୧୬ତମ ରାଷ୍ଟ୍ରୀୟ ରୋଜଗାର ମେଳା : ୨୦୪ ଜଣଙ୍କୁ ନିଯୁକ୍ତି ପତ୍ର ଦେଲେ ଧର୍ମେନ୍ଦ୍ର

ଭୁବନେଶ୍ୱର  : ଭୁବନେଶ୍ୱର ଠାରେ ୧୬ତମ ରାଷ୍ଟ୍ରୀୟ ରୋଜଗାର ମେଳାର ଶୁଭାରମ୍ଭ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏ ଅବସରରେ ଶ୍ରୀ ପ୍ରଧାନ ଭାରତ ସରକାରଙ୍କ ବିଭିନ୍ନ ବିଭାଗରେ ୨୦୪ ଜଣ ନବ ନିଯୁକ୍ତ ଯୁବକଯୁବତୀଙ୍କୁ ନିଯୁକ୍ତି ପତ୍ର ବିତରଣ କରିଥିଲେ । ଜୀବନର ନୂଆ ଅଧ୍ୟାୟ ଆରମ୍ଭ କରିଥିବା ପ୍ରାର୍ଥୀ ଓ ସେମାନଙ୍କ ପରିବାର ବର୍ଗଙ୍କୁ ଶୁଭେଚ୍ଛା ଜଣାଇଥିଲେ । ସେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ବିଭିନ୍ନ ସରକାରୀ ବିଭାଗ ଏବଂ ସଂଗଠନରେ ୫୧,୦୦୦ ରୁ ଅଧିକ ଯୁବକଯୁବତୀଙ୍କୁ ନିଯୁକ୍ତି ପତ୍ର ବଣ୍ଟନ କରିଛନ୍ତି । ୧୬ତମ ରୋଜଗାର ମେଳା ଦେଶର ୪୭ଟି ସ୍ଥାନରେ ଅନୁଷ୍ଠିତ ହୋଇଥିବା ବେଳେ ନିଯୁକ୍ତି ସୃଷ୍ଟିକୁ ସର୍ବୋ ପ୍ରାଥମିକତା ଦେବା ପାଇଁ ‘ରୋଜଗାର ମେଳା’ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରତିବଦ୍ଧତା ପୂରଣ କରିବା ଦିଗରେ ଏକ ପଦକ୍ଷେପ । ଓଡ଼ିଶା ସମେତ ସାରା ଦେଶରେ ରୋଜଗାର ମେଳା ମାଧ୍ୟମରେ ଏପର୍ଯ୍ୟନ୍ତ ୧୦ ଲକ୍ଷରୁ ଅଧିକ ନିଯୁକ୍ତି ପତ୍ର ପ୍ରଦାନ କରାଯିବା ଖୁସିର ବିଷୟ । ଏ ଅବସରରେ ଧର୍ମେନ୍ଦ୍ର ରେଳ ବିଭାଗରେ ସର୍ବାଧିକ ୧୪୩ ଜଣ, ଭାରତୀୟ ଡାକ ବିଭାଗରେ ୩୬ ଜଣ, ଆର୍ଥିକ ବିଭାଗ(ଏସଏଲବିସି)ରେ ୯ ଜଣ, ରାଜସ୍ୱ ବିଭାଗରେ ୬ ଜଣ, ଗୃହ ବିଭାଗର ସିଆରପିଏଫ ଏବଂ ସିଆଇଏସଏଫ ବିଭାଗରେ ୨ ଜଣ ଏବଂ ଶିକ୍ଷା ମନ୍ତ୍ରଣାଳୟର ଆଇଜର ବ୍ରହ୍ମପୁର ଏବଂ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଏମ୍ସ, ଭୁବନେଶ୍ୱରରେ ଜଣେ ଲେଖାଏଁ ପ୍ରାର୍ଥୀଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଥିଲେ ।