୨୦୨୭ ବିଶ୍ୱକପ୍ ଖେଳିବେ ରୋହିତ!

 ନୂଆଦିଲ୍ଲୀ : ଚାମ୍ପିଅନ୍ସ ଟ୍ରଫି ଜିତିଲା ଭାରତ । ଯାହାକୁ ନେଇ ସାରା ଦେଶରେ ଉତ୍ସବର ମାଡଲ ଖେଳିଯାଇଥିଲା । ଏହା ହୋଲି ପୂର୍ବରୁ ଭାରତକୁ ରୋହିତ ବାହିନୀ ଏକ ପ୍ରକାରର ଭେଟି ଦେଇଥିବା ଚର୍ଚ୍ଚା ହେଉଛି । ଫାଇନାଲ ଜିତିଲାପରେ ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା ଏବଂ ବିରାଟ କୋହଲି ଷ୍ଟମ୍ପ ଧରି ଦାଣ୍ଡିଆ ନାଚିଥିଲେ । ରୋହିତ-ବିରାଟଙ୍କ ଉସôବ ଦେଖି କ୍ରିକେଟ ପ୍ରେମୀଙ୍କ ମନରେ ପ୍ରଶ୍ନ ଆସିଥିଲା କି ଏହା କ’ଣ ଏହି ଦୁଇଜଣଙ୍କ ପାଇଁ ଶେଷ ଆଇସିସି ଟୁର୍ଣ୍ଣାମେଣ୍ଟ । ଏହି ପ୍ରଶ୍ନଟି ସିଧାସଳଖ ବିରାଟ କୋହଲିଙ୍କୁ ପଚରାଯାଇ ନଥିଲା । କିନ୍ତୁ ରୋହିତ ଶର୍ମାଙ୍କୁ ନିଶ୍ଚିତ ଭାବରେ ୨୦୨୭ ବିଶ୍ୱକପ ପାଇଁ ଯୋଜନା ବିଷୟରେ ପଚରାଯାଇଥିଲା । ଅଧିନାୟକ ରୋହିତ ଏହାର ବିସ୍ତାରିତ ଉତ୍ତର ଦେଇଥିଲେ । ରୋହିତ କହିଥିଲେ କି ମୁଁ କୌଣସି ସ୍ଥାନକୁ ଯାଉନାହିଁ । ମୁଁ ଏଠାରେ ଅଛି । ରବିବାର ରାତିରେ ଟ୍ରଫି ଜିତିବା ପରେ ରୋହିତ କହିଥିଲେ, ‘ଗତ ତିନୋଟି ଆଇସିସି ଟୁର୍ଣ୍ଣାମେଣ୍ଟରେ ଆମେ କେବଳ ଗୋଟିଏ ମ୍ୟାଚ୍ ହାରିଛୁ ।’ ଏହା ଏକ ବଡ଼ ସଫଳତା । ଏହା ଦର୍ଶାଉଛି ଯେ ଏହି ଦଳ କେତେ ଭଲ । ଦଳରେ ବହୁତ ଶକ୍ତିଶାଳି ଏବଂ ଖେଳାଳିମାନଙ୍କ ମଧ୍ୟରେ ଭଲ ବୁଝାମଣା ରହିଛି । ୨୦୨୭ ବିଶ୍ୱକପ ପାଇଁ ଯୋଜନା ବିଷୟରେ ପଚରାଯିବାରୁ ରୋହିତ କହିଥିଲେ, ‘ଦୁଇ ବର୍ଷ ଯଥେଷ୍ଟ ସମୟ ।’ ମୁଁ ଏତେ ଦୂର ଭାବିବାକୁ ଚାହୁଁନାହିଁ । ମୁଁ ଏବେ କିଛି କହିବାକୁ ଚାହୁଁନାହିଁ ଯେ ମୁଁ ୨୦୨୭ ବିଶ୍ୱକପ ଖେଳିବାକୁ ଚାହୁଁଛି କି ନାହିଁ । ବରଂ ମୁଁ ବର୍ତ୍ତମାନରେ ରହି ଖେଳକୁ ଉପଭୋଗ କରିବାକୁ ଚାହୁଁଛି । ସେଥିପାଇଁ ଏବେ କେହି ଏହା ବିଷୟରେ ଅନୁମାନ କରିବାକୁ ଚାହୁଁନାହାଁନ୍ତି ।