୨ରୁ ଓଡ଼ିଶା କନିଷ୍ଠ ବାସ୍କେଟବଲ ଦଳର ପଞ୍ଜାବ ଗସ୍ତ
କଟକ : ଆସନ୍ତା ୨ ତାରିଖରୁ ୯ ତାରିଖ ପର୍ଯ୍ୟନ୍ତ ପଞ୍ଜାବର ଲୁଧିଆନା ଠାରେ ୭୫ତମ ନ୍ୟାସନାଲ ଜୁନିୟର ବାସ୍କେଟବଲ୍ ଚାମ୍ପିଅନ୍ସିପ୍ ଅନୁଷ୍ଠିତ ହେବ । ଏଥିରେ ଭାଗ ନେବା ସକାଶେ ଓଡ଼ିଶା ବାସ୍କେଟବଲ୍ ଦଳ ୩୦ ତାରିଖ ଦିନ ଲୁଧିଆନା ଅଭିମୁଖେ ଗସ୍ତ କରିବେ । ଓଡ଼ିଶା ବାଳକ ଦଳ ବ୍ରହ୍ମପୁରର ଏନ୍ଆଇଏସ୍ଟି ୟୁନିଭରସିଟି କ୍ୟାମ୍ପ୍ସରେ ଗତ ୪ ତାରିଖରୁ ଭାରତର ପୂର୍ବତନ ବାସ୍କେଟବଲ୍ ଅଧିନାୟକ ରିଆଜ୍ଉଦ୍ଦିନ୍ଙ୍କ ତତ୍ତ୍ୱାବଧାନରେ ପ୍ରଶିକ୍ଷଣ ନେଉଛନ୍ତି । ବାଳିକା ଦଳ କଟକର ବାରାବାଟୀ ଷ୍ଟାଡ଼ିୟମ୍ଠାରେ ଗତ ୧୬ ତାରିଖରୁ କୋଚ୍ ପ୍ରଶାନ୍ତ ତରାଇଙ୍କ ତତ୍ତ୍ୱାବଧାନରେ ପ୍ରଶିକ୍ଷଣ ନେଉଛନ୍ତି । ବାଳକ ଦଳର ସହକୋଚ ପ୍ରଶାନ୍ତ ନାୟକ ଓ ବାଳିକା ଦଳର ପଦ୍ମାବତୀ ରହିଛନ୍ତି । ନିରଜ ଯାଦବ, ସତିଶ୍ ସାହୁ, ଅଶୋକ ସାହୁ, ରାଜୁ ଖୁଣ୍ଟିଆ, ଦ୍ୱାରକା ମହାନ୍ତି, ଅମିତ୍ ଦାସ ମହାପାତ୍ର, କାର୍ତ୍ତିକ ବେହେରା ଏବଂ ବହୁ ଖେଳାଳି ଓଡିଶା ଦଳକୁ ଶୁଭେଚ୍ଛା ଜଣାଇଥିବା କହିଛନ୍ତି ଓଡ଼ିଶା ବାସ୍କେଟବଲ୍ ସଂଘର ସମ୍ପାଦକ ଅଶୋକ ସାହୁ ।