଛି ଅରୁଣ ସ୍ତମ୍ଭ । ଭାରତର କୌଣସି ବିଷ୍ଣୁ ମନ୍ଦିର ସମ୍ମୁଖରେ ଅରୁଣ ସ୍ତମ୍ଭ ନାହିଁ । ମାତ୍ର ପୁରୀରେ ଏହାର ବ୍ୟତିକ୍ରମ ମାତ୍ର । ଏହାର କାରଣ ହେଲା ସୂର୍ଯ୍ୟଦେବଙ୍କ ସାରଥୀ ହେଲେ ଅରୁଣ । ତେବେ ଏହା କିପରି ଶ୍ରୀମନ୍ଦିର ସମ୍ମୁଖକୁ ଆସିଲା ସେଥିନେଇ ଭିନ୍ନ ଭିନ୍ନ ମତ ରହିଛି । ୨୫ ଫୁଟ ୨ ଇଂଚ ବିଶିଷ୍ଟ ସ୍ତମ୍ଭଟି ପୀଠର ଉପରଠାରୁ ଅରୁଣଙ୍କ ପାଦ ପର୍ଯ୍ୟନ୍ତ ଓ ପୀଠର ପତନଠାରୁ ଅରୁଣଙ୍କ ଶିଖା ପର୍ଯ୍ୟନ୍ତ ଉଚ୍ଚ଼ତା ୩୩ ଫୁଟ ୮ ଇଂଚ । ଏହା ଗୋଟିଏ ମୁଗୁନି ପଥରରେ ଗଢ଼ା । ଏଥିରେ ୧୬ ଧାର ରହିଛି ।

ସୂର୍ଯ୍ୟଦେବଙ୍କ ସାରଥୀ ଅରୁଣ ଯୋଡହସ୍ତରେ ଉପବିଷ୍ଟ କ୍ଷୁଦ୍ର ମୂର୍ତ୍ତି ବିଶାଳ ସ୍ତମ୍ଭ ଉପରେ ଉପବିଷ୍ଟ । ଅଷ୍ଟାଦଶ ଶତାବ୍ଦୀର ଶେଷ ଭାଗରେ ମରହଟ୍ଟା ରାଜତ୍ୱ ସମୟରେ ଭୋଇ ବଂଶର ରାଜା ଦିବ୍ୟସିଂହ ଦେବ ଏହି ସ୍ତମ୍ଭଟିକୁ ନିଖୁଣ ଅବସ୍ଥାରେ କୋଣାର୍କରୁ ଅଣାଇ ପୁରୀ ଶ୍ରୀମନ୍ଦିରଠାରେ ପ୍ରତିଷ୍ଠିତ କରାଇଥିଲେ । ଅନ୍ୟ ଐତିହାସିକ ମତାନୁଯାୟୀ ମରହଟ୍ଟା ଶାସକଙ୍କ ଗୁରୁ ବାଲବ୍ରହ୍ମଚାରୀ ଏହାକୁ କୋଣାର୍କରୁୁ ସ୍ଥାନାନ୍ତରିତ କରି ଶ୍ରୀଜଗନ୍ନାଥଙ୍କ ମନ୍ଦିର ସମ୍ମୁଖରେ ସ୍ଥାପନା କରିଥିଲେ । ଆଉ କେତେକଙ୍କ ମତରେ ପ୍ରଥମ ନରସିଂହ ଦେବ ୧୩୦୦ ଖ୍ରୀଷ୍ଟାବ୍ଦରେ ଏହାକୁ ସ୍ଥାପନ କରିଥିଲେ । ଅରୁଣ ସ୍ତମ୍ଭ ଅରୁଣ ବା ଜ୍ୟୋତିର ପ୍ରତୀକ । ଶକ୍ତି ପ୍ରଦାୟକ । ଭକ୍ତ ମନରେ ଜଗନ୍ନାଥଙ୍କ ଦର୍ଶନ ପାଇଁ ଶକ୍ତି ସଂଚାରିତ ହୋଇଥାଏ । ଏହାକୁ ସ୍ପର୍ଶ କରିବା ମାତ୍ରେ କାୟ-ମନ-ବାକ୍ୟକୁ ଏହା ଶକ୍ତ କରିଥାଏ । ଅରୁଣ ସ୍ତମ୍ଭ ଓ ପତିତପାବନଙ୍କୁ ଦର୍ଶନ କଲେ ଭକ୍ତଙ୍କ ସମସ୍ତ ମନୋକାମନା ପୂର୍ଣ୍ଣ ହୋଇଥାଏ ବୋଲି ବିଶ୍ୱାସ ରହିଛି ।

