ବିଏଫଏସର ଶୁଭାରମ୍ଭ : ବିଶ୍ୱର ସବୁଠୁ ଭଲ ପାଣିପାଗ ମଡ଼େଲ
ନୂଆଦିଲ୍ଲୀ : କେନ୍ଦ୍ର ସରକାର ଆଜି ଭାରତ ଫୋରକାଷ୍ଟିଂ ସିଷ୍ଟମ (ବିଏଫଏସ)ର ଶୁଭାରମ୍ଭ କରିଛନ୍ତି । ଏହା ହେଉଛି ବିଶ୍ୱର ସବୁଠାରୁ ଭଲ ରିଜୋଲୁ୍ୟସନ ଥିବା ପାଣିପାଗ ମଡ଼େଲ । ଯାହାକି ୬ କିଲୋମିଟର ଗ୍ରୀଡ଼ରୁ ପରିଚାଳିତ ହୋଇପାରିବ । ଭାରତର ନିଜସ୍ୱ ଜ୍ଞାନକୌଶଳରେ ଏହା ବିକଶିତ ହୋଇଛି । ବିପର୍ଯ୍ୟୟର ମୁକାବିଲା ପାଇଁ ଏହା ବେଶ୍ ସହାୟକ ହୋଇପାରିବ । ଏହାଦ୍ୱାରା ପଞ୍ଚାୟତସ୍ତର ପର୍ଯ୍ୟନ୍ତ ମଧ୍ୟ ପାଣିପାଗର ପୂର୍ବାନୁମାନ କରାଯାଇପାରିବ । ଯାହାଫଳରେ ଖାଲି ବିପର୍ଯ୍ୟୟର ମୁକାବିଲା ନୁହେଁ, କୃଷି, ଜଳସମ୍ପଦ ପରିଚାଳନା, ନାଗରିକ ସୁରକ୍ଷା ବି ହୋଇପାରିବ ।
ଗତବର୍ଷ ଆଇଆଇଟିଏମ କ୍ୟାମ୍ପସରେ ପ୍ରତିଷ୍ଠା ହୋଇଥିବା ସୁପର କମ୍ପୁ୍ୟଟର ‘ଆର୍କା’ ଦ୍ୱାରା ହିଁ ବିଏଫଏସ ବିକାଶ କରିବା ସମ୍ଭବପର ହୋଇପାରିଛି । ଆର୍କାର କମ୍ପୁ୍ୟଟେସନ ସାମର୍ଥ୍ୟ ୧୧.୭୭ ପେଟା ଫ୍ଲପ ଥିବାବେଳେ ଏଥିରେ ୩୩ ପେଟାବାଇଟ୍ ଡାଟା ରହିପାରିବ । ପୂର୍ବରୁ ସୁପରକମ୍ପୁ୍ୟଟର ପ୍ରତୁ୍ୟଷ ପୂର୍ବାନୁମାନ ମଡ଼େଲ ଚଳାଇବା ପାଇଁ ୧୦ ଘଣ୍ଟା ସମୟ ନେଉଥିବାବେଳେ ଆର୍କା କିନ୍ତୁ ସେହି କାର୍ଯ୍ୟକୁ ମାତ୍ର ୪ ଘଣ୍ଟାରେ କରିପାରୁଛି ବୋଲି ପାର୍ଥସାରଥି ମୁଖୋପାଧ୍ୟାୟ ପ୍ରକାଶ କରିଛନ୍ତି ।
ଏନେଇ ଏମ. ରବୀଚନ୍ଦ୍ରନ୍ କହିଛନ୍ତିଯେ, ବିଏଫଏସ ଭାରତର ୪୦ଟି ଡପଲର ରାଡ଼ାରରୁ ତଥ୍ୟ ସଂଗ୍ରହ କରି ଭଲ ଅନୁଶୀଳନ କରିପାରିବ । ଏମିତିକି ସ୍ଥାନୀୟ ଅଞ୍ଚଳର ପାଣିପାଗ ନେଇ ପୂର୍ବାନୁମାନ କରିପାରିବ । ପୂର୍ବର ଗ୍ରୀଡ଼ ୧୨ କିମି ପରିଧିରେ ପୂର୍ବାନୁମାନ କରୁଥିବାବେଳେ ଏହି ଗ୍ରୀଡ଼ କିନ୍ତୁ ୬ କିମି ପରିଧିରେ ପୂର୍ବାନୁମାନ କରିପାରିବ । ଯେତେବେଳେକି ୟୁରୋପୀୟ ଦେଶ, ବ୍ରିଟେନ୍ ଓ ଆମେରିକା ପାଣିପାଗ ମଡ଼େଲଗୁଡ଼ିକ ୯ କିମିରୁ ୧୪ କିମି ପରିଧି ଭିତରେ ରହୁଛି ।