ଦେବେନ୍ଦ୍ର ପ୍ରଧାନଙ୍କ ପରଲୋକ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଶୋକ
 
                                ଭୁବନେଶ୍ୱର: ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦେବେନ୍ଦ୍ର ପ୍ରଧାନଙ୍କ ଦେହାନ୍ତରେ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀ କହିଛନ୍ତି, ‘ସେ ସର୍ବଦା ସେବା ଓ ସଂକଳ୍ପ ମନୋଭାବ ନେଇ କାମ କରୁଥିଲେ, ରାଜ୍ୟ ବିକାଶ ପାଇଁ ସର୍ବଦା ଉଦ୍ୟମରତ ଥିଲେ।’ ସେହିପରି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଦେବେନ୍ଦ୍ର ପ୍ରଧାନଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି। ସେ ତାଙ୍କର ‘ଅତୁଳନୀୟ ସାଂଗଠନିକ ଦକ୍ଷତା ପାଇଁ ସର୍ବଦା ସ୍ମରଣୀୟ ରହିବେ’ ବୋଲି କହିଛନ୍ତି।
ସୋମବାର ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦେବେନ୍ଦ୍ର ପ୍ରଧାନ ତଥା ବର୍ତ୍ତମାନର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପିତାଙ୍କର ପରଲୋକ ଘଟିଛି। ଦେବେନ୍ଦ୍ର ପ୍ରଧାନ ବାଜପେୟୀଙ୍କ ସରକାରରେ ପରିବହନ ମନ୍ତ୍ରୀ ଥିଲେ। ସେ ୧୯୮୮ରୁ ୧୯୯୩ ରାଜ୍ୟ ଭାଜପା ସଭାପତି ଥିଲେ। ୧୯୯୩ରୁ ୧୯୯୫ ରାଜ୍ୟ ଭାଜପାର ସାଧାରଣ ସମ୍ପାଦକ ଥିଲେ। ପୁନର୍ବାର ୧୯୯୫ରୁ ୧୯୯୭ ଯାଏ ସେ ଭାଜପା ସଭାପତି ରହିଥିଲେ। ୧୯୯୮ରେ ଦେବଗଡ଼ରୁ ଦେବେନ୍ଦ୍ର ଲୋକ ସଭାକୁ ନିର୍ବାଚିତ ହୋଇଥିଲେ। ଦେବେନ୍ଦ୍ର ପ୍ରଧାନଙ୍କ ରାଜନୈତିକ ଜୀବନ ଭାରତୀୟ ଜନତା ପାର୍ଟି ଏବଂ ଓଡ଼ିଶାରେ ଦଳର ଅଗ୍ରଗତି ସହିତ ଗଭୀର ଭାବେ ଜଡ଼ିତ। ସେ ଓଡ଼ିଶାର ଜଣେ ପ୍ରଭାବଶାଳୀ ନେତା ଥିଲେ, ଯିଏ ରାଜ୍ୟରେ ଭାଜପାର ମୂଳଦୁଆ ସ୍ଥାପନ ଏବଂ ସଂଗଠନକୁ ମଜବୁତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ।
 
 Rasmita Behera
                                    Rasmita Behera                                 
    
             
    
             
    
 
    
 
    
 
    
 
 
 
