୧୭ବର୍ଷରୁ କମ୍ ଜାତୀୟ ଚାମ୍ପିଅନସିପ୍ରେ ଚମକ୍ରାର ପ୍ରଦର୍ଶନ
ଭୁବନେଶ୍ୱର : ନିକଟରେ ଉତ୍ତରପ୍ରଦେଶର ଅଯୋଧ୍ୟାରେ ଅନୁଷ୍ଠିତ ସମ୍ମାନ ଜନକ ସ୍କୁଲ ଗେମ୍ସ ଫେଡେରେସନ୍ ଅଫ୍ଇଣ୍ଡିଆ (ଏସଜିଏଫ୍ଆଇ) ୧୭ବର୍ଷରୁ କମ୍ ଜାତୀୟ ଚାମ୍ପିଅନସିପ୍ରେ ଓଡ଼ିଶା ଏଏମ୍/ଏନଏସ୍ ଇଣ୍ଡିଆ ଖୋ ଖୋ ହାଇପରଫର୍ମାନ୍ସ ସେଣ୍ଟର (ଏଚପିସିର ୭ଜଣ ଆଥଲେଟ୍ ଓଡ଼ିଶା ଓ ମହାରାଷ୍ଟ୍ର ଦଳର ପ୍ରତିନିଧିତ୍ୱ କରିଥିଲେ । ଏହି ଟୁର୍ଣ୍ଣାମେଣ୍ଟରେ କାଂସ୍ୟ ପଦକ ହାସଲ କରି ଓଡ଼ିଶା ବାଳିକାଦଳ ରାଜ୍ୟକୁ ଗୌରବାନ୍ୱିତ କରିଛି । ଓଡ଼ିଶା ବାଳିକାଦଳରେ ଏଚପିସିର ୫ଜଣ ଆଥଲେଟିକ୍ସ ଭାଗ୍ୟଶ୍ରୀ ନାୟକ, ଆଶିକା କୁଜୁର, ଅର୍ଚ୍ଚନା ପ୍ରଧାନ, ରକ୍ତିମା ଭଣ୍ଡା ଓ ଲିସାରାଣୀ ରାଇତା ସାମିଲ ଥିଲେ । ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟରେ ସେମାନେ ନିଜ ଶକ୍ତି, ଦକ୍ଷତା ଏବଂ ସମର୍ପଣଭାବର ପ୍ରଦର୍ଶନ କରିଥିଲେ । ଏଚପିସିରେ କ୍ରୀଡା ପ୍ରଶିକ୍ଷଣ ଏବଂ ବିଶେଷଜ୍ଞଙ୍କ ମାର୍ଗଦର୍ଶନ ବଳରେ ସେମାନେ ଏହି ସଫଳତା ହାସଲ କରିଛନ୍ତି । ଯେଉଁଠାରେ ସେମାନେ ଉନ୍ନତ ପ୍ରଶିକ୍ଷଣ କୌଶଳ ମାଧ୍ୟମରେ ନିଜ ପ୍ରତିଭାକୁ ଅଧିକ ବିକଶିତ କରିଥିଲେ । ଏଚପିସିର ପ୍ରତିଷ୍ଠାକୁ ପ୍ରତିପାଦିତ କରି ଶରଦ ଘଟଗେ ଏବଂ ଉଦୟ ପାଡାଲକର ମହାରାଷ୍ଟ୍ରର ପ୍ରତିନିଧିତ୍ୱ କରି ଟୁର୍ଣ୍ଣାମେଣ୍ଟରେ ନିଜ ଦଳର ରୌପ୍ୟପଦକ ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଉଦୟପାଡାଲକରଙ୍କୁ ଏହି ଟୁର୍ଣ୍ଣାମେଣ୍ଟ ପାଇଁ ସମ୍ମାନ ଜନକ ଶ୍ରେଷ୍ଠ ଡିଫେଣ୍ଡର ପୁରସ୍କାର ପ୍ରଦାନ କରାଯାଇଥିଲା, ଯାହାତାଙ୍କର ନିରନ୍ତର ଏବଂ ଅସାଧାରଣ ପ୍ରତିରକ୍ଷା ଦକ୍ଷତା ଏବଂ ତାଙ୍କଦଳର ସଫଳତାରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନର ପ୍ରମାଣ ଅଟେ । ଗତବର୍ଷ ଜାତୀୟ ଜୁନିୟର ଖୋ ଖୋ ଚମ୍ପିୟନସିପ୍୨୦୨୪ରେ ଏଚପିସିର ୧୧ଜଣ ଆଥଲେଟ୍ ଓଡ଼ିଶା ଦଳର ପ୍ରତିନିଧିତ୍ୱ କରିଥିବା ବେଳେ ଉଭୟ ଓଡ଼ିଶା ବାଳକ ଓ ବାଳିକାଦଳ ରନର୍ସ ଅପ୍ ହୋଇଥିଲେ । ଜାତୀୟ ସ୍ତରରେ ଏହି ସଫଳତା ଓଡ଼ିଶା ଏଏମ୍/ଏନ୍ଏସ୍ ଇଣ୍ଡିଆ ଖୋ ଖୋ ହାଇପରଫର୍ମାନ୍ସ ସେଣ୍ଟରରେ ଦିଆଯାଉଥିବା ପ୍ରଶିକ୍ଷଣ ଓ କୋଚିଂର ଗୁଣବତ୍ତାକୁ ଦର୍ଶାଉଛି ।