ଶଶୁର ଘର ଗାଁରେ ଜ୍ୱାଇଁର ମୃତୁ୍ୟ

 ନୀଳଗିରି : ଶ୍ୱଶୁର ଘରେ ଜ୍ୱାଇଁର ମୃତୁ୍ୟକୁ ନେଇ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି ହୋଇଛି  । ଭାଇକୁ ମାରିଦିଆଯାଇ  ଆତ୍ମହତ୍ୟାର ରୂପ ଦେବା ଭଳି ମହା ଅଭିଯୋଗ ଆଣିଲେ ମୃତକଙ୍କ ଭାଇ  । ପ୍ରାପ୍ତ ସୂଚନାରୁ ଜଣାପଡ଼ିଛି ନୀଳଗିରି ନିର୍ବାଚନ ମଣ୍ଡଳୀ  ଔପଦାବ୍ଲକ ଶ୍ୟାମସୁନ୍ଦରପୁର ପଞ୍ଚାୟତ ଜୁରିଆପାଟଣା ଗ୍ରାମର ସ୍ୱର୍ଗତ ହରିହର ମଲ୍ଲିକଙ୍କ ପୁଅ ରାଜେନ୍ଦ୍ର ମଲ୍ଲିକ (୪୦) ସୋରୋ ବ୍ଳକ ମାଣତ୍ରୀ  ପଞ୍ଚାୟତ ମାଣତ୍ରୀ ଗ୍ରାମରୁ ବିବାହ କରିଥିଲେ  । ବିବାହ ପରେ ତାଙ୍କ ଦୁଇ ପୁତ୍ର ଜନ୍ମ ହେବା ପରେ ସ୍ତ୍ରୀ ର ମୃତୁ୍ୟ ହୋଇଥିଲା  । ପରବର୍ତ୍ତି ସମୟରେ ସୋର ଥାନା ଅଧିନ ବାହାନଗା ବ୍ଳକ  ପଥରପେଣ୍ଟ ପଞ୍ଚାୟତ ପଟଣା ଗ୍ରାମର ସ୍ୱର୍ଗତ ଗାଲୁଆ ଓରଫ ଲମ୍ବୋଧର ମଲ୍ଲିକଙ୍କ ଝିଅ ମାମି ମଲ୍ଲିକଙ୍କୁ ଦ୍ୱିତୀୟ ବିବାହ କରିଥିଲେ  । ଗତ ୨/ ୩ ଦିନ ତଳେ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ କୌଣସି କାରଣକୁ ନେଇ କଳି ଝଗଡା ହୋଇଥିଲା  । ଝଗଡା  ପରେ ତାଙ୍କ ସ୍ତ୍ରୀ ଘର ଛାଡ଼ି କୁଆଡେ ପଳାଇ ଯାଇଥିଲେ  । ତେବେ ସେ ବହୁ ଖୋଜା ଖୋଜି ପରେ ସ୍ତ୍ରୀ କୁ ପାଇନଥିଲେ  ।  ରଜ ପର୍ବ ଥିବାବେଳେ ପୁତୁରା  ବନ୍ଧନଙ୍କୁ ପଥରପେଣ୍ଟ ଗ୍ରାମରୁ କାକାଙ୍କ ମୃତୁ୍ୟକୁ ନେଇ ଖବର ଆସିଥିଲା  । ଖବର ପାଇ ବନ୍ଧନ ମଲ୍ଲିକଙ୍କ ପରିବାର ଲୋକ ଏବଂ ସାଙ୍ଗସାଥି ଘଟଣା ସ୍ଥଳରେ ପହଞ୍ଚି  ଘର  ଦ୍ୱାର ବନ୍ଦ ଥିବାରୁ କବାଟ ଭାଙ୍ଗି ଘରଲୋକେ  ରାଜେନ୍ଦ୍ରଙ୍କ ପାଖରେ ପହଞ୍ଚି ଥିଲେ  । ଦେଖିବା ବେଳକୁ ମୁଣ୍ଡ ପାଖରେ ବିଷ ବୋତଲ ଥୋଆ ହୋଇଥିବାର ବେଳେ ରାଜେନ୍ଦ୍ରଙ୍କୁ ଚେତା ଶୂନ୍ୟ ଅବସ୍ଥାରେ ପାଇଥିଲେ  । ରାଜେନ୍ଦ୍ରଙ୍କ ଗଳାରେ ଦୁଇଟି ସ୍ଥାନରେ କ୍ଷତ ହୋଇ ରକ୍ତ  ଲାଗିଥିବା ବେଳେ ମୁହଁ,ପାଟି, ନାକ, ମୁଣ୍ଡ ଡାହାଣ ଗୋଡରେ ଗଭୀର କ୍ଷତ ସୃଷ୍ଟି ହୋଇ ରକ୍ତ ଲାଗିଥିଲା  ବେଳେ ନାକରେ ଫେଣ ଲାଗିଥିବାର ଦେଖିବାକୁ ମିଳିଥିଲା  । ଖବର ପାଇ  ସୋରୋ  ଥାନା ପକ୍ଷରୁ ଘଟଣା ସ୍ଥଳରେ ପହଞ୍ଚି ରାଜେନ୍ଦ୍ରଙ୍କୁ ଉଦ୍ଧାର କରି ଡାକ୍ତରଖାନାକୁ ନେଇଥିଲେ ଁ ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ  । ଅପର ପକ୍ଷେ ରାଜେନ୍ଦ୍ରଙ୍କ ବଡ ଭାଇ ଶଶୀକାନ୍ତ ମଲ୍ଲିକଙ୍କ ପୁଅ ବନ୍ଧନ ମଲ୍ଲିକ (୨୭)  ସୋରୋ ଥାନାରେ ପହଞ୍ଚି ତାଙ୍କ କାକା ଙ୍କୁ ହତ୍ୟା କରାଯିବା ପରେ  ବିଷ ପାଟିରେ ଢଳାଯାଇ ଆତ୍ମହତ୍ୟାର ରୂପ ଦିଆଯାଇଛି ବୋଲି ଲିଖିତ ଅଭିଯୋଗ କରିଛନ୍ତି  ।