ତେବେ ଏହି ଅରୁଣ ସ୍ତମ୍ଭ ପଥର ଆସିଲା କେଉଁଠୁ । ଐତିହାସିକଙ୍କ ମତରେ ପୁରୀ, କୋଣାର୍କ, ଲିଙ୍ଗରାଜ ମନ୍ଦିର ଭଳି ବଡ ବଡ ଦେଉଳ ନିର୍ମାଣ ଲାଗି ଅଭିଭକ୍ତ ପୁରୀ ଜିଲ୍ଲାର ଡେଲାଙ୍ଗ, ତାପଙ୍ଗ ଓ ବାଲେଶ୍ୱର ଜିଲ୍ଲାର ନୀଳଗିରିରୁ ପଥର ସଂଗୃହୀତ କରାଯାଉଥିଲା । ଏହାକୁ ଭେଳାରେ ନଦୀ ଜଳରେ ଭସାଇ ପୁରୀ,ଏକାମ୍ର ଓ କୋଣାର୍କ ଆଦି ସ୍ଥାନକୁ ଅଣାଯାଉଥିଲା । ଜାଣିଲେ ଆଶ୍ଚର୍ଯ୍ୟ ହେବେ ନୀଳଗିରିରୁ ପଥର ବୁହାଇବା ପାଇଁ ସେ ସମୟରେ ଚୁକ୍ତିବଦ୍ଧ ହୋଇଥିବା ବ୍ୟକ୍ତି ୩୦୭୭ ମାଢ ସୁନା କେବଳ ଅଗ୍ରୀମ ବା ଆଡଭାନ୍ସ ନେଇଥିଲେ । ହୁଏତ ଏହାପରେ ନିକଟରେ ଥିବା ପାହାଡରୁ ଉନ୍ନତମାନର ପଥର ସଂଗ୍ରହ ପାଇଁ ବ୍ୟବସ୍ଥା ହୋଇଥିବ । ଗବେଷଣା କୁହେ, ୩୪୨ ଜଣ ବ୍ୟକ୍ତି ଉନ୍ନତମାନର ପଥର ସଂଗ୍ରହ ପାଇଁ ଓଡିଶାର କେରାଣ୍ଡିମାଳ, ଅରାଗଡ, ବିଶ୍ୱନାଥ ପାହାଡ, ଜଗଦଳ, ତାପଙ୍ଗମାଳ, ବାଣେଶ୍ୱର ଓ ନୀଳଗିରି ଆଦି ଅଞ୍ଚଳରେ ବୁଲିବୁଲି ପଥର ବାଛିଥିଲେ । ପରେ ଏହାକୁ ନିକଟବର୍ତ୍ତି ନଦୀ ଜଳରେ ଭେଳାରେ ବୁହାଇ ନିର୍ମାଣ ସ୍ଥଳକୁ ନିଆଯାଇଥିଲା । ଗୋଟିଏ ପାହାଡରୁ ପଥର ଆଣିବାକୁ ସେତେବେଳେ ୧୧୦ ମାଢ ସୁନା ଖର୍ଚ୍ଚ ହେଉଥିଲା । ନୀଳଗିରି ଦୂରବର୍ତ୍ତୀ ସ୍ଥାନ ହୋଇଥିବାରୁ ସମ୍ଭବତଃ ଡେଲାଙ୍ଗ, ତାପଙ୍ଗ ଆଦି ଅଞ୍ଚଳରୁ ଅଧିକ ପଥର ସଂଗ୍ରହ କରାଯାଇଥିବା ଅନୁମାନ କରାଯାଏ । କିନ୍ତୁ ଅରୁଣ ସ୍ତମ୍ଭ ଲାଗି ପଥର ଖଣ୍ଡକ ଡେଲାଙ୍ଗ ବିଶ୍ୱନାଥ ମୁଣ୍ଡିଆରୁ ସଂଗୃହୀତ କରାଯାଇଥିଲା ବୋଲି କୁହାଯାଏ ।


ଅରଙ୍ଗାବାଦ, ବରୀ, ଯାଜପୁର
ମୋବାଇଲ - ୯୯୩୮୯୦୬୦୭୦